ରାଜ୍ୟ ସରକାର ଖୋଲାବଜାରରୁ ଆହୁରି ୧୪୦୦ କୋଟିରୁ ଅଧିକ ଟଙ୍କା ଋଣ ଉଠାଣ କରିବେ । ସହଜ ବ୍ୟବସାୟ ସର୍ତ୍ତକୁ ଠିକଣା ଭାବେ କାର୍ଯ୍ୟକାରୀ କରୁଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ରାଜ୍ୟ ସରକାରଙ୍କୁ ଏହି ଅନୁମତି ପ୍ରଦାନ କରିଛି ।
ଚଳିତ ଆର୍ôଥକ ବର୍ଷରେ ଖୋଲା ବଜାରରୁ ଉଠାଇବାପାଇଁ ଅନୁମତି ମିଳିଥିବା ୧୪୨୯ କୋଟି ଟଙ୍କା ହେଉଛି ରାଜ୍ୟର ମୋଟ୍ ଘରୋଇ ଉତ୍ପାଦ (ଜିଏସ୍ଡିପି) ର ୦.୨୫ ପ୍ରତିଶତ । ଓଡିଶାର ଜିଏସ୍ଡିପି ପ୍ରାୟ ୬ଲକ୍ଷ କୋଟି ଟଙ୍କା ହୋଇଥିବାବେଳେ ପୂର୍ବରୁ କେନ୍ଦ୍ର ସରକାର ଜିଏସ୍ଡିପି ସୀମା ଅନୁଯାୟୀ ଉଠାଯିବାକୁ ଥିବା ଋଣ ଅର୍ଥର ଅଧିକ ୨ ପ୍ରତିଶତ ଉଠାଇବାକୁ ସହଜ ବ୍ୟବସାୟ (ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍) ସର୍ତ୍ତ ରଖିଥିଲେ । ତେବେ ରାଜ୍ୟ ସରକାର ସଫଳତାର ସହ ଏହା କାର୍ଯ୍ୟକାରୀ କରୁଥିବାରୁ ୧୪୨୯କୋଟି ଟଙ୍କାର ଖୋଲା ବଜାର ଋଣ ପାଇଁ ଅନୁମତି ମିଳିଛି ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ କରୋନା ମହାମାରୀ ସମୟରେ ଲୋକଙ୍କ ହାତକୁ କାମ ଦେବାପାଇଁ ଆତ୍ମ ନିର୍ଭର ଭାରତ ଯୋଜନାରେ ରାଜ୍ୟ ସରକାର ମାନଙ୍କୁ ଜିଏସ୍ଡିପିର ଅତିରିକ୍ତ ଋଣ ପାଇଁ କେନ୍ଦ୍ର ଅନୁମତି ଦେଇଥିବାବେଳେ ଏଥିପାଇଁ କେନ୍ଦ୍ର ଶିଳ୍ପ ପ୍ରୋତ୍ସାହନ ଓ ଆନ୍ତଃ ବ୍ୟବସାୟ ବିଭାଗ ପକ୍ଷରୁ କେତେକ ସର୍ତ୍ତ ରଖାଯାଇଛି । ଏଥି ମଧ୍ୟରେ ସହଜ ବ୍ୟବାସାୟ, ଶକ୍ତି ସଂସ୍କାର, ସହରାଞ୍ଚଳରେ ସଂସ୍କାର କାର୍ଯ୍ୟକ୍ରମ ଓ ଏକ ଦେଶ ଏକ ରେସନ କାର୍ଡ ସର୍ତ୍ତାବଳୀ ରହିଛି ।
ତେବେ ରାଜ୍ୟ ସରକାର ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ କାର୍ଯ୍ୟକାରୀ କରୁଥିବାରୁ ୧୪୨୯କୋଟିର ଋଣ ଉଠାଣ ପାଇଁ ଅନୁମତି ପ୍ରଦାନ କରାଯାଇଛି । ତେଣୁ ରାଜ୍ୟ ସରକାର ଅନୁରୂପ ଭାବେ ଅନ୍ୟ ସର୍ତ୍ତଗୁଡିକ କାର୍ଯ୍ୟକାରୀ କରିବାଲାଗି ଅର୍ଥଶାସ୍ତ୍ରୀମାନେ ମତଦେଉଛନ୍ତି ।
ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଖୋଲା ବଜାରରୁ ଋଣ ଉଠାଣ ପାଇଁ ଅନୁମତି ଦେଇଥିବାବେଳେ ଏହି ଅର୍ଥ ଚଳିତ ଆର୍ଥିକ ବର୍ଷରେ ଉଠାଯିବ । ଚଳିତ ଆର୍ଥିକ ବର୍ଷ ପାଇଁ ସଦ୍ୟ ଅନୁମତି ମିଳିଥିବା ୧୪୨୯କୋଟି ଟଙ୍କାର ଋଣକୁ ମିଶାଇ ଓଡିଶା ସରକାରଙ୍କୁ ମୋଟ୍ ୧୯,୧୪୬ ଋଣ ପାଇଁ ଅନୁମତି ମିଳିଥିବାଜଣାଯାଇଛି ।