ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଜବରଦଖଲକାରୀଙ୍କୁ ସୁହାଇଛି କରୋନା

ଜମି ଜବରଦଖଲକାରୀଙ୍କ ପାଇଁ କରୋନା ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି । କରୋନା ସମୟରେ ଅନୁଧ୍ୟାନ ଓ ଉଚ୍ଛେଦ ମାନ୍ଦା ପଡିଯାଇଥିବାରୁ ଖୋଦ ରାଜଧାନୀରେ ଏବେ ଗୋଟିଏ ପରେ ଗୋଟିଏ ସରକାରୀ ଜମି ଦଖଲ ହେବାରେ ଲାଗିଛି ।

ସରକାରୀ ହିସାବରେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଶତାଧିକ ଏକର ଜମିକୁ ମାଫିଆମାନେ ମାଡି ବସିଛନ୍ତି । ଏଥିପାଇଁ ପ୍ରାୟ ଅଦାଲତରେ ପ୍ରାୟ ୧୦ହଜାର ମାମଲା ରୁଜୁ ହୋଇଛି । ତେବେ କରୋନା ସମୟରେ ଜବରଦଖଲ ଜମିର ପରିମାଣ ଢେର ଅଧିକ ବଢିଯାଇଛି । ଅବସ୍ଥା ଏଭଳି ହୋଇଛି ଯେ ସରକାରଙ୍କ ତିନି ତିନିଟ ସ୍କ୍ୱାଡ୍‍ ରାଜଧାନୀରେ ଜବରଦଖଲକାରୀ ଜମି ମାଫିଆଙ୍କୁ ଅଟକାଇ ପାରୁନାହିଁ ।

ସରକାରୀ ଜମିକୁ ରାତାରାତି ହଡପ କରୁଥିବା ଏହି ମାଫିଆମାନେ ତୁରନ୍ତ ସେଠାରେ ଘରକରି ବିକ୍ରି କରି ଦେଉଛନ୍ତି । କେତେକ ସ୍ଥାନରେ ପ୍ଲଟ ଆକାରରେ ବି ଜମି ବିକୁଛନ୍ତି । ଲକ୍ଷାଧିକ ଟଙ୍କାରେ ଜମି କିଣା ବିକା ହେଉଥିବାବେଳେ ସରକାରଙ୍କ ଖାତାକୁ ଟଙ୍କାଟିଏ ଆସୁନାହିଁ । ସରକାରୀ ଜମି ଖଣ୍ଡିଏ ପାଇଲେ ପ୍ରଥମେ ସେଠାରେ ବସ୍ତି ତିଆରି କରୁଛନ୍ତି ଓ ତାହାକୁ ବର୍ଗଫୁଟ ଆକାରରେ ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଛନ୍ତି । ସରକାରୀ କାଗଜପତ୍ରରେ ଅନୁମତିପ୍ରାପ୍ତ ୧୧୨ଟି ବସ୍ତି ଥିବାବେଳେ ସହରରେ କିନ୍ତୁ ବସ୍ତିସଂଖ୍ୟା ଏହାର ବହୁଗୁଣ ବଢିଗଲାଣି ।

ସହରତଳି ଅଞ୍ଚଳରେ ଥିବା ସରକାରୀ ଜମିକୁ ବିକ୍ରି କରିସାରିବା ପରେ ମାଫିଆମାନେ ଏବେ ଲୋକସେବାଭବନ, ରାଜଭବନ, ଖାରବେଳଭବନ ଆଖପାଖ ଅଞ୍ଚଳରେ ଗଳିକନ୍ଦିରେ ଥିବା ସରକାରୀ ଜମି ଉପରେ ଆଖି ପକାଇଛନ୍ତି । ରାସ୍ତାକଡରେ ଥିବା ଆଠ ଦଶ ହାତ ଜମି ଉପରେ ଦୋକାନଘର କରି ଭଡା ଦେବାପରେ ଏବେ ସରକାରୀ କ୍ୱାର୍ଟର ମଝିରେ ଥିବା କନଜରଭେନ୍ସି ଓ ଫୁଟ୍‍ଫାଥ୍‍କୁ ଜବରଦଖଲ ଆରମ୍ଭ କରିଛନ୍ତି ।

ସରକାରୀ କ୍ୱାଟର୍ସ ମଝି ଅଞ୍ଚଳରେ ଥିବା ସ୍ୱରେଜ ଲାଇନ୍‍ ଉପରେ ରାତାରାତି ଘର ତିଆରି କରିଦେଉଛନ୍ତି । ଫଳରେ ସେହି ଲାଇନ୍‍ରେ ଥିବା କୌଣସି କ୍ୱାଟର୍ସର ସ୍ୱରେଜ ଲାଇନ୍‍ ଖରାପ ହେଲେ ତାହାକୁ ମରାମତି କରିବା କଷ୍ଟକର ହୋଇପଡୁଛି । ଏଭଳି ଜବରଦଖଲକୁ କ୍ୱାଟର୍ସର ମାଲିକ ଥିବା ପୂର୍ତ୍ତ ବିଭାଗ ଓ ବିଏମ୍‍ସି ସମସ୍ତେ ଦେଖୁଥିଲେ ବି ଏକ ପ୍ରକାର ଆଖିବୁଜି ଦେଉଛନ୍ତି । ଫଳରେ ଏବେ ସରକାରୀ କ୍ୱାଟର୍ସରେ ରହୁଥିବା ଲୋକେ ଓ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଲାଣି ।

ଜବରଦଖଲରେ ଗଢି ଉଠୁଥିବା ଏହି ଘର ଗୁଡିକୁ ଆଶ୍ଚର୍ଯ୍ୟଜନକ ଭାବେ ବିଜୁଳି ଓ ପାଣି ସଂଯୋଗ ମିଳି ଯାଉଛି । ମାଫିଆମାନେ ଘର ଗୋଟିକୁ ଦେଢ ରୁ ୨ଲକ୍ଷ ଟଙ୍କାରେ ବିକ୍ରି କରି ଦେଉଛନ୍ତି ନହେଲେ ମାସିକ ୩/୪ ହଜାର ଟଙ୍କାରେ ଭଡାରେ ଦେଉଛନ୍ତି । ଜଣେ ଜଣେ ଜବରଦଖଲକାରୀ ରାଜଧାନୀର ବିଭିନ୍ନ ୟୁନିଟ୍‍ରେ ଏକାଧିକ ଘର ତିଆରି କରିବାରେ ଲାଗିଛନ୍ତି । ଏଭଳି ଜବରଦଖଲ ଓ ଘର ନିର୍ମାଣ ଏବେ ରାଜଧାନୀର ଆଇନ୍‍ଶୃଙ୍ଖଳା ପ୍ରତି ଏକ ଆହ୍ୱାନ ହୋଇଥିବାବେଳେ ନିଶା କାରବାରର ପେଣ୍ଠସ୍ଥଳ ପାଲଟିଛି । ତେଣୁ ତୁରନ୍ତ ଏ ଦିଗରେ ବିଏମ୍‍ସି, ସାଧାରଣ ପ୍ରଶାସନ ଦୃଷ୍ଟିଦେବାକୁ ମତପ୍ରକାଶ ପାଉଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023