କରୋନାରେ ଆଜି ଆଉ ୧୬ ଜଣଙ୍କ ମୃତ୍ୟୁ  ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୬୮୭କୁ ବୃଦ୍ଧି  ରାଜ୍ୟରୁ ୭୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  କ୍ୱାରେଣ୍ଟିନରୁ ୪୧୯ ଓ ଲୋକାଲ କେସ ୩୧୧  ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧କୁ ବୃଦ୍ଧି  ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬୮ ସଂକ୍ରମିତ ଚିହ୍ନଟ  ଖୋର୍ଦ୍ଧାରେ ୬୫, ସୁନ୍ଦରଗଡ଼ରେ ୫୭, ବାଲେଶ୍ୱରରେ ୫୩, କଟକରେ ୪୯ ଆକ୍ରାନ୍ତ ଚିହ୍ନଟ  ରାଜ୍ୟରେ ଆଜି ସୁଦ୍ଧା ୫୬୮୫୮୬୦ କୋଭିଡ ନମୁନା ପରୀକ୍ଷା  ମୋଟ କରୋନା ରୋଗୀଙ୍କ ମଧ୍ୟରୁ ୩୦୭୩୭୪ ସୁସ୍ଥ  

ଆଇନ୍‍ଶୃଙ୍ଖଳା ନେଇ ଗୃହରେ ଉଦବେଗ


ରାଜ୍ୟରେ ଆଇନ୍‍ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ବିଧାନସଭାରେ ଉଦ୍‍ବେଗ ପ୍ରକାଶ ପାଇବା ସହିତ ବିଜେପି ଓ କଂଗ୍ରେସ ସଦସ୍ୟମାନେ ସରକାର ଦୋଷୀମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଆଜି ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ ରାଜ୍ୟରେ ଯେଉଁ ଦୁଇ ଦୁଇଟି ହାଜତ୍‍ ମୃତ୍ୟୁ ଘଟିଛି ତାହାକୁ ଏଡ଼ାଯାଇ ପାରିଥାନ୍ତା । ପୁରୀରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ ପୂର୍ବରୁ ଛୋଟକାଟିଆ ଚୋରି କରୁଥିବା ବେଳେ ୧୭/୧୮ ବର୍ଷ ହେଲା ସେ କୌଣସି ଖରାପ କାମରେ ଲିପ୍ତ ନ ଥିଲା । ହେଲେ ପୁଲିସ ତାକୁ ଉଠାଇ ନେଇ ଥାନାରେ ପିଟି ପିଟି ମାରିଦେଲା । ସେହି ଥାନାରେ ଥିବା ଅନ୍ୟ ଅପରାଧୀମାନେ ଏହା ଦେଖି ଦେବାରୁ ସେମାନଙ୍କୁ ରାତାରାତି ବ୍ରହ୍ମଗିରି ଥାନାକୁ ପଠାଇ ଦିଆଗଲା । ମୃତ ବ୍ୟକ୍ତିଙ୍କୁ ସ୍ୱର୍ଗଦ୍ୱାରରେ ପୁଲିସ ଦାହ କରିଥିବା ବେଳେ କୌଣସି ରୀତିନୀତି ପାଳନ ହୋଇନଥିଲା । ମାମଲା ଉପରେ ପରଦା ଢାଙ୍କିବା ପାଇଁ ମୃତ ବ୍ୟକ୍ତିଙ୍କ ବିରୋଧରେ ମିଛ ମାମଲା କରିବା ସହିତ ନକଲି ପିସ୍ତଲ ବି ରଖିଦେଲା ।

ଶ୍ରୀ ନାୟକ କହିଥିଲେ ଯେ ଆଇଏଏସ ଓ ଆଇପିଏସମାଙ୍କୁ ସରକାର ଘଣ୍ଟ ଘୋଡ଼ାଇ ଚାଲିଛନ୍ତି । ରାଜ୍ୟରେ ଆଉ ଆଇନ୍‍ ଶୃଙ୍ଖଳା ଥିବା ଭଳି ଅନୁଭବ ହେଉନାହିଁ । ବଲାଙ୍ଗୀରରେ ଜଣକ ଘରେ ପଶି ଦୁର୍ବୃତ୍ତମାନେ ୬ ଜଣଙ୍କୁ ମାରିଦେଲେ । ଏଭଳି ସ୍ଥିତିରେ ଲୋକେ କିପରି ରହିବେ ବୋଲି ସେ ପ୍ରଶ୍ନ କରିଥିଲେ । ବିରୋଧୀ ଦଳ ନେତା କହିଥିଲେ ଯେ ମହିଳାଙ୍କୁ ଯିଏ ଅସମ୍ମାନ କରୁଛି ବିଜେଡି ସରକାର ତାକୁ ଘଣ୍ଟ ଘୋଡ଼ାଉଛନ୍ତି । ଏ ସରକାରରେ ଇନ୍ଦିରା ଆବାସଟିଏ ପାଇବା ପାଇଁ ଶାରୀରିକ ସମ୍ପର୍କ ରଖିବାକୁ କୁହାଯାଇଛି । ବିଜେପି କେବେହେଲେ ଧର୍ଷଣ ଓ ହତ୍ୟା ଭଳି ଅପରାଧୀଙ୍କୁ ସହାୟତା କରେ ନାହିଁ । ୨୦ ବର୍ଷର ସରକାର ଭୋଟରମାନଙ୍କ ସ୍ୱାର୍ଥ ପ୍ରତି ନଜର ଦେଉନାହାନ୍ତି । ତେଣୁ ବାଚସ୍ପତି ଏ ସଂକ୍ରାନ୍ତରେ ରୁଲିଂ ଦିଅନ୍ତୁ ଓ ମୋସନ୍‍ ଆକାରରେ ଏହା ଆଲୋଚନା କରାଯାଉ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ରାଜ୍ୟରେ ଏବେ ଜଙ୍ଗଲରାଜ ଚାଲିଛି । ସରକାର କିଛି କରୁନାହାନ୍ତି । ପ୍ରତ୍ୟେକ ନାଗରିକଙ୍କ ଧନଜୀବନ ସୁରକ୍ଷା କରିବା ହେଉଛି ସରକାରଙ୍କ କର୍ତ୍ତବ୍ୟ । ହେଲେ ସରକାର ସେଥିରେ ବିଫଳ । ଦୁଇ ଦୁଇଟି ହାଜତ ମୃତ୍ୟୁ ଘଟଣା ନେଇ ଓଡ଼ିଶା ଏବେ ଉଠୁଛି ପଡ଼ୁଛି । ଲୋକେ ଆନ୍ଦୋଳନ କରୁଛନ୍ତି । ନ୍ୟାୟ ନ ପାଇ ପିଲା ତହସିଲ ଅଫିସ୍‍ ପୋଡ଼ୁଛନ୍ତି । ସାଧାରଣ ଲୋକେ ମାଓବାଦୀଙ୍କ ଭଳି କାର୍ଯ୍ୟ କରୁଛନ୍ତି । ଓଡ଼ିଶା ଶାନ୍ତିର ରାଜ୍ୟ ହୋଇଥିବା ବେଳେ ଧୀରେ ଧୀରେ ଏହାର ଅବନତି ହେଉଛି । ରାଜ୍ୟରେ ଏଭଳି ସ୍ଥିତି ଉପୁଜୁଥିବା ବେଳେ ଓଡ଼ିଶା ମାନବ ଅଧିକାର କମିଶନ ଏକପ୍ରକାର ଅଚଳ । ଏଠାରେ କମିଶନ ନାହାନ୍ତି କି ନୂଆ କମିଶନଙ୍କୁ ନିଯୁକ୍ତି ଦିଆଯାଉନାହିଁ । କାହାକୁ ଦାୟିତ୍ୱରେ ବି ରଖାଯାଉନାହିଁ ।

ଶ୍ରୀ ମିଶ୍ର ସୁନ୍ଦରଗଡ଼ରେ ଘଟିଥିବା ହାଜତ ମୃତ୍ୟୁ ଘଟଣାରେ କିନ୍ତୁ ଏସପିଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଶ୍ରୀ ମିଶ୍ର କହିଥିଲେ ଯେ ଘଟଣା ଘଟିବା ପରେ ପରେ ଏସପି ମାନବାଧିକାର କମିଶନଙ୍କ ଆଇନ ଅନୁଯାୟୀ ଏହାର ତଦନ୍ତ କରିବାକୁ କହିବା ସହିତ ନ୍ୟାୟିକ ତଦନ୍ତ ପାଇଁ ଲେଖିଥିବା ଜଣାଇଥିଲେ । ପୁରୀରେ ଘଟିଥିବା ଘଟଣା କିଛି ଛୋଟିଆ କଥା ନୁହେଁ । ହେଲେ ସରକାର ଏଥିରେ କେବଳ ଏସପିଙ୍କୁ ବଦଳି କରିଛନ୍ତି । ଏବେ ସେ ପୁଲିସ ମୁଖ୍ୟାଳୟରେ । ଆଗାମୀ ଦିନରେ ଯେଉଁଠିକୁ ଯିବେ ସେଠାରେ ଏଭଳି କାଣ୍ଡ କରିବେ । ତେଣୁ ତାଙ୍କ ପ୍ରତି ଆଖିଦୃଶିଆ ଦଣ୍ଡହେବା ଦରକାର ।

ଶ୍ରୀ ମିଶ୍ର କହିଥିଲେ ଯେ ବାଚସ୍ପତି କହୁଛନ୍ତି କାହିଁକି ପାଟି କରୁଛ । ସରକାର କିଛି ବୁଝିପାରୁନାହାନ୍ତି । ତେଣୁ ଆମେ ବିଧାନସଭାରେ କ’ଣ କରିବୁ ବୋଲି ସେ ପ୍ରଶ୍ନ କରିଥିଲେ । ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ ଯେ ଏହି ଘଟଣା ଏବେ ଅଦାଲତର ବିଚାରାଧୀନ । ତେଣୁ ଏହା ଉପରେ ଗୃହରେ ଆଲୋଚନା ସମ୍ଭବ ନୁହେଁ । ଏହାର ଜବାବ୍‍ ଦେଇ ଶ୍ରୀ ମିଶ୍ର କହିଥିଲେ ଯେ ଏହି ମାମଲାକୁ କୋର୍ଟ ଗ୍ରହଣ କରିଛନ୍ତି କି ନାହିଁ ଏବଂ ମାମଲା ସଂକ୍ରାନ୍ତରେ ବାଚସ୍ପତି ଅବଗତ ଅଛନ୍ତି କି ନାହିଁ ତାହା ଜଣାଇବା ଆବଶ୍ୟକ । ଅଦାଲତରେ ଦରଖାସ୍ତଟିଏ ପଡ଼ିଲେ ଯଦି ଗୃହରେ ଆଲୋଚନା ହେବ ନାହିଁ ତେବେ ଏଠାରେ କିଛି ଆଲୋଚନା ହୋଇପାରିବ ନାହିଁ ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ ଯେ ମାଲକାନଗିରି ଜିଲ୍ଲାପାଳ ଏବେ ହତ୍ୟା ଅଭିଯୁକ୍ତ । ତାଙ୍କ ଗିରଫ କରିବା ଆବଶ୍ୟକ । ଡିଜି ସଚ୍ଚୋଟ ହେଲେ ବି କାମରେ କିଛି ନାହିଁ । ରାଜଧାନୀରେ ସବୁବେଳେ ଲୁଟ୍‍ ଚାଲୁଛି । ଝିଅ ବୋହୂ ବାହାରକୁ ଗଲେ ଭଲରେ ଘରରେ ଫେରି ପାରୁନାହାନ୍ତି । ବ୍ରିଟିଶ୍‍ ସରକାର ଭଳି ଏଠାରେ ସରକାର ଚାଲିଛି । କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ ସକାଳ ହେଲେ ଖବର କାଗଜ ଖୋଲିଲେ ଦୁଷ୍କର୍ମ, ଚୋରି, ଡକାୟତି, ହତ୍ୟା ଆଦି ଖବର ଦେଖିବାକୁ ମିଳୁଛି । ପିପିଲି ଥାନାରେ ଯେଉଁ ଘଟଣା ଘଟିଛି ତାହା ଅତ୍ୟନ୍ତ ଗମ୍ଭୀର । ଏହି ଘଟଣାରେ ପୁଲିସ ଉପରେ କେଉଁ ଦଫା ଲାଗିବ ବୋଲି ସେ କହିଥିଲେ ।

ବିଜେପି ସଦସ୍ୟ ବିଷ୍ଣୁ ସେଠୀ କହିଥିଲେ ଯେ ନିଶା କାରବାର ଯୋଗୁ ଅପରାଧ ବଢ଼ି ଚାଲିଛି । ଖୋର୍ଦ୍ଧାଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ନିଶା କାରବାର ଏବେ ଜୋର ଧରିଛି । ତେବେ ଓଡ଼ିଶା ଲୋକ ନ୍ୟାୟ କେମିତି ପାଇବେ ସେ ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ ରାଜ୍ୟରେ ଆଇଏଏସ ଓ ଆଇପିଏସମାନେ ଏଭଳି କାଣ୍ଡ ଘଟାଉଥିବା ବେଳେ ତଳସ୍ତରରେ କର୍ମଚାରୀମାନଙ୍କ ଆଚରଣ କ’ଣ ହେବ? ଅବସ୍ଥା ଏପରି ହୋଇଛି ଯେ ଆଇଆଇସିମାନେ ଏବେ ବିଧାୟକଙ୍କୁ ନାଲି ୟଆଖି ଦେଖାଉଛନ୍ତି । ତେଣୁ ବାଚସ୍ପତି ଏ ସଂକ୍ରାନ୍ତରେ ରୁଲିଂ ଦେବାକୁ ସେ ଦାବି କରିଥିଲେ ।

ସଦସ୍ୟମାନଙ୍କ ଉଦଦେଗକୁ ଲକ୍ଷ୍ୟ କରି ବାଚସ୍ପତି ଶ୍ରୀ କହିଥିଲେ ଯେ ଏହି ପ୍ରସଙ୍ଗରେ ବିରୋଧୀ ଦଳ ସଦସ୍ୟମାନେ ମୁଲତବୀ ପ୍ରସ୍ତାବ ଦେଇଛନ୍ତି । ତେଣୁ ଏହା ଉପରେ ଆଲୋଚନାର ସୁଯୋଗ ରହିଛି । ବିରୋଧୀ ଦଳ ନେତା ଶ୍ରୀ ନାୟକ କହିଥିଲେ ଯେ ଘଟଣା ଗୁରୁତର ହୋଇଥିବାରୁ ମୋସନ୍‍ ଆକାରରେ ଏହାର ଆଲୋଚନା କରାଗଲେ ସମସ୍ତ ସଦସ୍ୟ ଭାଗ ନେବାର ସୁଯୋଗ ପାଇବେ । ତେଣୁ ବାଚସ୍ପତି ମୋସନ୍‍ ଆକାରରେ ଏହାର ଆଲୋଚନା ପାଇଁ ରୁଲିଂ ଦେବାକୁ ସେ କହିଥିଲେ ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020