କରୋନାରେ ଆଜି ଆଉ ୧୬ ଜଣଙ୍କ ମୃତ୍ୟୁ  ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୬୮୭କୁ ବୃଦ୍ଧି  ରାଜ୍ୟରୁ ୭୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  କ୍ୱାରେଣ୍ଟିନରୁ ୪୧୯ ଓ ଲୋକାଲ କେସ ୩୧୧  ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧କୁ ବୃଦ୍ଧି  ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬୮ ସଂକ୍ରମିତ ଚିହ୍ନଟ  ଖୋର୍ଦ୍ଧାରେ ୬୫, ସୁନ୍ଦରଗଡ଼ରେ ୫୭, ବାଲେଶ୍ୱରରେ ୫୩, କଟକରେ ୪୯ ଆକ୍ରାନ୍ତ ଚିହ୍ନଟ  ରାଜ୍ୟରେ ଆଜି ସୁଦ୍ଧା ୫୬୮୫୮୬୦ କୋଭିଡ ନମୁନା ପରୀକ୍ଷା  ମୋଟ କରୋନା ରୋଗୀଙ୍କ ମଧ୍ୟରୁ ୩୦୭୩୭୪ ସୁସ୍ଥ  

ଓଡ଼ିଶାରେ ୧୩ଲକ୍ଷ ୭୯ହଜାର ମାମଲା

ଆଜିସୁଦ୍ଧା ଓଡ଼ିଶାର ବିଭିନ୍ନ ଆଇନ୍‍ ଅଦାଲତରେ ୧୩,୭୮,୯୨୩ ମାମଲା ବିଚାର ପ୍ରତୀକ୍ଷାରେ ଥିବା ବେଳେ ଏଥିମଧ୍ୟରୁ ଫୌଜଦାରୀ ମାମଲା ସଂଖ୍ୟା ହେଉଛି ୧୦ଲକ୍ଷ ୯୬ହଜାର ୨୨୦ । ଏହାଛଡ଼ା ଆଉ ୨ଲକ୍ଷ ୮୨ହଜାର ୭୦୩ଟି ଦେୱାନୀ ମାମଲା ରାଜ୍ୟର ଅଦାଲତଗୁଡ଼ିକରେ ରହିଥିବା ଜାତୀୟ ଜୁଡ଼ିସିଆଲ୍‍ ଡାଟା ଗ୍ରୀଡ୍‍ ତଥ୍ୟରୁ ଜଣାପଡ଼ିଛି ।

ଆଇନ୍‍ ଅଦାଲତଗୁଡ଼ିକରେ ପଡ଼ିଥିବା ମାମଲା ମଧ୍ୟରୁ ୪,୬୨୮ଟି ୩୦ ବର୍ଷରୁ ଅଧିକ ସମୟ ଧରି ଗଡ଼ୁଥିବା ବେଳେ ଏଥିମଧ୍ୟରୁ ୩,୦୮୮ଟି ହେଉଛି ଫୌଜଦାରୀ ମାମଲା । ସେହିପରି ଓଡ଼ିଶାର ଆଇନ୍‍ ଅଦାଲତଗୁଡ଼ିକରେ ପଡ଼ିରହିଥିବା ମାମଲାଗୁଡ଼ିକ ମଧ୍ୟରୁ ୩୦,୭୮୧ଟି ହେଉଛି ୨୦ରୁ ୩୦ ବର୍ଷ ପୁରୁଣା ଯେଉଁଥିରୁ ୨୭,୦୬୦ ଟି ହେଉଛି ଅପରାଧିକ ମାମଲା । ଏହାଛଡ଼ା ୧,୬୫,୯୪୫ଟି ଏମିତି ମାମଲା ରାଜ୍ୟର ବିଚାରାଳୟଗୁଡ଼ିକରେ ରହିଛି ଯେଉଁଗୁଡ଼ିକ ୧୦ରୁ ୨୦ ବର୍ଷ ଧରି ବିଚାର ପ୍ରତୀକ୍ଷାରେ ଅଛି । ଏଥିମଧ୍ୟରୁ ୧,୪୪,୯୨୫ଟି ହେଉଛି ଫୌଜଦାରୀ ମାମଲା । ଜୁଡ଼ିସିଆଲ୍‍ ଡାଟା ଗ୍ରୀଡ୍‍ ତଥ୍ୟ ପୁଣି କହୁଛି ଯେ ଓଡ଼ିଶାର ବିଭିନ୍ନ ଅଦାଲତଗୁଡ଼ିକରେ ୨,୫୮,୫୫୯ଟି ଏଭଳି ମାମଲା ରହିଛି ଯାହା ୫ରୁ ୧୦ ବର୍ଷ ଧରି ଗଡ଼ୁଛି । ଏଥିମଧ୍ୟରୁ ୨,୦୨,୦୩୬ଟି ଫୌଜଦାରୀ ମାମଲା ରହିଛି ।

ଫୌଜଦାରୀ ମାମଲା ଫଇସଲାରେ ବିଳମ୍ବ ହେବା ଯୋଗୁ ବହୁ କ୍ଷେତ୍ରରେ ଅତ୍ୟାଚାରିତ ଲୋକେ ଠିକଣା ନ୍ୟାୟ ପାଉନାହାନ୍ତି ଏବଂ ଅଧିକାଂଶ ଆଇପିସି, ନାରୀ ନିର୍ଯାତନା, ଶିଶୁ ନିର୍ଯାତନା, ବଳାକ୍ରାର ଆଦି ମାମଲାରେ ଅପରାଧୀମାନେ ସହଜରେ ଖସି ଯାଉଛନ୍ତି । ଏହା ଆଇନ୍‍ ବ୍ୟବସ୍ଥା ପ୍ରତି ଏକ ବଡ଼ ଆହ୍ୱାନ ହୋଇଥିବା ଅଭିଜ୍ଞ ଆଇନ୍‍ଜୀବୀମାନେ ସ୍ୱୀକାର କରୁଛନ୍ତି ।

ଓଡ଼ିଶା ହାଇକୋର୍ଟରେ ଆଜିସୁଦ୍ଧା ୧,୭୦,୬୮୯ଟି ମାମଲା ବିଚାର ପ୍ରତୀକ୍ଷାରେ ଥିବା ଜାତୀୟ ଜୁଡ଼ିସିଆଲ୍‍ ଡାଟା ଗ୍ରୀଡ୍‍ ତଥ୍ୟରେ ଦର୍ଶାଯାଇଛି । ଏଥିମଧ୍ୟରେ ୫୨ହଜାର ୯୧୭ଟି ଅପରାଧିକ ମାମଲା । ରାଜ୍ୟ ହାଇକୋର୍ଟରେ ୩୯,୮୨୩ଟି ମାମଲା ୫ରୁ ୧୦ ବର୍ଷ ଧରି, ୨୩,୮୪୮ଟି ମାମଲା ୧୦ରୁ ୨୦ ବର୍ଷ ଧରି, ୩,୭୨୨ଟି ମାମଲା ୨୦ରୁ ୩୦ ବର୍ଷ ଧରି ଓ ୬୯୪ଟି ମାମଲା ୩୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ବିଚାର ପ୍ରତୀକ୍ଷାରେ ରହିଛି । ଓଡ଼ିଶା ହାଇକୋର୍ଟରେ ଥିବା ଅପରାଧିକ ମାମଲାଗୁଡ଼ିକ ମଧ୍ୟରୁ ୯,୫୩୬ଟି ୫ରୁ ୧୦ ବର୍ଷ ଧରି, ୮,୯୧୦ଟି ୧୦ରୁ ୨୦ ବର୍ଷ ଧରି, ୮୨୩ଟି ୨୦ରୁ ୩୦ ବର୍ଷ ଧରି ଓ ଗୋଟିଏ ମାମଲା ୩୦ ବର୍ଷରୁ ଅଧିକ ସମୟ ଧରି ବିଚାର ପ୍ରତୀକ୍ଷାରେ ରହିଛି ।

ଓଡ଼ିଶା ହାଇକୋର୍ଟ ପାଇଁ ୨୭ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବା ବେଳେ ଏଥିରୁ ଏବେ ୧୩ଟି ଖାଲିପଡ଼ିଛି । ରାଜ୍ୟ ହାଇକୋର୍ଟରେ ଯେତେ ମାମଲା ରହିଛି ତାହାର ଫଇସଲା ପାଇଁ ଅନ୍ୟୁନ ୪୦ଜଣ ବିଚାରପତିଙ୍କର ଆବଶ୍ୟକତା ଥିବା ବରିଷ୍ଠ ଆଇନ୍‍ଜୀବୀମାନେ କହୁଛନ୍ତି । ଏ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଗଲେ ବି ସମସ୍ତ ବିଚାରପତି ପଦବୀ ପୂରଣ ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ରାଜ୍ୟ ହାଇକୋର୍ଟ ଏଭଳି ସ୍ଥିତିରେ ଥିବା ବେଳେ ସରକାର ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍‍)କୁ ଉଚ୍ଛେଦ କରିଛନ୍ତି ।

ଏଠାରେ ପ୍ରାୟ ୭୨ହଜାର ମୂଳ ଓ ବିବିଧ ମାମଲା ଏବଂ ଅଦାଲତ ଅବମାନନା ମାମଲା ରହିଥିଲା । ଏଗୁଡ଼ିକ ହାଇକୋର୍ଟକୁ ସ୍ଥାନାନ୍ତରିତ ହେଲେ ମାମଲାର ଚାପା ଆହୁରି ବଢ଼ିଯିବ । ବିଶେଷ କରି ଚାକିରି ସଂକ୍ରାନ୍ତୀୟ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ସରକାର ସ୍ୟାଟ୍‍କୁ ପୁନଃ କାର୍ଯ୍ୟକ୍ଷମ କରିବା କିମ୍ବା ସାଧାରଣ ଅଭିଯୋଗ ଓ ପେନ୍‍ସନ୍‍ ପ୍ରଶାସନ ବିଭାଗ ଅଧୀନରେ ଅଭିଜ୍ଞ ଆଇନ୍‍ଜୀବୀ ଓ ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ସେଲ୍‍ ଖୋଲିବା ପାଇଁ ଆଇନ୍‍ଜୀବୀମାନେ ମତପ୍ରକାଶ କରୁଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020