କରୋନାରେ ଆଜି ଆଉ ୧୬ ଜଣଙ୍କ ମୃତ୍ୟୁ  ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୬୮୭କୁ ବୃଦ୍ଧି  ରାଜ୍ୟରୁ ୭୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  କ୍ୱାରେଣ୍ଟିନରୁ ୪୧୯ ଓ ଲୋକାଲ କେସ ୩୧୧  ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୬,୦୦୧କୁ ବୃଦ୍ଧି  ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬୮ ସଂକ୍ରମିତ ଚିହ୍ନଟ  ଖୋର୍ଦ୍ଧାରେ ୬୫, ସୁନ୍ଦରଗଡ଼ରେ ୫୭, ବାଲେଶ୍ୱରରେ ୫୩, କଟକରେ ୪୯ ଆକ୍ରାନ୍ତ ଚିହ୍ନଟ  ରାଜ୍ୟରେ ଆଜି ସୁଦ୍ଧା ୫୬୮୫୮୬୦ କୋଭିଡ ନମୁନା ପରୀକ୍ଷା  ମୋଟ କରୋନା ରୋଗୀଙ୍କ ମଧ୍ୟରୁ ୩୦୭୩୭୪ ସୁସ୍ଥ  

କରୋନା କବଳରେ ମନ୍ତ୍ରୀ ବିଧାୟକ

ରାଜ୍ୟ ମନ୍ତ୍ରିମଣ୍ଡଳର ଅନ୍ୟୁନ ଏକତୃତୀୟାଂଶ ସଦସ୍ୟ କରୋନା ପଜିଟିଭ ଚିହ୍ନିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକ ନିଜ ଘରେ ଓ ଆଉ କେତେକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସେହିପରି ରାଜ୍ୟର ବିଧାୟକମାନଙ୍କ ମଧ୍ୟରୁ ଏଯାବତ୍‍ ଅନ୍ୟୁନ ୨୧ ଜଣ ଓ ସାଂସଦମାନଙ୍କ ମଧ୍ୟରୁ ୩ ଜଣ କରୋନା ସଂକ୍ରମିତ ବୋଲି ଚିହ୍ନିତ ହୋଇସାରିଛନ୍ତି । ମନ୍ତ୍ରୀଙ୍କ ସମେତ ବହୁ ବିଧାୟକ ଓ ସାଂସଦ କରୋନା ସଂକ୍ରମିତ ହୋଇଥିବାରୁ ଏବେ ଛାନିଆରେ ଲୋକେ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଭେଟିବା ପାଇଁ ବହୁ ସଂଖ୍ୟାରେ ଆସୁନାହାନ୍ତି । ଫଳରେ ମନ୍ତ୍ରୀ ଓ ବିଧାୟକମାନଙ୍କ ଦପ୍ତର ଓ ଆବାସସ୍ଥଳୀରେ ଏକପ୍ରକାର ନିର୍ଜନତା ରାଜୁତି କରୁଛି ।

କରୋନା ସଂକ୍ରମିତ ମନ୍ତ୍ରୀ ଓ ରାଜନେତାଙ୍କ ସଂସ୍ପର୍ଶରେ ଆସିଥିବାରୁ ବହୁ ଆଇଏଏସ୍‍, ଓଏଏସ୍‍ ଓ ଅନ୍ୟ ପଦାଧିକାରୀମାନେ ସଙ୍ଗରୋଧରେ ରହିବା ସହ ନିଜ ନିଜର କରୋନା ସ୍ୱାବ୍‍ ପରୀକ୍ଷା କରାଇବା ପାଇଁ ବ୍ୟସ୍ତ ଅଛନ୍ତି । ଏଯାବତ୍‍ ୭ ଜଣ ମନ୍ତ୍ରୀ କରୋନା ସଂକ୍ରମିତ ବୋଲି ଚିହ୍ନିତ ହୋଇଥିବା ବେଳେ ଆଉ କେତେକ ମନ୍ତ୍ରୀଙ୍କ ଦପ୍ତରର କର୍ମଚାରୀଙ୍କ କୋଭିଡ୍‍ ପଜିଟିଭ୍‍ ରିପୋର୍ଟ ଆସିଥିବା ପରିପ୍ରେକ୍ଷୀରେ ଲୋକସେବା ଭବନଠାରୁ ଆରମ୍ଭ କରି ମନ୍ତ୍ରୀମାନଙ୍କ ବାସସ୍ଥଳୀ ଓ ଏମ୍‍ଏଲ୍‍ଏ କଲୋନୀ ଆଦିରେ ଏବେ ଆତଙ୍କର ବାତାବରଣ ସ୍ପଷ୍ଟ ବାରି ହୋଇଯାଉଛି ।

ଏଯାବତ୍‍ ଓଡ଼ିଶାର ଯେଉଁ ମନ୍ତ୍ରୀମାନେ କରୋନା ପଜିଟିଭ୍‍ ଚିହ୍ନିତ ହୋଇ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଡ. ଅରୁଣ କୁମାର ସାହୁ, ପଦ୍ମିନୀ ଦିଆନ୍‍, ଟୁକୁନି ସାହୁ, ସମୀର ରଞ୍ଜନ ଦାସ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ସୁଶାନ୍ତ ସିଂହ । ଏହି ମନ୍ତ୍ରୀମାନଙ୍କ ଛଡ଼ା ଆଉ କେତେଜଣ ମନ୍ତ୍ରୀଙ୍କ ସଚିବାଳୟ ଓ ଆବାସିକ ଦପ୍ତରରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରୁ କେତେକ କରୋନା ପଜିଟିଭ୍‍ ଚିହ୍ନିତ ହୋଇଥିବାରୁ ସମ୍ପୃକ୍ତ ମନ୍ତ୍ରୀମାନେ ଚିନ୍ତାରେ ଅଛନ୍ତି ।

ମୋଟାମୋଟି ଭାବେ ଏଯାବତ୍‍ ୧୫ଟି ଜିଲ୍ଲାର ଅନ୍ୟୁନ ୩୧ ଜଣ ମନ୍ତ୍ରୀ, ବିଧାୟକ ଓ ସାଂସଦ କରୋନା ସଂକ୍ରମିତ ଥିବା ନିଜଆଡ଼ୁ ସୂଚନା ଦେଇଛନ୍ତି । ପ୍ରାୟ ପ୍ରତିଦିନ ଏହି ତାଲିକା ଲମ୍ବି ଚାଲୁଥିବାରୁ ଚଳିତମାସ ଶେଷରେ ରାଜ୍ୟ ବିଧାନସଭା ଅଧିବେଶନ ବସିବା ବେଳକୁ କେତେକ ମନ୍ତ୍ରୀ ଓ ବିଧାୟକ କରୋନା ସଂକ୍ରମିତ ଚିହ୍ନିତ ହୋଇଥିବେ ତାହା ଏବେଠାରୁ କହିବା ମୁସ୍କିଲ ।

ସେହିଭଳି ଆଜିଠାରୁ ଦିଲ୍ଲୀରେ ସଂସଦ ଅଧିବେଶନ ଆରମ୍ଭ ହୋଇଥିବା ବେଳେ କରୋନା ଆତଙ୍କ ଯୋଗୁ ଓଡ଼ିଶାର କେତେଜଣ ସାଂସଦ ଏଥିରେ ଯୋଗଦେଇ ପାରୁନାହାନ୍ତି ।

ଓଡ଼ିଶା ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ମନ୍ତ୍ରୀ, ବିଧାୟକ, ବିଧାନସଭାର କର୍ମଚାରୀ, ମନ୍ତ୍ରୀଙ୍କ ଦପ୍ତରର କର୍ମଚାରୀ ଏବଂ ବିଧାନସଭାକୁ ଆସିବାକୁ ଥିବା ଅଧିକାରୀମାନଙ୍କର କରୋନା ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି । ଏହି ଟେଷ୍ଟ କରାଯିବା ପରେ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।

ଏବେ ସଂଖ୍ୟାଧିକ ମନ୍ତ୍ରୀ ଲୋକସେବା ଭବନରେ ଥିବା ନିଜ ନିଜ ସରକାରୀ ଦପ୍ତରକୁ କରୋନା ଭୟରେ ଆସୁନାହାନ୍ତି । ଅଧିକାଂଶ ନିଜ ବାସଭବନରେ ରହି ସରକାରୀ କାର୍ଯ୍ୟ ତୁଲାଉଛନ୍ତି ଏବଂ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ କେତେଜଣ ମନ୍ତ୍ରୀ ବି ବୈଠକ ଆଦି କରୁଛନ୍ତି । ଆତଙ୍କିତ ହେଲେ ବି ବହୁ ଅଧିକାରୀ ଓ କର୍ମଚାରୀ ଲୋକସେବା ଭବନ ସମେତ ନିଜ ନିଜ ଦପ୍ତରକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ସରକାର ଲକ୍‍ଡାଉନ, ସଟ୍‍ଡାଉନ୍‍ ଆଦିର କଟକଣା ଉଠାଇନେବା ପରେ ରାଜଧାନୀ ଭୁବନେଶ୍ୱରରେ କରୋନା ବ୍ୟାପକ ଭାବେ ସଂକ୍ରମିତ ହେଉଥିବା ପରିପ୍ରେକ୍ଷୀରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଛି । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020