ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ହସ୍ତକ୍ଷେପ କଲେ ଧର୍ମେନ୍ଦ୍ର

ଶେଷରେ କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଋଗଣ ହୋଇ ପଡୁଥିବା ରାଷ୍ଟ୍ରାୟତ ସଂସ୍ଥା ନୀଳାଚଳ ଇସ୍ପାତ ବ୍ୟାପାରରେ ହସ୍ତକ୍ଷେପ କରିଛନ୍ତି । ଶ୍ରୀ ପ୍ରଧାନ ଏହି ପ୍ରସଙ୍ଗକୁ କେନ୍ଦ୍ର ବାଣିଜ୍ୟ, ଶିଳ୍ପ ଓ ରେଳବାଇ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ନିକଟରେ ଉପସ୍ଥାପନ କରିଛନ୍ତି । ଶ୍ରୀ ଗୋଏଲ ଆସନ୍ତା ୧୦ ତାରିଖରେ ନୀଳାଚଳ ଇସ୍ପାତ ସମସ୍ୟାର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ ।

କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ପ୍ରଧାନ ଦେଶର ପୂର୍ବାଞ୍ଚଳରେ ଇସ୍ପାତକୁ ନେଇ ପୂର୍ବୋଦୟ ଯୋଜନା ପ୍ରସ୍ତୁତ କରିଥିବାବେଳେ କଳିଙ୍ଗନଗରରେ ଥିବା ନୀଳାଚଳ ଇସ୍ପାତ ପାଇଁ ବ୍ୟାପକ ସୁଯୋଗ ରହିଛି । ଏଠାରେ ଉଲ୍ଲେଖନୀୟ ଯେ କଳିଙ୍ଗନଗର ଠାରେ ଖୁବ୍‍ଶୀଘ୍ର ଦେଶର ପ୍ରଥମ ଇସ୍ପାତ ହବ୍‍ ପ୍ରତିଷ୍ଠା ହେବାକୁ ଯାଉଛି । କେନ୍ଦ୍ର ସରକାର ଯେକୌଣସି ପ୍ରକାରେ ନୀଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ଗ୍ରହଣ କରିଥିବାବେଳେ ଏହାକୁ ଉଦ୍ଧାର ପାଇଁ ଷ୍ଟିଲ ଅଥରିଟୀ ଅଫ୍‍ ଇଣ୍ଡିଆ ଲିମିଟେଡ (ସେଲ୍‍), ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ (ଆଇଆଇଏନ୍‍ଏଲ୍‍) ଓ ଜାତୀୟ ଖଣିଜ ଉନ୍ନୟନ ନିଗମ (ଏନ୍‍ଏମ୍‍ଡିସି) ସପକ୍ଷରେ ନୀଳାଚଳ ଇସ୍ପାତର କର୍ମଚାରୀ ଓ ଅଧିକାରୀମାନେ ଅଛନ୍ତି ।

ନୀଳାଚଳ ଇସ୍ପାତର କର୍ମଚାରୀ ଓ ଅଧିକାରୀମାନେ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଅନୁରୋଧ କରି ନିଗମରେ ଥିବା ଏମ୍‍ଏମ୍‍ଟିସିର ଅଂଶଧନକୁ ଆରଆଇଏନ୍‍ଏଲ୍‍, ସେଲ୍‍ କିମ୍ବା ଏନ୍‍ଏମ୍‍ଡିସି ଅଧିଗ୍ରହଣ କରିବାକୁ ପଦକ୍ଷେପ ନେବାଲାଗି ଅନୁରୋଧ କରିଛନ୍ତି । ନୀଳାଚଳ ଇସ୍ପାତର ପ୍ରମୁଖ ଅଂଶୀଦାର ଥିବା ଏମ୍‍ଏମ୍‍ଟିସି ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ଏହି କାରଖାନାରେ ଆଉ ଅଧିକ ଅର୍ଥ ଖଟାଇବାକୁ ଚାହୁଁନାହିଁ । ଯେହେତୁ ଏମ୍‍ଏମ୍‍ଟିସି ଅର୍ଥ ଦେବାକୁ ଚାହୁଁନାହିଁ ତେଣୁ ଏହାର ଅଂଶଧନକୁ କୌଣସି ରାଷ୍ଟ୍ରାୟତ ସଂସ୍ଥାକୁ ନୀଳାଚଳ ଇସ୍ପାତ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ତାଲିକାକୁ ଆସିପାରିବ ବୋଲି ଅଧିକାରୀମାନେ କହିଛନ୍ତି ।

ପୁଞ୍ଜି ପ୍ରତ୍ୟାହାର ପାଇଁ ଅଧିକ ସମୟ ଲାଗୁଥିବାରୁ କାରଖାନା ଚଳାଇବାକୁ ଅନୁମତି ଦିଆନଗଲେ ଏହାର ଅଂଶଧନର ମୂଲ୍ୟ ହ୍ରାସ ପାଇବ ଏବଂ ଅଂଶଧନଧାରୀମାନେ ଆଶା ଠାରୁ କମ୍‍ ପରିମାଣର ଅର୍ଥ ପାଇବେ । ତେଣୁ ନୀଳାଚଳ ଇସ୍ପାତ ପ୍ରସଙ୍ଗରେ ଆଲୋଚନା ସମୟରେ ଏହାକୁ ଚଳାଇବାକୁ ଅଗ୍ରାଧିକାର ଦିଆଯିବା ଆବଶ୍ୟକ । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଆଲୋଚନାରେ ଶ୍ରୀ ପ୍ରଧାନ ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରିବେ ବୋଲି ଅଧିକାରୀମାନେ ଆଶା ବାନ୍ଧିଛନ୍ତି ।

ନୀଳାଚଳ ଇସ୍ପାତକୁ ଉଦ୍ଧାର ପାଇଁ ରାଜ୍ୟ ସରକାର ଆଗେଇ ଆସିବା ସହିତ ଏହାର ଋଣ ପରିଶୋଧ ଲାଗି ଅର୍ଥ ଯୋଗାଇ ଦେଉଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିଥିବାବେଳେ ରାଷ୍ଟ୍ରାୟତ ସଂସ୍ଥା ଓଡିଶା ଖଣି ନିଗମ (ଓଏମ୍‍ସି) ଅର୍ଥ ଯୋଗାଇ ଦେଇଛି । ସ୍ଥିତି ଦିନକୁ ଦିନ ବିଗୁଡୁଥିବାରୁ କେନ୍ଦ୍ର ସରକାର ଏ ଦିଗରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କଲେ ବାର୍ଷିକ ୧୦ ଲକ୍ଷ ଟନ୍‍ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ରଖିଥିବା ନୀଳାଚଳ ଇସ୍ପାତ ତାହାର ଲକ୍ଷ୍ୟ ପୂରଣରେ ସମର୍ଥ ହେବ ।

ତେଣୁ ଅଗଷ୍ଟ ୧୦ ତାରିଖରେ ବସିବାକୁ ଥିବା ବୈଠକରେ ନୀଳାଚଳ ଇସ୍ପାତ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଏଥିରେ ବାଣିଜ୍ୟ, ଇସ୍ପାତ ଓ ଅର୍ଥ ମନ୍ତ୍ରାଳୟ ସହିତ ଓଡିଶା ସରକାରଙ୍କ ଅଧିକାରୀମାନେ ଯୋଗଦେବାର ସୂଚନା ମିଳୁଛି । ଯେହେତୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି ତେଣୁ ନୀଳାଚଳ ଇସ୍ପାତର କର୍ମଚାରୀ ଓ ଅଧିକାରୀଙ୍କ ମଧ୍ୟରେ ଭବିଷ୍ୟତକୁ ନେଇ ଆଶାର କିରଣ ଦେଖାଦେଇଛି । (ତଥ୍ୟ) 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2021