କରୋନା ମହାମାରୀ ଯୋଗୁଁ ରାଜ୍ୟର ଶୀର୍ଷ ସମବାୟ ସମିତିଗୁଡିକର ନିର୍ବାଚନ ସମ୍ଭବ ନହେବାରୁ ପ୍ରଶାସକମାନଙ୍କ ହାତରେ ଏହାର ଦାୟିତ୍ୱ ଦିଆଯାଇଛି । ଅଧିକାଂଶ ଶୀର୍ଷ ସମବାୟ ସମିତି ପରିଚାଳନା କମିଟିର ଅବଧି ଶେଷ ହୋଇଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସମବାୟ ସମିତି ସମୂହର ନିବନ୍ଧକ ପ୍ରଶାସକମାନଙ୍କୁ ନିଯୁକ୍ତ କରିଛନ୍ତି ।
ଓଡିଶା ସମବାୟ ସମିତି ଆଇନ୍ ୧୯୬୨ ର ଧାରା ୨୩(୧)ଅନୁଯାୟୀ ପରିଚାଳନା କମିଟିର ଅବଧି ଶେଷ ପୂର୍ବରୁ ନିର୍ବାଚନ ହୋଇନପାରିଲେ ଏହା ତୁରନ୍ତ ସମବାୟ ନିବନ୍ଧକଙ୍କ ଅଧିନକୁ ଆସିବ । ତଦନୁଯାୟୀ ସମବାୟ ସମିତି ସମୂହର ନିବନ୍ଧକ ଆଜି ସୁଦ୍ଧା ୧୩ ଶୀର୍ଷ ସମବାୟ ସମିତିରେ ପ୍ରଶାସକମାନଙ୍କୁ ନିଯୁକ୍ତ କରିଥିବା ଜଣାଯାଇଛି ।
ଓମ୍ଫେଡ୍ର ପରିଚାଳନା ପାଇଁ ପ୍ରଶାସକ ଭାବେ ଉନ୍ନୟନ କମିଶନରଙ୍କୁ ନିଯୁକ୍ତି ଦିଆଯାଇଥିବାେଳେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍ରେ ସମବାୟ ସଚିବଙ୍କୁ ନିଯୁକ୍ତି ମିଳିଛି । ସେହିଭଳି ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ସଚିବଙ୍କୁ ବୟନିକା ଏବଂ ସେରିଫେଡ୍ର ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି । ସମବାୟ ବିଭାଗର ଅତିରିକ୍ତ ସଚିବଙ୍କୁ ମାର୍କଫେଡ୍ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି ।
ନିର୍ବାଚନ ହୋଇପାରି ନଥିବାରୁ ହସ୍ତଶିଳ୍ପ ଓ କୁଟୀରଶିଳ୍ପ ନିର୍ଦ୍ଦେଶକଙ୍କୁ ଓଡିଶା ରାଜ୍ୟ ହସ୍ତଶିଳ୍ପ ସମବାୟ ନିଗମର ପରିଚାଳନା ଦାୟିତ୍ୱ ଦିଆଯାଇଥିବାବେଳେ ଶିଳ୍ପ ନିର୍ଦ୍ଦେଶକଙ୍କୁ ଓଡିଶା କତା ଶିଳ୍ପ ନିଗମ ଏବଂ ଓଡିଶା ରାଜ୍ୟ ତାଳ ଗୁଡ ସମବାୟ ସଂଘର ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଛି । ମତ୍ସ୍ୟ ନିର୍ଦ୍ଦେଶକଙ୍କୁ ଓଡିଶା ରାଜ୍ୟ ମତ୍ସ୍ୟ ସମବାୟ ମହାସଂଘ (ଫିସ୍ଫେଡ୍)ର ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ପଶୁ ସମ୍ପଦ ଓ ପଶୁ ସେବା ନିର୍ଦ୍ଦେଶକଙ୍କୁ ଓପଲଫେଡ୍ର ପ୍ରଶାସକ ଭାବେ ନିଯୁକ୍ତି ମିଳିଛି ।
ଓଡିଶା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଅର୍ଥ ସମବାୟ ନିଗମର ପରିଚାଳନା ଦାୟିତ୍ୱ ଅନୁସୂଚିତ ଜାତି ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯାଇଛି । ସେହିଭଳି ଓସ୍କାର୍ଡ ବ୍ୟାଙ୍କ୍ର ପରିଚାଳନା ଦାୟିତ୍ୱ ସମବାୟ ନିବନ୍ଧକଙ୍କ ଦପ୍ତରରେ ଥିବା ସମବାୟ ସମିତି ନିର୍ଦ୍ଦେଶକଙ୍କୁ ଦିଆଯାଇଛି ।