ରାଜ୍ୟର ୩୦ ଜିଲ୍ଲାରୁ ୪୧୮୦ ନୂଆ କରୋନା ରୋଗୀ ଚିହ୍ନଟ  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୧,୩୪୧  ନୂଆ ଚିହ୍ନଟଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୪୬୬, ଲୋକାଲ କେସ ୧୭୧୪  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୮୮ ନୂଆ ରୋଗୀ ଚିହ୍ନଟ  କଟକରୁ ୪୯୨, ଯାଜପୁରରୁ ୧୮୪, ସୁନ୍ଦରଗଡ଼ ଓ ପୁରୀରୁ ୧୬୬କରି, ମୟୂରଭଞ୍ଜ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ଜଗତସିଂହପୁରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦  

ଶିକ୍ଷାର ମାନ ଦୟନୀୟ

ଆମ ଶିକ୍ଷା ବ୍ୟବସ୍ଥା ଯେ କରୋନା ସଂକ୍ରମଣଠାରୁ ଅଧିକ ଭୟଙ୍କର ତାହା ସଦ୍ୟ ପ୍ରକାଶିତ ମାଟ୍ରିକ୍‍ ପରୀକ୍ଷାଫଳରୁ ପୁଣିଥରେ ପ୍ରମାଣିତ ହୋଇଛି । ରାଜ୍ୟରେ ମାଟ୍ରିକ ପରୀକ୍ଷା ପାସ୍‍ ହାର ୭୮.୭୬ ପ୍ରତିଶତ ହୋଇଛି ବୋଲି ଉଲ୍ଲେଖ କରି ସରକାର ସାବାସୀ ନେଇଥିବା ବେଳେ ବାସ୍ତବରେ କିନ୍ତୁ ଗୁଣାତ୍ମକ ଦୃଷ୍ଟିରୁ ସରକାରୀ ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ଭୁଷୁଡ଼ି ପଡ଼ୁଥିବା ଏହି ଫଳାଫଳ ବିଶ୍ଳେଷଣରୁ ଜଣାପଡ଼ିଛି ।

୨୦୧୦-୧୧ ବର୍ଷରେ ଆମ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ଶ୍ରେଣୀରେ ପ୍ରାୟ ସାଢ଼େ ୭ ଲକ୍ଷ ପିଲା ନାମାଙ୍କନ କରିଥିଲେ । ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍‍ ଫେଲ୍‍ ବ୍ୟବସ୍ଥା ଉଠାଇ ଦିଆଯିବା ସହିତ ମଧ୍ୟାହ୍ନ ଭୋଜନ, ମାଗଣାରେ ପୁସ୍ତକ ଓ ଅନ୍ୟାନ୍ୟ ପାଠ୍ୟୋପକରଣ ଯୋଗାଣ, ଛାତ୍ରଛାତ୍ରୀଙ୍କୁ ଜୋତା ମୋଜା ସହିତ ପୋଷାକ ବଣ୍ଟନ ଏମିତିକି ଉଚ୍ଚଶ୍ରେଣୀରେ ସାଇକେଲ ବଣ୍ଟନ ସହିତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଷ୍ଟାଇପେଣ୍ଡ ବ୍ୟବସ୍ଥା ସତ୍ତେ୍ୱ ମାଟ୍ରିକ୍‍ ପରୀକ୍ଷା ଦେବା ବେଳକୁ ରହିଥିଲେ ୫ ଲକ୍ଷ ୩୪ହଜାର ୮୪୩ ଜଣ । ଅର୍ଥାତ୍‍ ପ୍ରଥମରୁ ଦଶମ ମଧ୍ୟରେ ପ୍ରାୟ ୨ ଲକ୍ଷ ପିଲା କୌଣସି ନା କୌଣସି କାରଣରୁ ପାଠପଢ଼ା ଛାଡ଼ିଛନ୍ତି ।

ସରସ୍ୱତୀ ଶିଶୁ ମନ୍ଦିର, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଭଳି ଅଗ୍ରଣୀ ଓଡ଼ିଆ ଶିକ୍ଷାନୁଷ୍ଠାନଗୁଡ଼ିକରେ ଡ୍ରପ୍‍ଆଉଟ୍‍ ହାର ଅତି ନଗଣ୍ୟ ଥିବା ବେଳେ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ କିନ୍ତୁ ଏହି ହାର ଢେର୍‍ ଅଧିକ । ପରୀକ୍ଷା ଫଳରେ ବି ସରସ୍ୱତୀ ଶିଶୁ ମନ୍ଦିର, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଶୋଭନୀୟ ଶିକ୍ଷାଶ୍ରମ, ସତ୍ୟସାଇ ସ୍କୁଲ ଆଦିର ଛାତ୍ରଛାତ୍ରୀମାନେ ଢେର୍‍ ଭଲ କୃତିତ୍ୱ ପ୍ରଦର୍ଶନ କରିଥିବା ବେଳେ ତୁଳନାତ୍ମକ ଭାବେ ସଂଖ୍ୟାଧିକ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲମାନଙ୍କରେ କିନ୍ତୁ ଏହି ହାର ନୈରାଶ୍ୟଜନକ ।

ଏହି ପରୀକ୍ଷାରେ ସାରା ରାଜ୍ୟରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଏ-୧ ଗ୍ରେଡ୍‍ ପାଇଛନ୍ତି ମାତ୍ର ୧୨୭୯ ଜଣ । ସେହିଭଳି ୮୦ରୁ ୯୦ ପ୍ରତିଶତ ରଖି ଏ-୨ ଗ୍ରେଡ୍‍ ୮୪୫୮ ଜଣ ପାଇଥିବା ବେଳେ, ୭୦ରୁ ୮୦ ପ୍ରତିଶତ ନମ୍ବର ରଖି ବି-୧ ଗ୍ରେଡ୍‍ ପାଇଛନ୍ତି ୧୮,୧୮୮ଜଣ । ୬୦ରୁ ୭୦ ପ୍ରତିଶତ ନମ୍ବର ରଖି ୩୧,୩୨୮ ପରୀକ୍ଷାର୍ଥୀ ମାଟ୍ରିକ୍‍ ପରୀକ୍ଷାରେ ବି-୨ ଗ୍ରେଡ୍‍ ପାଇଛନ୍ତି । ମୋଟାମୋଟି ଭାବେ ୭୦ ପ୍ରତିଶତରୁ ୯୦ ପ୍ରତିଶତ ନମ୍ବର ଯେତେ ଛାତ୍ରଛାତ୍ରୀ ରଖିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଗ୍ରଣୀ ବେସରକାରୀ ସ୍କୁଲର ।

ସରକାରୀ ସ୍କୁଲଗୁଡ଼ିକରେ ତାଲିମପ୍ରାପ୍ତ ଶିକ୍ଷକଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯାଉଛି । ବେସରକାରୀ ବିଦ୍ୟାଳୟ ତୁଳନାରେ ସେମାନଙ୍କ ବେଦନ ବି ଢେର୍‍ ଅଧିକ । କିନ୍ତୁ ଏହା ସତ୍ତେ୍ୱ ସରକାରୀ ବିଦ୍ୟାଳୟଗୁଡ଼ିକ ଶିଶୁ ମନ୍ଦିର ତୁଳନାରେ କାହିଁକି ଖରାପ ପ୍ରଦର୍ଶନ କରୁଛନ୍ତି ତାହା ଚିନ୍ତାର ବିଷୟ ।

କର୍ତ୍ତୃପକ୍ଷ ହାଲୁକା ଭାବେ ନେଉଥିଲେ ମଧ୍ୟ ଏ କଥା ସ୍ୱୀକାର କରିବାକୁ ହେବ ଯେ ଏଥର ମାଟ୍ରିକ୍‍ ପରୀକ୍ଷାରେ ୧ଲକ୍ଷ ୧୨ହଜାରରୁ ଅଧିକ ଛାତ୍ରଛାତ୍ରୀ ଫେଲ୍‍ ହୋଇଥିବା ବେଳେ ୩୩ରୁ ୪୦ ପ୍ରତିଶତ ନମ୍ବର ରଖିଛନ୍ତି ୨,୨୩,୧୯୫ ପରୀକ୍ଷାର୍ଥୀ । ଏହାଛଡ଼ା ୪୦ରୁ ୬୦ ପ୍ରତିଶତ ନମ୍ବର ପ୍ରାୟ ୧ଲକ୍ଷ ୩୮ ହଜାର ପରୀକ୍ଷାର୍ଥୀ ରଖିଛନ୍ତି । ସିବିଏସ୍‍ଇ ଓ ଆଇସିଏସ୍‍ଇର ଦଶମ ବୋର୍ଡ ପରୀକ୍ଷାରେ ଶତକଡ଼ା ୬୦ରୁ ୧୦୦ ମଧ୍ୟରେ ନମ୍ବର ଯେତେ ପ୍ରତିଶତ ପିଲା ରଖିଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡର ଦଶମ ପରୀକ୍ଷାରେ କିନ୍ତୁ ଅପେକ୍ଷାକୃତ ଢେର୍‍ କମ୍‍ ପ୍ରତିଶତ ଛାତ୍ରଛାତ୍ରୀ ଏହି ଉଚ୍ଚ ଗ୍ରେଡ୍‍ର ନମ୍ବର ରଖିବାରେ ସଫଳ ହୋଇଛନ୍ତି ।

ବରିଷ୍ଠ ଶିକ୍ଷାବିତ୍‍ମାନେ କହୁଛନ୍ତି ଯେ ବର୍ଷ ବର୍ଷ ଧରି ପ୍ରାୟ ଅଧା ପ୍ରଧାନଶିକ୍ଷକ ପଦବୀ ସହିତ ହାଇସ୍କୁଲଗୁଡ଼ିକରେ ହଜାର ହଜାର ସଂଖ୍ୟକ ଶିକ୍ଷକ ପଦବୀ ପୂରଣ କରାନଯିବା ଏବଂ ଭିତ୍ତିଭୂମିର ଅଭାବ ଯୋଗୁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକର ମାଟ୍ରିକ୍‍ ପରୀକ୍ଷାଫଳ ଗୁଣାତ୍ମକ ଦୃଷ୍ଟିରୁ ସେତେ ସନ୍ତୋଷଜନକ ହେଉନାହିଁ ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020