ପ୍ରଥମ ପର୍ଯ୍ୟାୟ ଲକ୍ଡାଉନଠାରୁ ଦ୍ୱିତୀୟ ଅନଲକ୍ ଭିତରେ ଦେଶରେ ତଥା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରିବର୍ତ୍ତେ ଢେର୍ ବଢ଼ିଛି । ଯେଉଁଭଳି ଅମାନିଆ ଢଙ୍ଗରେ କରୋନାର ପରିସଂଖ୍ୟା ଗ୍ରାଫ୍ ଉପରକୁ ଉଠୁଛି ସେଥିରୁ ଜୁଲାଇ ଶେଷ ବେଳକୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଓ ରାଜ୍ୟରେ ୧୫ହଜାରରୁ ଅଧିକ ହେବା ଘେନି ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ।
ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଗତ ମାର୍ଚ୍ଚ ୧୫ ତାରିଖରେ ଚିହ୍ନିତ ହୋଇଥିବା ବେଳେ ଦେଶର ପ୍ରଥମ କରୋନା ଆକ୍ରାନ୍ତ କେରଳରେ ଗତ ଜାନୁଆରୀ ୩୦ ତାରିଖରେ ଧରାପଡ଼ିଥିଲା । ସମଗ୍ର ବିଶ୍ୱରେ କରୋନା ତାହାର କରାଳକାୟା ବିସ୍ତାର କରିବ ବୋଲି ବିଶେଷଜ୍ଞମାନଙ୍କ ସତର୍କବାଣୀ ପରିପ୍ରେକ୍ଷୀରେ ଭାରତ ସରକାର ଗତ ମାର୍ଚ୍ଚ ୨୪ ତାରିଖରେ ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ ଘୋଷଣା କରିଥିଲେ । ସେତେବେଳକୁ ଆମ ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୬ ଥିବା ବେଳେ ମୃତ୍ୟୁସଂଖ୍ୟା ୧୦ରେ ସୀମିତ ଥିଲା । ସେହିପରି ଏହି ଦିନ ସୁଦ୍ଧା ଓଡ଼ିଶାରେ ମାତ୍ର ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ହେଲେ କେହି ମରିନଥିଲେ ।
ଇତିମଧ୍ୟରେ ଏପ୍ରିଲ ୧୫ରେ ଦ୍ୱିତୀୟ ପର୍ଯ୍ୟାୟ, ମଇ ୪ରୁ ତୃତୀୟ ପର୍ଯ୍ୟାୟ ଓ ମଇ ୧୮ ତାରିଖରୁ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ ଘୋଷଣା କରାଯାଇଥିଲା । ଗତ ଜୁନ୍ ପହିଲାରେ ପ୍ରଥମ ପର୍ଯ୍ୟାୟ ଅନଲକ୍ ଲାଗୁ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଅନଲକ୍ ଜୁଲାଇ ପହିଲାରୁ ଆରମ୍ଭ ହେଉଛି ।
ଆଜି(ଜୁନ୍ ୩୦) ସୁଦ୍ଧା ସମଗ୍ର ବିଶ୍ୱରେ ୧ କୋଟି ୪ ଲକ୍ଷରୁ ଊଦ୍ଧ୍ୱର୍ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ମହାମାରୀ ୫ ଲକ୍ଷ ୯ ହଜାରରୁ ଅଧିକ ମୁଣ୍ଡ ନେଇସାରିଲାଣି । ଏବେ ଅନ୍ୟୁନ ୪୩ଲକ୍ଷ ଲୋକ ବିଭିନ୍ନ ଦେଶରେ କରୋନାରୁ ମୁକ୍ତି ପାଇଁ ଚିକିତ୍ସିତ ହେଉଥିବା ବେଳେ ସୌଭାଗ୍ୟବଶତଃ ପ୍ରାୟ ୫୭ ଲକ୍ଷ ଲୋକ କରୋନରୁ ସୁସ୍ଥ ହୋଇଛନ୍ତି । ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଇଟାଲୀ, ଜର୍ମାନୀ, ରୁଷ ଭଳି ବହୁ ପ୍ରଗତିଶୀଳ ଦେଶ କରୋନା କବଳରେ କଲବଲ ହେଉଥିବା ବେଳେ ଏହାର ଏନ୍ତୁଡ଼ିଶାଳ ଚୀନ୍ରେ ବି ହଜାର ହଜାର ଲୋକ ମରିଛନ୍ତି ।
ଭାରତ ସରକାରଙ୍କ ତଥ୍ୟ ଅନୁଯାୟୀ ଆଜିସୁଦ୍ଧା ଆମ ଦେଶରେ ପ୍ରାୟ ୫ ଲକ୍ଷ ୭୦ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ପାଖାପାଖି ୩ଲକ୍ଷ ୩୬ ହଜାର ସୁସ୍ଥ ହୋଇଛନ୍ତି ଏବଂ ୧୭ ହଜାରରୁ ଅଧିକ ମୁଣ୍ଡ କରୋନା ଆମ ଦେଶରେ ନେଇସାରିଲାଣି ।
ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ ବେଳକୁ ମାର୍ଚ୍ଚ ମାସରେ ଓଡ଼ିଶାରେ ମାତ୍ର ୨ ଜଣ କରୋନା ସଂକ୍ରମିତ ଥିବା ବେଳେ ରାଜ୍ୟ ସରକାରଙ୍କ ପ୍ରଦତ୍ତ ହିସାବ ଅନୁସାରେ ଆଜିସୁଦ୍ଧା ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫ରେ ପହଞ୍ଚିଛି । ତେବେ ଓଡ଼ିଶାରେ ୪୯୪୬ ଜଣ କରୋନାରୁ ମୁକ୍ତି ପାଇଥିବା ବେଳେ ଆଜିର ଦିନରେ ୨ ଲକ୍ଷ ୮୭ହଜାର ଜଣ କରୋନା ରୋଗୀ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ମାର୍ଚ୍ଚ ମାସ ବେଳକୁ କରୋନା ସଂକ୍ରମଣ ତାଲିକାରେ ଭାରତର ସ୍ଥାନ ୩୫ ତଳକୁ ଥିବା ବେଳେ ଏବେ ଚୀନ୍, ଇଟାଲୀ, ଫ୍ରାନ୍ସ, ଇଂଲଣ୍ଡ ଆଦିଙ୍କୁ ପଛରେ ପକାଇ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ଯେଉଁଭଳି ଭାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ତାହା ଅବ୍ୟାହତ ରହିଲେ ୧୫ ଦିନ ଭିତରେ ଭାରତ ରୁଷିଆକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଞ୍ଚିଯିବା ଆଶଙ୍କା କରାଯାଉଛି । ଗୋଟିଏ ପଟେ କରୋନା ସଂକ୍ରମଣ ମୁଣ୍ଡ ନେଇ ଚାଲୁଥିବା ବେଳେ ଅନ୍ୟପଟେ ଆର୍ଥିକ ବ୍ୟବସ୍ଥା ଭୁଷୁଡ଼ିବାରେ ଲାଗିଛି ।