କରୋନା ପାଇଁ ଓଡିଶା ସରକାର ମିତବ୍ୟୟିତା ଅବଲମ୍ବନ କରିଥିବାରୁ ଆଇଏଏସ୍ ଅଫିସରମାନେ ଏପ୍ରିଲ ମାସରେ ଅଧା ଦରମା ପାଇବେ । କମାଯାଇଥିବା ଦରମା ଅର୍ଥ ପରବର୍ତ୍ତୀ ସମୟରେ ସେମାନଙ୍କୁ ମିଳିବ । କେବଳ ଆଇଏଏସ୍ ଅଫିସର ନୁହନ୍ତି, ସର୍ବଭାରତୀୟ ସେବାର ଆଇପିଏସ୍ ଓ ଆଇଏଫ୍ଏସ୍ ଅଫିସରଙ୍କ ପାଇଁ ବି ୫୦ ପ୍ରତିଶତ ଦରମା ହ୍ରାସ ନିୟମ ଲାଗୁ ହୋଇଛି ।
ସେହିଭଳି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ବିଭିନ୍ନ ନିଗମର ଅଧ୍ୟକ୍ଷଙ୍କ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ଦରମା ୭୦ ପ୍ରତିଶତ କମିଛି । ତେଣୁ ସେମାନେ ମଧ୍ୟ ଏପ୍ରିଲ ମାସରେ ମୋଟ୍ ଦରମାର ମାତ୍ର ୩୦ ପ୍ରତିଶତ ପାଇବେ । ଏହି ପ୍ରତିନିଧିମାନେ ମଧ୍ୟ କମିଥିବା ଦରମାକୁ ପରବର୍ତ୍ତୀ ସମୟରେ ପାଇବେ ।
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ଏଭଳି ନିର୍ଦ୍ଦେଶନାମା ଜାରି କରିଥିବାବେଳେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିର୍ବାଚିତ ପ୍ରତିନିଧି ଓ ସର୍ବଭାରତୀୟ ସେବାର ଅଫିସରମାନେ କମ୍ ଦରମା ପାଇବେବୋଲି ଜଣାଯାଇଛି । ରାଜ୍ୟ ସରକାରଙ୍କ ଏଭଳି ଦରମା ହ୍ରାସ ପଦକ୍ଷେପକୁ ଓଡିଶାର ଆଇଏଏସ୍ ଅଫିସର ସଂଘ ସମର୍ଥନ ଜଣାଇବା ସହିତ କରୋନା ଭଳି ବିପତ୍ତି ସମୟରେ ସଂଘ ରାଜ୍ୟ ସରକାରଙ୍କ ସହ ଦୃଢଭାବେ ରହିଥିବା ଜଣାଇଛି ।