କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ସଂକଟ କାଳରେ ଶ୍ରମଜୀବୀମାନଙ୍କୁ କାମ ଯୋଗାଇବା ଏବଂ ସେମାନଙ୍କୁ ଅଧିକ ବେତନ ଦେବାକୁ ସରକାର ନିଷ୍ପତି ନେଇଛନ୍ତି ।
କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପାଇଁ ୪୪୩୧ କୋଟି ଟଙ୍କା ଯୋଗାଇ ଦେଉଛନ୍ତି । ଏହା ସହିତ ଏମଜି-ଏନଆରଇଜିଏସ୍ ଯୋଜନାରେ କାମ କରୁଥିବା ଶ୍ରମିକମାନଙ୍କ ମଜୁରି ଏପ୍ରିଲ ପହିଲାରୁ ଜଣପିଛା ଦୈନିକ ହାରାହାରି ୨୦ ଟଙ୍କା ବୃଦ୍ଧି କରାଯାଇଛି ।
ଏହି ଯୋଜନାରେ ତଫସିଲଭୁକ୍ତ ଜାତି, ଜନଜାତି, ଗରିବ, କ୍ଷୁଦ୍ର ଓ ନାମପାତ୍ର ଚାଷୀ ଏବଂ ମହିଳା ପ୍ରଧାନ ପରିବାରର ମହିଳାମାନେ ଅଧିକ ସଂଖ୍ୟାରେ କାମ କରି ସିଧାସଳଖ ଉପକୃତ ହୋଇଥାନ୍ତି । ସେମାନଙ୍କୁ ଏଭଳି ସଂକଟ କ୍ଷଣରେ କାମ ଯୋଗାଇବା ସହ ଅଧିକ ମଜୁରି ପ୍ରଦାନ କରି ସରକାର ଉପକୃତ କରିବାକୁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।
ସାମ୍ପ୍ରତିକ ସମୟରେ ଏମଜି-ଏନଆରଇଜିଏସ୍କୁ ରାଜ୍ୟ ସରକାର ଓ ଜିଲ୍ଲା କର୍ତୃପକ୍ଷ ଆବଶ୍ୟକ ପରାମର୍ଶ ଓ ବିଚାର ଆଲୋଚନା କରି କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ଲକଡାଉନ ସମୟରେ ଏହାକୁ କାର୍ଯ୍ୟକାରୀ କରିବାବେଳେ ସାମାଜିକ ଦୂରତ୍ୱ ରକ୍ଷା ଓ ଅନ୍ୟାନ୍ୟ ନିୟମ ଯେପରି ଉପଯୁକ୍ତଭାବେ ପାଳନ କରାଯିବ ସେଥିପ୍ରତି ସତର୍କଦୃଷ୍ଟି ରଖିବାକୁ କୁହାଯାଇଛି ।