ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

କରୋନା ଆକ୍ରାନ୍ତଙ୍କୁ ମାଗଣା ଚିିକିତ୍ସା

କରୋନା ଆକ୍ରାନ୍ତଙ୍କୁ ରାଜ୍ୟ ସରକାର ମାଗଣାରେ ଚିକିତ୍ସା ସେବା ଯୋଗାଇଦେବେ । ଡାକ୍ତରଖାନାରେ ସେମାନଙ୍କ ରହିବା, ଖାଇବା ଓ ଔଷଧ ଆଦି ପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ ବୋଲି ସୂଚନା ଦେଇଛନ୍ତି କୋଭିଡ-୧୯ର ମୁଖପାତ୍ର ସୁବ୍ରତ ବାଗ୍‍ଚି ।

କରୋନା ସ୍ଥିତି ସଂକ୍ରାନ୍ତରେ ସୂଚନା ଦେଇ ସେ କହିଛନ୍ତି ଯେ ଓଡ଼ିଶାରେ ୩୭୦ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୩ଟି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ପ୍ରଥମ ୨ଟି ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ୫୫ ଜଣ ବ୍ୟକ୍ତି ଯୋଗାଯୋଗରେ ଅଛନ୍ତି । ତୃତୀୟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ୧୧୨ ଜଣଙ୍କୁ ଆଜି ପର୍ଯ୍ୟନ୍ତ ଚିହ୍ନଟ କରାଯାଇଛି ଓ ଯୋଗାଯୋଗ ଜାରି ରହିଛି । ୭୬ ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‌ବାସରେ ଅଛନ୍ତି । ମୋଟ ୧୦୨୧୭ ଜଣ ଅନ୍‌ଲାଇନ୍‌ ଏବଂ ୧୦୪ ମାଧ୍ୟମରେ ପଞ୍ଜୀକରଣ କରାଇଛନ୍ତି । ସେମାନଙ୍କ ମଧ୍ୟରୁ ୪୨୯୧ ଜଣ ବିଦେଶରୁ ଓ ୫୯୨୬ ଜଣ ଅନ୍ୟ ରାଜ୍ୟରୁ ଫେରିଛନ୍ତି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ଶ୍ରମଜୀବୀମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବା ସହ ସେମାନଙ୍କୁ ଅତିଥି ଭାବେ ବ୍ୟବହାର କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କ ରହିବା ଏବଂ ଖାଦ୍ୟପେୟ ପାଇଁ ଅସ୍ଥାୟୀ ଶିବିର ଖୋଲାଯାଇଛି । ବର୍ତ୍ତମାନ ସୁଦ୍ଧା ୨୫୨ଟି ଅସ୍ଥାୟୀ ଶିବିରରେ ପ୍ରାୟ ୧୮,୦୦୦ ଶ୍ରମଜୀବୀଙ୍କୁ ରଖାଯାଇଛି । ସେମାନଙ୍କ ପାଇଁ ୨୪ ଘଣ୍ଟିଆ ହେଲପ୍‌ଲାଇନ୍‌ ୧୮୦୦୩୪୫୬୭୦୩ କାର୍ଯ୍ୟ କରୁଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ୨୨୬୧ଟି ଗ୍ରାମ ପଞ୍ଚାୟତରେ ୧,୨୫,୨୩୭ ଜଣ ଓ ୮୦ଟି ପୌରାଞ୍ଚଳରେ ୧୯,୮୮୬ ଜଣ ନିରାଶ୍ରୟ ଓ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେମାନେ ଏହି ରନ୍ଧାଖାଦ୍ୟ ଘରକୁ ନେଇପାରିବେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ବଳବତ୍ତର ରହିବ ।

ପୂର୍ବରୁ ରାଜ୍ୟକୁ ଫେରିଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲା ଯାଇଛି, ଯେଉଁଠାରେ ସେମାନେ ସଙ୍ଗରୋଧରେ ରହିପାରିବେ । ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ୪ ମାସର ଅଗ୍ରୀମ ପେନ୍‌ସନ୍‌ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ହିତାଧିକାରୀଙ୍କୁ ପେନ୍‌ସନ୍‌ ବଣ୍ଟା ସରିଥିବାବେଳେ ଅବଶିଷ୍ଟ ହିତାଧିକାରୀଙ୍କୁ ପେନ୍‌ସନ୍‌ ଦିଆଯିବାର ପ୍ରକ୍ରିୟା ଜାରି ରହିଛି ।

ଲକ୍‌ ଡାଉନ୍‌ ସମୟରେ ରାଜ୍ୟର ୫ଟି ମହାନଗର ନିଗମ ଓ ୪୮ଟି ପୌରସଂସ୍ଥା ଅଞ୍ଚଳରେ ବୁଲା ଜୀବଜନ୍ତୁମାନଙ୍କୁ ଖାଦ୍ୟ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୫୪ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।

ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୯ ମାର୍ଚ୍ଚରୁ ୩୦ ମାର୍ଚ୍ଚ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୨୪ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରେ ୩ଟି ମାମଲା ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଦାୟର ହୋଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023