ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ସର୍ବସମ୍ମତି କ୍ରମେ ବଜେଟ୍‍ ପାରିତ

୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‍ ଆଜି ସର୍ବସମ୍ମତି କ୍ରମେ ବିଧାନସଭାର ମଞ୍ଜୁରୀ ଲାଭ କରିଛି । କରୋନା ସଂକ୍ରମଣ ପାଇଁ ଲୋକସେବା ଭବନ ପରିସରରେ ଥିବା କନଭେନସନ ହଲ୍‍ରେ ଆଜି ବିଧାନସଭାର ଦିନିକିଆ ଅଧିଶେନ ବସିଥିବାବେଳେ ପରିସ୍ଥିତିର ଗମ୍ଭୀରତାକୁ ଦେଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିଥିବା ଏକ ଲକ୍ଷ ୫୦ହଜାର କୋଟି ଟଙ୍କାର ବଜେଟ୍‍କୁ ଉଭୟ ବିଜେପି ଓ କଂଗ୍ରେସ ସମର୍ଥନ ଦେଇଥିଲେ ।

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆଜି ବଜେଟ୍‍ ପାରିତ ପାଇଁ ଅଧିବେସନ ବସିଥିବାବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅନୁରୋଧ କ୍ରମେ ଉଭୟ ଶାସକ ଓ ବିରୋଧିଦଳରୁ ଅଳ୍ପ ସଂଖ୍ୟକ ବିଧାୟକ ଯୋଗ ଦେଇଥିଲେ । ଅଧିବେଶନ ଆରମ୍ଭ ହେବା ପରେ ୧୫ ମିନିଟ୍‍ ପାଇଁ ଗୃହ ମୁଲତବି ରହିଥିଲା । ଏହାପରେ ଆଲୋଚନା ହୋଇନଥିବା ବିଭାଗ ଗୁଡିକର ଖର୍ଚ୍ଛଦାବି ଗିଲୋଟିନ୍‍ ମାଧ୍ୟମରେ ଗୃହର ସ୍ୱୀକୃତି ଲାଭ କରିଥିଲା ।

ବିଭାଗ ଗୁହିକର ଖର୍ଚ୍ଚଦାବି ଗିଲୋଟିନ୍‍ ମାଧ୍ୟମରେ ପାରିତ ହେବାପରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ୨୦୨୦-୨୧ ବର୍ଷପାଇଁ ଚୂଡାନ୍ତ ବଜେଟ୍‍ ଉପସ୍ଥାପନ କରିଥିଲେ । ଏହାକୁ ବିରୋଧିଦଳ ନେତା ପ୍ରଦୀପ୍ତ ନାୟକ ଓ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ସମର୍ଥନ ଦେବାପରେ ସ୍ୱଳ୍ପ ସମୟ ମଧ୍ୟରେ ତାହା ଗୃହର ଅନୁମୋଦନ ଲାଭ କରିଥିଲା । ବଜେଟ୍‍ ପାରିତ ପରେ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି ।

ଆଜି ଅଧିବେଶନ ଆରମ୍ଭ ପୂର୍ବରୁ ମନ୍ତ୍ରୀ ଓ ବିଧାୟକମାନେ ଲୋକସେବା ଭବନ ପରିସରକୁ ଆସିଥିଲେ । କେତେଜଣ ସଦସ୍ୟ ନିଜେ ଗାଡି ଚଳାଇ ଆସିଥିବାବେଳେ ଅନେକ ମୁହଁରେ ମାସ୍କ ବାନ୍ଧିଥିଲେ । କନ୍‍ଭେନସନ ହଲକୁ ପ୍ରବେଶ କରିବା ପୂର୍ବରୁ ସମସ୍ତେ ସାନିଟାଇଜରରେ ହାତ ଧୋଇଥିଲେ । କର୍ତ୍ତୃପକ୍ଷ ମଧ୍ୟ ଗତ କାଲିଠାରୁ କନଭେନସନ ହଲକୁ ବିଏମ୍‍ସି ଓ ଅଗ୍ନିଶମ ବାହିନୀ ସହାୟତାରେ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରିଥିଲେ ।

ଉଲ୍ଲେଖନୀୟଯେ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବେଜେଟ୍‍ ଅଧିବେସନ ଚାଲିଥିବାବେଳେ ଦେଶରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତମାସ ମାର୍ଚ୍ଚ ୧୩ ତାରିଖରେ ଗୃହକୁ ୨୯ ତାରିଖ ପର୍ଯ୍ୟନ୍ତ ମୁଲତବି ରଖାଯାଇଥିଲା । ଆଜି ବିଧାନସଭା ପରିସରରେ ବଜେଟ୍‍ ଅଧିବେଶନ ବସିବାର ଥିଲେ ମଧ୍ୟ ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ରୋଗୀ ଜଣଙ୍କ ବିଧାନସଭା ପରିସରରେ ଥିବା ଡାକ୍ତରଖାନାରେ ଚିକିତ୍ସିତ ହେବା ସହିତ କିଛି କର୍ମଚାରୀଙ୍କ ସହ ମିଳାମିଶା କରିବା ଜଣାପଡିବାପରେ ସଂକ୍ରମଣ ଭୟରେ ଗୃହକାର୍ଯ୍ୟକୁ ବିଧାନସଭା ପରିବର୍ତ୍ତେ ଲୋକସେବା କନ୍‍ଭେନସନ ହଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ବଜେଟ୍‍ ପାରିତ ପରେ ଗୃହ ବାହାରକୁ ଆସି ବିରୋଧିଦଳ ଦଳ ନେତା ଗଣମାଧ୍ୟମକୁ କହିଥିଲେ ଯେ ଏଭଳି ବିପତ୍ତି ସମୟରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଆବଶ୍ୟକ । ଏଥିପାଇଁ ବଜେଟ୍‍କୁ ଆମେ ସମର୍ଥନ ଦେଇଛୁ । ଏଥି ସହିତ ଓଡିଶା ବାହାରେ ଥିବା ଓଡିଆମାନେ କିଭଳି ରାଜ୍ୟକୁ ଫେରିବେ, ସେଠାରେ ସେମାନଙ୍କ ପାଇଁ ଖାଦ୍ୟ ପେୟର ବ୍ୟବସ୍ଥା, ପ୍ରତ୍ୟେକ ସନ୍ଦିଗ୍ଧଙ୍କ ରକ୍ତ ନମୂନା ପରୀକ୍ଷା ଏବଂ ଲୋକଙ୍କ ବୀମା କରିବାପାଇଁ ବିଜେପି ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।

ସେହିଭଳି କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନିପତି କହିଥିଲେ ଯେ ଲକ୍‍ ଡାଉନ୍‍ ଯୋଗୁଁ ଗାଁ ଗହଳରେ କାମଧନ୍ଦା ହରାଇ ଲୋକେ ଏବେ ଖାଇବାକୁ ପାଉନାହାନ୍ତି । ସେମାନଙ୍କୁ ଖାଦ୍ୟ ଯୋଗାଇବା ସହିତ ଯେଉଁମାନଙ୍କ ନିକଟରେ ରାସନକାର୍ଡ ନାହିଁ ସେମାନେ କିଭଳି ଚାଉଳ ଗହମ ଆଦି ପାଇବେ ତାହାର ବ୍ୟବସ୍ଥା ଲାଗି କୁହାଯାଇଛି । ସେହିଭଳି କରୋନା ମୁକାବିଲାରେ ଆଗରେ ଥିବା ଡାକ୍ତର, ପୁଲିସ୍‍ ଓ ସରକାରୀ କର୍ମଚାରୀଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାପାଇଁ ଦଳ ଦାବି କରିଛିା
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023