କରୋନା ପାଇଁ ଲୋକସେବା ଭବନରେ ସ୍ୱଳ୍ପ ସଂଖ୍ୟକ କର୍ମଚାରୀ ଦପ୍ତର ଆସୁଥିବାବେଳେ ପ୍ରାୟ ୫୦୦ ଜଣ କର୍ମଚାରୀ ଘରେ ବସି ଫାଇଲ୍ କାମ କରୁଛନ୍ତି । ରାଜ୍ୟ ସରକାରଙ୍କ ଓଡିଶା ସେକ୍ରେଟାରୀଏଟ ୱାର୍କଫ୍ଲୋ ଅଟୋମେସନ ସିଷ୍ଟମ (ଓସ୍ୱାସ) ଯୋଗୁଁ ଏହା ସମ୍ଭବ ହୋଇଛି ।
୨୦୦୯-୧୦ ମସିହାରୁ କମ୍ପ୍ୟୁଟର ମାଧ୍ୟମରେ ଫାଇଲ କାର୍ଯ୍ୟ ପାଇଁ ଓସ୍ୱାସ ପ୍ରସ୍ତୁତ ହୋଇଥିବାବେଳେ ବର୍ତ୍ତମାନ ସ୍ଥିତିରେ ତାହା ସରକାରଙ୍କୁ ଏକ ପ୍ରକାର ବଞ୍ଚାଇ ଦେଇଛି । ଯେଉଁ କର୍ମଚାରୀମାନେ ଚାହୁଁଛନ୍ତି ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧିନରେ ଥିବା ଓକାକ୍ ପକ୍ଷରୁ ସେମାନଙ୍କୁ ଭର୍ଚୁଆଲ ପ୍ରାଇଭେଟ ନେଟ୍ୱାର୍କ (ଭିପିଏନ୍) ମାଧ୍ୟମରେ ଲଗ୍ ଇନ୍ ଓ ପାସୱାର୍ଡ ଯୋଗାଇ ଦିଆଯାଉଛି । ନିଜ ଘରେ ଇଣ୍ଟରନେଟ୍ ଓ କମ୍ପ୍ୟୁଟର ଥିବା କର୍ମଚାରୀମାନେ ଏହି ସୁବିଧା ନେବା ସହିତ ଘରେ ବସି ସମସ୍ତ ଫାଇଲ୍ କାମ କରୁଛନ୍ତି ।
ସୂଚନା ଅନୁଯାୟୀ ସେକ୍ସନ ଅଫିସର ଓ ତଦୁର୍ଧ ପାହ୍ୟାର ଅଧିକାରୀଙ୍କୁ ଘରେ ରହି କାମ କରିବାର ଏହି ସୁବିଧା ଯୋଗାଯାଉଛି । ଏଥିପାଇଁ ପ୍ରତ୍ୟେକ ବିଭାଗରେ ନୋଡାଲ ଅଫିସରମାନେ ତାଲିମ ନେବାପରେ ନିଜ ନିଜର ବିଭାଗର କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ସେମାନେ କିଭଳି ଘରେ ବସି କମ୍ପ୍ୟୁଟରରେ ଓସ୍ୱାସ ସଫ୍ଟୱେର ଖୋଲି କାର୍ଯ୍ୟ କରିବେ ତାହାର ତାଲିମ ଦିଆଯାଇଛି । ଫଳରେ ଅଧିକରୁ ଅଧିକ ସଂଖ୍ୟାରେ କର୍ମଚାରୀମାନେ ଏଭଳି ବିପର୍ଯ୍ୟୟ ସମୟରେ ଘରେ ବସି କାମ କରିବାକୁ ପସନ୍ଦ କରୁଛନ୍ତି ।
ଉଲ୍ଲେଖନୀୟ ଯେ କରୋନା ସଂକ୍ରମଣ ଭୟରେ ଯେତେ କମ୍ ସଂଖ୍ୟାରେ କର୍ମଚାରୀ ଦପ୍ତର ଆସିବେ ତାହା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ସରକାରୀ ବିଭାଗ ଗୁଡିକୁ ଜରୁରୀ, ଆଂଶିକ ଜରୁରୀ ଓ ଜରୁରୀ ନଥିବା ଭଳି ତିନିଟି ଭାଗରେ ବିଭକ୍ତ କରାଯାଇଛି । ଜରୁରୀ ନଥିବା ପ୍ରାୟ ୨୫ଟି ବିଭାଗର କର୍ମଚାରୀଙ୍କୁ ଦପ୍ତର ଆସିବାପାଇଁ ମନା କରାଯାଇଥିବାବେଳେ ଆଂଶିକ ଜରୁରୀ ଥିବା ବିଭାଗର କର୍ମଚାରୀମାନେ ଆବଶ୍ୟକ ସ୍ଥଳେ ଦପ୍ତରକୁ ଆସିବା ଓ ଟେଲିଫୋନ୍ରେ ସୂଚନା ଦେବାକୁ କୁହାଯାଇଛି । ସେହିଭଳି ଜରୁରୀ ତାଲିକାରେ ଥିବା ବିଭାଗର କର୍ମଚାରୀମାନଙ୍କ ମଧ୍ୟରୁ ଅଳ୍ପ ସଂଖ୍ୟାରେ ଦପ୍ତର ଆସିବାକୁ କୁହାଯାଇଛି ।
ତେବେ ଓସ୍ୱାସ ସୁବିଧା ଯୋଗୁଁ ଏବେ କର୍ମଚାରୀମାନେ ଦପ୍ତର ନଆସିଲେ ବି ଘରେ ରହି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏହି ସଫ୍ଟୱର ମାଧ୍ୟରେ ଏବେ ଲୋକସେବାଭବନରେ ସମସ୍ତଫାଇଲ କାର୍ଯ୍ୟ ହେଉଥିବାବେଳେ ମନ୍ତ୍ରୀଙ୍କ ଦପ୍ତର ଠାରୁ ସେକ୍ସନ ଅଫିସର ପର୍ଯ୍ୟନ୍ତ ସମସ୍ତେ ଏଥିରେ ଯୋଡିହୋଇ ଯାଇଛନ୍ତି । ସମସ୍ତ ପ୍ରକାର ଫାଇଲ କାର୍ଯ୍ୟ ଏହି ବ୍ୟବସ୍ଥାରେ ସ୍ୱୟଂକ୍ରିୟ ଭାବେ ନିର୍ଦ୍ଧିଷ୍ଟ ସମୟରେ ହୋଇଥାଏ । ବର୍ତ୍ତମାନ ଏହି ସୁବିଧା ନିର୍ଦ୍ଦେଶକ ସ୍ତର ପର୍ଯ୍ୟନ୍ତ ଯାଇଥିବାବେଳେ ଆଗାମୀ ବର୍ଷକ ମଧ୍ୟରେ ଜିଲ୍ଲାସ୍ତରୀୟ ଦପ୍ତର ସହିତ ଲୋକସେବା ଭବନ ସିଧାସଳଖ ଯୋଡିହୋଇଯିବ ବୋଲି ସୂଚନା ମିଳିଛି ।