ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଲକ୍‍ ଡାଉନରେ ରିପୋର୍ଟ ମାଗିଲା ସୁଡା

କରୋନା ମୁକାବିଲା ଲାଗି ସମଗ୍ର ରାଜ୍ୟରେ ଲକ୍‍ ଡାଉନ୍‍ ଘୋଷଣା ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଦିନ ଲୋକଙ୍କୁ ଘରୁ ନବାହାରିବାପାଇଁ ଅନୁରୋଧ କରୁଛନ୍ତି । ହେଲେ ଏଭଳି ସ୍ଥିତିରେ ରାଜ୍ୟ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା ସହରାଞ୍ଚଳ ବିକାଶ ସଂସ୍ଥା (ସୁଡା) ବିଭିନ୍ନ ସଂସ୍ଥା ଗୁଡିକକୁ ଏପ୍ରିଲ ୬ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ କହିଛି ।

ସୁଡା କର୍ତ୍ତୃପକ୍ଷଙ୍କ ଏଭଳି ବେପରୁଆ କାର୍ଯ୍ୟ ଏବେ ପ୍ରଶାସନିକ ସ୍ତରରେ ଆଲୋଡନ ସୃଷ୍ଟି କରିଛି । ଏ ସଂକ୍ରାନ୍ତରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଓ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ ଅବଗତ ଅଛନ୍ତି କି ନାହିଁ ତାହାକୁ ନେଇ ବି ଆଲୋଚନା ହେଉଛି ।

ସହରାଞ୍ଚଳରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ପଞ୍ଜିକୃତ କରିବା ସହିତ ସେମାନଙ୍କର ବ୍ୟାଙ୍କ୍‍ ଆକାଉଣ୍ଟ ଖୋଲିବା ଓ ବିିଭିନ୍ନ ପ୍ରକାର ତାଲିମ ପ୍ରଦାନ କରି ଆତ୍ମନିର୍ଭରଶୀଳ କରିବାପାଇଁ ସୁଡା ପକ୍ଷରୁ ଯୋଜନା କାର୍ଯ୍ୟକାରୀ କରାଯାଉଛି । ବିଭିନ୍ନ ସହାରାଞ୍ଚଳରେ ଏହି କାର୍ଯ୍ୟ ବେସରକାରୀ ସଂଗଠନ ଗୁଡିକ ସହାୟତାରେ ହେଉଛି । ୨୦୧୮ ମସିହାରୁ ଚାଲୁଥିବା ଏହି ପ୍ରକଳ୍ପ ଅବଧିକୁ ଚଳିତ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ତେବେ ଇତି ମଧ୍ୟରେ କରୋନା ମୁକାବିଲା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସମଗ୍ର ଦେଶକୁ ଲକ୍‍ ଡାଉନ୍‍ ଘୋଷଣା କରିଛନ୍ତି । ଲୋକଙ୍କୁ ଘରୁ ନବାହାରିବାପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ହାତଯୋଡି ଅନୁରୋଧ କରୁଛନ୍ତି । ସରକାରଙ୍କ ଅନେକ ବିଭାଗ କର୍ମଚାରୀଙ୍କୁ ଦପ୍ତର ଆସିବାକୁ ବାରଣ ହୋଇଥିବାବେଳେ ଜରୁରୀ ବିଭାଗର ହାତ ଗଣତି କିଛି କର୍ମଚାରୀ ଦପ୍ତର ଆସୁଛନ୍ତି । ପରିଚୟପତ୍ର କିମ୍ବା ପାସ୍‍ ନଥିଲେ ଘରୁ ବାହାରୁଥିବା ଲୋକଙ୍କ ଉପରେ ପୁଲିସ୍‍ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ଏଭଳି ସ୍ଥିତିରେ କିନ୍ତୁ ସୁଡା କର୍ତ୍ତୃପକ୍ଷ ବିଭିନ୍ନ ସଂଗଠନ ଗୁଡିକୁ ଫର୍ମାଟ ପଠାଇ ଇ-ମେଲ୍‍ ଯୋଗେ ଏପ୍ରିଲ୍‍ ୬ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ ଲାଗି କହିଛନ୍ତି । ଲକ୍‍ ଡାଉନ୍‍ ଉଠିଲା ପରେ ଏହି ରିପୋର୍ଟ ଉପରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ତେବେ ଯେତେବେଳେ ସମଗ୍ର ରାଜ୍ୟ ଅଚଳ, ବିଭାଗରେ ହାତ ଗଣତି କମର୍ଚାରୀ ଆସୁଛନ୍ତି ସେତେବେଳେ କର୍ତ୍ତୃପକ୍ଷ କିଭଳି ରିପୋର୍ଟ ମାଗିଲେ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ରିପୋର୍ଟ ପ୍ରସ୍ତୁତ ସାରିଥିବା ସଂସ୍ଥା ବି ତାହା ପ୍ରଦାନ କରିପାରୁ ନାହାନ୍ତି । ଏ ସଂକ୍ରାନ୍ତରେ ମତ ଦେଇ ଗୋଟିଏ ସଂସ୍ଥାର କର୍ମକର୍ତ୍ତା କହିଛନ୍ତି ଯେ ବର୍ତ୍ତମାନ ତାଙ୍କ ଅଫିସ୍‍ ଛୁଟି ଥିବାରୁ କର୍ମଚାରୀ ନାହାନ୍ତି । ତେଣୁ ସୁଡା କର୍ତ୍ତୃପକ୍ଷ ପଠାଇଥିବା ଫର୍ମାଟ ପୂରଣ କରିବା ସମ୍ଭବ ନୁହେଁ । ଲକ୍‍ ଡାଉନ୍‍ ଉଠିବାପରେ କର୍ମଚାରୀ ଆସିଲେ ଏ ଦିଗରେ କାମ ଆରମ୍ଭ ହୋଇପାରିବ ।

ତେଣୁ ଏଭଳି ସ୍ଥିତିରେ ରିପୋର୍ଟ ଦେବାପାଇଁ ଫତୁଆ ଜାରି କରିଥିବା ଅଧିକାରୀଙ୍କ କାର୍ଯ୍ୟକୁ ଅନେକ ନାପସନ୍ଦ କରିବା ସହିତ ଆର୍ଥିକ ବର୍ଷର ଅବଧି ବୃଦ୍ଧି ପାଇଥିବାରୁ କଟକଣା ହଟିବାପରେ ଏଭଳି ନିର୍ଦ୍ଦେଶ ଦେଇଥିଲେ ଭଲ ହୋଇଥାନ୍ତା ବୋଲି କିଛି ସଂସ୍ଥା କହିବା ସହିତ ଏଭଳି କାର୍ଯ୍ୟରେ ବିଭାଗୀୟ ମନ୍ତ୍ରୀ କିମ୍ବା ସଚିବ ହସ୍ତକ୍ଷେପ ପାଇଁ ମତ ଦେଇଛନ୍ତି ।
 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023