କରୋନା ରୋକିବାପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ଲକ ଡାଉନ୍ ଲାଗୁ କରିଥିବାବେଳେ ଏଥିପ୍ରତି ଜନ ସମର୍ଥନ ରହିଥିଲେ ମଧ୍ୟ କିଛି ଅମାନିଆ ଲୋକ ଏହି କଟକଣା ମାନିବାକୁ ପ୍ରସ୍ତୁତ ନୁହନ୍ତି । ପୁଲିସ୍ ଓ ପ୍ରଶାସନକଳ ବୁଝାସୁଝା କରି ହାଲିଆ ହେବାପରେ ଏବେ ଏହି ଅମାନିଆମାନଙ୍କୁ ବାଟକୁ ଆଣିବାକୁ କଡା ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏଥିରେ ୨୪ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନ୍ୟୁନ ୩୨୪ଟି ଫୌଜଦାରୀ ମାମଲା ରୁଜୁ ହୋଇଛି ।
ଏଠାରେ ଉଲ୍ଲେଖନୀୟ ଯେ ଏଯାବତ୍ କରୋନାର ଚିକିତ୍ସା ଓ ପ୍ରତିଷେଧ ଲାଗି କୌଣସି ନିର୍ଦ୍ଧିଷ୍ଟ ଔଷଧ ବାହାରି ନାହିଁ । ଭାରତ ସମେତ ବିଶ୍ୱର ପ୍ରାୟ ୨୦୦ ରାଷ୍ଟ୍ରରେ କରୋନା ବ୍ୟାପିଥିବାବେଳେ ଏହାକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରାଯାଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ଅନୁରୂପ ଘୋଷଣା କରିଛନ୍ତି । ସମଗ୍ର ବିଶ୍ୱରେ ଏଯାବତ୍ ୬ଲକ୍ଷରୁ ଅଧିକ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଥିବାବେଳେ ପାଖାପାଖି ୨୮ହଜାର ଲୋକ ମୃତ୍ୟୁବରଣ କଲେଣି ।
ଭାରତରେ ଏଯାବତ୍ ୯୦୮ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଓଡିଶାରେ ଏହି ସଂଖ୍ୟା ୩ରେ ସୀମିତ ରହିଛି । ସାରା ଦେଶରେ ଆଜି ସୁଦ୍ଧା ଅନ୍ୟୁନ ୨୫ଜଣଙ୍କର ମୃତ୍ୟୁ ଘଟିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାର୍ଗ ନିର୍ଦ୍ଦେଶିକା ଅନୁଯାୟୀ ସାମାଜିକ ଦୂରତ୍ୱ ହିଁ କରୋନା ପ୍ରତିରୋଧର ଏକ ମାତ୍ର ଉପାୟ । ତେଣୁ ଭାରତ ସମେତ ଅନେକ ରାଷ୍ଟ୍ରରେ ଲକ୍ ଡାଉନ୍ ଚାଲିଛି ।
ପ୍ରଥମ ପର୍ଯ୍ୟାୟରେ ପ୍ରଶାସନ ଓ ପୁଲିସ୍ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବା ଫଳରେ ଭୟଙ୍କର ସମ୍ଭାବ୍ୟ ବିପତ୍ତି ଦୃଷ୍ଟିରୁ ବହୁ ଲୋକ ତାକୁ ପାଳନ କରୁଛନ୍ତି । ତେବେ କେତେକ ସ୍ଥାନରେ ଅଳ୍ପ କିଛି ଲୋକ ଲକ ଡାଉନ୍ ନମାନିବା ଯୋଗୁଁ ପୁଲିସ୍ କେଉଁଠି ଏଭଳି ଲୋକଙ୍କୁ ଗୋଡେଇ ଗୋଡେଇ ପିଟିଲା ତ ଆଉ କେଉଁଠି ସେମାନଙ୍କୁ ରାସ୍ତାରେ କାନ ଧରି ବସ୍ଉଠୁ କରାଇବା ସହିତ ଖରାରେ ନେଇ ଆଣ୍ଠେଇଲା । ଏହାଛଡା ଉଲ୍ଲଙ୍ଘନକାରୀମାନଙ୍କ ଗାଡି ମଧ୍ୟ ଜବତ କରୁଛି ।
ଏଭଳି ଉଲ୍ଲଙ୍ଘନକାରୀମାନଙ୍କ ବିରୁଦ୍ଧରେ ଏଯାବତ୍ ହଜାରେରୁ ଅଧିକ ମାମଲା ଦରଜ ହୋଇଥିବାବେଳେ କେବଳ ଗତ ୨୪ଘଣ୍ଟା ମଧ୍ୟରେ ୩୨୪ଟି ମାମଲା ରୁଜୁ ହୋଇଥିବା ଜଣାପଡିଛି । ଆଶା କରାଯାଉଛି ଯେ ଆଗାମୀ ମାସେ ଦୁଇମାସ ମଧ୍ୟରେ କରୋନା ଆହୁରି ଭୟଙ୍କର ରୂପ ନେବ । ଯେଉଁଥିରେ ଓଡିଶାର ୩୬ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇ ପାରନ୍ତି ।