କରୋନା ଯୋଗୁଁ ରାଜ୍ୟରେ ସାର ସଙ୍କଟ ଉପୁଜିବାର ଆଶଙ୍କା ସୃଷ୍ଟି ହୋଇଛି । ଏହାର ଗୁରୁତର ପ୍ରଭାବ କୃଷି ଉତ୍ପାଦନ ଉପରେ ପଡିବାର ସମ୍ଭାବନା ଦେଖା ଦେଇଛି । ସମଗ୍ର ଦେଶରେ ଲକ୍ ଡାଉନ୍ ଯୋଗୁଁ ସାର ଉତ୍ପାଦନ ଠାରୁ ଆରମ୍ଭ କରି ବିତରଣ ପର୍ଯ୍ୟନ୍ତ ସବୁଠି ଶ୍ରମିକ ଅଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
ଯଦିଓ ବର୍ତ୍ତମାନ ସାର ଉତ୍ପାଦନ ଓ ରେଳ ଯୋଗେ ଏହାର ପରିରବହନ କିଛି ପରିମାଣରେ ଚାଲିଛି କିନ୍ତୁ ରାକ୍ ପଏଣ୍ଟରେ ଏହାକୁ ଖଲାସ କରାଯାଇ ପାରୁନାହିଁ । ସାର କମ୍ପାନୀମାନେ ଏ ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । କେଉଁଠି ଲକ ୍ଡାଉନ୍ର ପ୍ରଭାବ ତ ଆଉ କେଉଁଠି ୧୪୪ଧାରା ଜାରି ଯୋଗୁଁ ଶ୍ରମିକ ମିଳୁନାହାନ୍ତି । ସେହିଭଳି ଶ୍ରମିକ ଅଭାବ ଯୋଗୁଁ କେତେକ ସ୍ଥାନରେ ଉତ୍ପାଦନ ବ୍ୟାହତ ସହିତ ବନ୍ଦର ଗୁଡିକରେ ସାର ପରିବହନ ହୋଇପାରୁ ନାହିଁ ।
ଏଭଳି ସ୍ଥିତିରେ ତଳ ସ୍ତରରେ ଉପୁଜିଥିବା ପରିସ୍ଥିତିରେ ହସ୍ତକ୍ଷେପ ସହିତ ଚାଷୀଙ୍କ ନିକଟରେ ସୁରୁଖୁରୁରେ କିଭଳି ସାର ପହଞ୍ଚିବ ସେ ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ ଅନୁରୋଧ କରିଛନ୍ତି । କେନ୍ଦ୍ର ରସାୟନ ସଚିବ ଛବିଳେନ୍ଦ୍ର ରାଉଲ ସାର ମହଜୁଦ ନେଇ ରାଜ୍ୟ ଗୁଡିକ ସହିତ ଭିଡିଓ କନଫରେନ୍ସି ମାଧ୍ୟମରେ ଆଲୋଚନା କରିଛନ୍ତି । କେନ୍ଦ୍ର ସାର ବିଭାଗ ପକ୍ଷରୁ ପ୍ରତି ମାସରେ କୃଷି ଚାହିଦାକୁ ଦୃଷ୍ଟିରେ ରଖି ସାର ଯୋଗାଣ କରାଯାଇଥାଏ । ତଦନୁଯାୟୀ ଏପ୍ରିଲ ମାସପାଇଁ ବିଭାଗ ପକ୍ଷରୁ ତାଲିକା ଜାରି ହୋଇଛି । ଗୋଟିଏ ପଟେ ସାର ପରିବହନ ନେଇ ସମସ୍ୟା ଥିବାବେଳେ ଅନ୍ୟ ପଟେ କରୋନା ଯୋଗୁଁ ରାଜ୍ୟ ଗୁଡିକର ସାର ଚାହିଦା ହ୍ରାସ ପାଇବାର ଆଶଙ୍କା କରାଯାଉଛି ।.
ସାର ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ଥିବାବେଳେ ଉତ୍ପାଦନ ସ୍ଥାନରୁ ବନ୍ଦର ବାଟ ଦେଇ ଏହା ଚାଷୀଙ୍କ ନିକଟରେ ସୁରୁଖୁରେ ପହଞ୍ଚିବା ଆବଶ୍ୟକ ବୋଲି ଶ୍ରୀ ରାଉଲ କହିଛନ୍ତି । ଯଦି କୌଣସି ଠାରେ ପରିବହନରେ ବାଧା ଉପୁଜିଲା ତେବେ ଏହା ପୂରା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବ ଏବଂ ଏହାକୁ ଭରଣା କରିବା କଷ୍ଟକର ହୋଇପଡିବ । ଯଦିଓ ସାର ବ୍ୟବହାର ମାତ୍ର ଦୁଇମାସ ହୋଇଥାଏ କିନ୍ତୁ ସୀମିତ ଉତ୍ପାଦନ ଓ ପରିବହନ କ୍ଷମତା ମଧ୍ୟରେ ବହୁ ପୂର୍ବରୁ ଏହାକୁ ମହଜୁଦ ରଖିବାକୁ ପଡିଥାଏ । ସାର ଅଭାବ ଦେଖାଦେଲେ ଅନେକ ସ୍ଥାନରେ ଏହାର କଳାବଜାରୀ ହୋଇଥାଏ ।
ତେଣୁ ଏଥିପାଇଁ ବିସ୍ତୃତ ରୋଡ ମ୍ୟାପ୍ ପ୍ରସ୍ତୁତ ଲାଗି କେନ୍ଦ୍ରୀୟ ସଚିବ କହିଛନ୍ତି । ରାଜ୍ୟ କୃଷି ବିଭାଗ କେତେ ସାର ଆବଶ୍ୟକ ତାହା ଜଣାଇବା ସହିତ ପ୍ରତି ମାସରେ ରେକ ପଏଣ୍ଟ ଠାରୁ ସାର ଗ୍ରହଣ କରି ଖୁଚୁରା ଦୋକାନରେ ପହଞ୍ଚାଇବାପାଇଁ ସେ ଅନୁରୋଧ କରିଛନ୍ତି । ସାର ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ଥିବାରୁ ଉତ୍ପାଦନ ଠାରୁ ବନ୍ଦର, ରେଳ ଓ ଟ୍ରକରେ ପରିବହନ ହୋଇ ଖୁଚୁରା ବିକ୍ରୟ କେନ୍ଦ୍ର ପର୍ଯ୍ୟନ୍ତ ଏହା କିଭଳି ସୁରୁଖୁରେ ପହଞ୍ଚିବ ସେ ଦିଗରେ ଅଧିକାରୀମାନେ ପଦକ୍ଷେପ ନେବାକୁ କେନ୍ଦ୍ରୀୟ ସଚିବ କହିଛନ୍ତି ।