କରୋନା ଲକ୍ ଡାଉନ୍ ସମୟରେ ରାଜ୍ୟ ରାଜପଥ ଠାରୁ ଆରମ୍ଭ କରି ଜାତୀୟ ରାଜପଥ ପର୍ଯ୍ୟନ୍ତ ଶହ ଶହ ଟ୍ରାକ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବାବେଳେ ରାସ୍ତାକଡ ଗ୍ୟାରେଜ ଗୁଡିକ ବନ୍ଦ ଥିବାରୁ ଗାଡି ଖରାପ ହେଲେ ଡ୍ରାଇଭରମାନେ ହଇରାଣ ହରକତ ହେଉଛନ୍ତି । ତେଣୁ ଏଭଳି ଗାଡି ଗୁଡିକୁ ସେବା ଯୋଗାଇବା ଲାଗି ଟାଟା ମୋଟର୍ସ ଆଗେଇ ଆସିଛି ।
ଲକ୍ ଡାଉନ୍ ସମୟରେ ମାଲ ନେଇ ଯାଉଥିବା ଗାଡି ଗୁଡିକ ଖରାପ ହେଲେ ଡ୍ରାଇଭରମାନେ ଏହାକୁ ମରାମତି କରିପାରୁ ନାହାନ୍ତି । ରାଜ୍ୟ ସରକାର ରାସ୍ତାକଡ ଢାବା ଓ ଗ୍ୟାରେଜ ଗୁଡିକ ଖୋଲିବାପାଇଁ ସବୁଜ ସଙ୍କେତ ଦେଇଥିଲେ ବି ସମସ୍ୟା ଲାଗି ରହିଛି । ଏଭଳି ସ୍ଥିତିକୁ ଦେଖି ଟାଟା ମୋଟର୍ସ ପକ୍ଷରୁ ତାହାର ସେବାର ଉପଯୋଗ ଲାଗି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବା ଜଣାଯାଇଛି । କରୋନା ମୁକାବିଲା ଲାଗି ସରକାର ଘୋଷଣା କରିଥିବା ୨୧ଦିନିଆ ଲକ୍ଡାଉନ୍ ସପକ୍ଷରେ ଟାଟା ମୋଟର୍ସ ରହିଥିଲେ ମଧ୍ୟ ଔଷଧ, କ୍ଷୀର, ମାଛ, ମାଂସ, ପନିପରିବା, ଫଳ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନ କରୁଥିବା ଗାଡି ଗୁଡିକ ଯେଭଳି ହଇରାଣ ନହେବେ ସେଥିପାଇଁ ତାହାର ସେବା ଯୋଗାଇ ଦେବାକୁ ଆଗେଇ ଆସିଛି ।
ଏହାଛଡା ଆମ୍ବୁଲାନ୍ସ, ପୁଲିସ୍ ଗାଡି, ଅଗ୍ନିଶମ ଗାଡି ଯଦି କୌଣସି ସ୍ଥାନରେ ଖରାପ ହେବ ତେବେ ତାହାର ମରାମତି ଲାଗି ଟାଟା ମୋଟର୍ସର ୱାର୍କସପ୍ ବ୍ୟବହାର ଲାଗି କୁହାଯାଇଛି । ତଦନୁଯାୟୀ ପ୍ରତ୍ୟେକ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଟାଟା ମୋଟର୍ସ କର୍ମଚାରୀ ଓ ସେମାନଙ୍କ ଫୋନ୍ ନମ୍ବର ସଂକ୍ରାନ୍ତରେ ସୂଚନା ଦିଆଯାଇଛି । ଲୋକେ ଯେଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ନେଇ ଭୟଭୀତ ନହେବେ ସେଥିପାଇଁ ଏହି ପ୍ରକାର ସାମଗ୍ରୀ ପରିବହନ କରୁଥିବା ଗାଡି ଗୁଡିକୁ ସେବା ଯୋଗାଣରେ ଅଗ୍ରାଧିକାର ପ୍ରଦାନ କରାଯିବ ।
ସେହିଭଳି ମଝିରାସ୍ତାରେ ଖରାପ ହୋଇ ପଡୁଥିବା ଗାଡି ଗୁଡିକୁ ସାନିଟାଇଜ୍ଡ କରିବା ସହିତ ଗାଡିଚାଳକମାନଙ୍କୁ ମାସ୍କ ଓ ସାନିଟାଇଜର ଯୋଗାଇ ଦେବାକୁ ଟାଟା ମୋଟର୍ସ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଏଥିପାଇଁ ଟାଟା ମୋଟର୍ସର ଟିମ୍ ପ୍ରସ୍ତୁତ ରହିଛନ୍ତି । ତଦନୁଯାୟୀ ସମସ୍ତ ଜିଲ୍ଲାପାଳ, ଏସ୍ପି, ଆରଟିଓମାନଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଟାଟା ମୋଟର୍ସ ଓ ଏହାର ସହଯୋଗୀ ସଂସ୍ଥାର ୪୦ଟିରୁ ଅଧିକ ୱାର୍କସପ୍ ରହିଛି ।