ଗ୍ରାମାଞ୍ଚଳରେ କରୋନା ନିୟନ୍ତ୍ରଣ ପାଇଁ ପଞ୍ଚାୟତ ସ୍ତରରେ ରାଜ୍ୟ ସରକାର ୭୨୦୦ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିଛନ୍ତି । ପଞ୍ଚାୟତ ଗୁଡିକର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ କାମ କରିବ । ବିଶେଷକରି ବିଦେଶରୁ ଓ ବାହାର ରାଜ୍ୟରୁ ଓଡିଶା ଫେରିଥିବା ଲକ୍ଷାଧିକ ଲୋକଙ୍କ ଉପରେ ନଜର ରଖି ଆବଶ୍ୟକ ସ୍ଥଳେ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଏହି କେନ୍ଦ୍ର ଗୁଡିକରେ ରଖାଯିବ ।
ସାରା ଦେଶରେ ଆଜି ସୁଦ୍ଧା ୭୫୩ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନିତ କରାଯାଇଥିବାବେଳେ ୨୦ଜଣ ମଲେଣି । ତେବେ ଓଡିଶାରେ ଏଯାବତ୍ ମାତ୍ର ୩ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରି ସରକାରୀ ଡାକ୍ତରଖାନାରେ ରଖାଯାଇଛି । ଏହି ୩ଜଣ ଯାକ ରାଜଧାନୀ ଭୁବନେଶ୍ୱରର । ଆଗାମୀ ଦିନରେ ବିଶ୍ୱ, ଦେଶ ତଥା ରାଜ୍ୟ ପାଇଁ କରୋନା ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ଥିବା ପରିପ୍ରେକ୍ଷୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନା ନିୟନ୍ତ୍ରଣ ପାଇଁ ଅଗ୍ରାଧିକାର ଦେଉଛନ୍ତି ।
ଚୀନ୍, ଜର୍ମାନ, ଇଟାଲୀ, ଆମେରିକା, ଇରାନ ଭଳି ଦେଶରେ କରୋନା ଭୟଙ୍କର ମହାମାରୀ ରୂପ ନେଇଥିବାବେଳେ ତ୍ୱରିତ ପ୍ରତିଷେଧ ବ୍ୟବସ୍ଥା ଗ୍ରହଣ କରିଥିବାରୁ ତାଇୱାନ ଓ ସିଙ୍ଗାପୁର ଆଦି ଏଯାବତ୍ କରୋନା ଆକ୍ରମଣରୁ ମୁକ୍ତ ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡିଶାରେ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ହାତକୁ ନିଆଯାଇଛି । ତେବେ କେତେକ ସ୍ଥଳରେ ଲୋକେ ଅମାନିଆ ହେଉଥିବାରୁ ପୁଲିସ୍ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେଉଛି ।
ବିଶ୍ୱର ଏକ ନମ୍ବର ରାଷ୍ଟ୍ର ଭାବେ ଦାବି କରୁଥିବା ଯୁକ୍ତରାଷ୍ଟ୍ର ଆମେରିକାରେ ଏବେ ପରିସ୍ଥିତି ଭୟଙ୍କର ରୂପ ନେଉଛି । ସେଠାକାର ଇନ୍ଷ୍ଟିଟ୍ୟୁଟ ଅଫ୍ ହେଲ୍ଥ ମେଟ୍ରିକ୍ସ ଆଣ୍ଡ ଇଭାଲୁଏସନ ଏବଂ ସୋସାଇଟି ଅଫ କ୍ରିଟିକାଲ କେୟାର ମେଡିସିନ ଆଦି ଗବେଷଣା ସଂସ୍ଥାଙ୍କ ଆକଳନ ଅନୁଯାୟୀ ପରିସ୍ଥିତିକୁ ନିୟନ୍ତ୍ରଣକୁ ନଆସିଲେ ୪ମାସ ଭିତରେ ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ୮୦ହଜାରକୁ ଟପିଯାଇପାରେ । ସବୁଠାରୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଉଥିବା ଆମେରିକାର ଡାକ୍ତରଖାନା ଗୁଡିକରେ ଏଥିପାଇଁ ପ୍ରାୟ ୫୦ହଜାର ଶଯ୍ୟା ନିଅଣ୍ଟ ପଡିବ । ସେହିପରି ଆଇସିୟୁ ଗୁଡିକରେ ମଧ୍ୟ ୧୫ହଜାର ପାଖାପାଖି ଶଯ୍ୟା ନିଅଣ୍ଟ ପଡିବ ବୋଲି ଏହି ସଂସ୍ଥା ତାହାର ସର୍ବଶେଷ ରିପୋର୍ଟରେ ଗତକାଲି ସତର୍କ କରାଇ ଦେଇଛି ।
ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ଅନେକ ଆର୍ନ୍ତଜାତିକ ସଂସ୍ଥା କରୋନା ପରିପ୍ରେକ୍ଷୀରେ ବିଭିନ୍ନ ଅଞ୍ଚଳ ଉପରେ ନଜର ରଖିଛନ୍ତି । କେବଳ ଆମେରିକାରେ କରୋନାରେ ୧୩୦୦ ରୁ ଅଧିକ ଲୋକ ମରିଥିବାବେଳେ ୮୫ହଜାରରୁ ଅଧିକ ସଂକ୍ରମିତ ହୋଇସାରିଥିବା କୁହାଯାଇଛି । ଏ ପରିପ୍ରେକ୍ଷୀରେ ଭାରତ ଯେଭଳି କରୋନା ମୁକାବିଲା ପାଇଁ ସଙ୍କଳ୍ପବଦ୍ଧ ଭାବେ କାର୍ଯ୍ୟ କରୁଛି ତାହାକୁ ଆର୍ନ୍ତଜାତିକ ସଂସ୍ଥାମାନେ ତାରିଫ କରୁଛନ୍ତି । ଓଡିଶା, ଦିଲ୍ଲୀ ଓ କେରଳର ରାଜ୍ୟ ସରକାରମାନେ ଏ କ୍ଷେତ୍ରରେ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।