ଲକ୍ଡାଉନ ଯୋଗୁଁ କରୋନା ମୁକାବିଲା ପାଇଁ ଆବଶ୍ୟକ ପଡୁଥିବା ଅନେକ ଡାକ୍ତରୀ ସାମଗ୍ରୀ ବୁଣାଯାଇ ପାରୁନାହିଁ । ଏଥିପାଇଁ ସମଗ୍ର ଦେଶରେ ଏବେ ଏନ୍-୯୫ ଭଳି ମାସ୍କର ଘୋର ଅଭାବ ଦେଖାଦେଇଛି ।
କେନ୍ଦ୍ର ବୟନଶିଳ୍ପ ସଚିବ ରବି କାପୁର ଏହି ପ୍ରସଙ୍ଗ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣିବା ସହିତ ଡାକ୍ତରଖାନାରେ ଆବଶ୍ୟକ ପଡୁଥିବା ସାମଗ୍ରୀ ଗୁଡିକ କିଭଳି ସୁରୁଖୁରୁରେ ବୁଣାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ରୀୟ ରାଷ୍ଟ୍ରାୟତ ସଂସ୍ଥା ଏଚ୍ଏଲ୍ଏଲ୍ ଲାଇଫକେୟାର ଦେଶର ବିଭିନ୍ନ ରାଜ୍ୟପାଇଁ ପାଇଁ ଆବଶ୍ୟକ ସାମଗ୍ରୀ ଖରିଦ କରିଥାଏ । କେନ୍ଦ୍ରୀୟ ସ୍ତରରେ ଖରିଦ ସାମଗ୍ରୀ ଲାଗି ଏହି ସଂସ୍ଥା ବିଭିନ୍ନ ସମୟରେ ରାଜ୍ୟ ଗୁଡିକୁ ବରାଦ ଦେଇଥାଏ ।
କିନ୍ତୁ କରୋନା ଲକ ଡାଉନ୍ ଯୋଗୁଁ ବିଭିନ୍ନ ରାଜ୍ୟରୁ ଆସୁଥିବା ପୋଷାକ (ବଡି କୋଭେରଲ୍ସ), ଏନ୍-୯୫ ମାସ୍କ ଏବଂ ୨/୩ ପ୍ଲାଏ ମାସ୍କ ଆଦି ଏଚ୍ଏଲ୍ଏଲ୍କୁ ସହଜରେ ମିଳିପାରୁ ନାହିଁ । ବର୍ତ୍ତମାନ କରୋନା ମୁକାବିଲା ପାଇଁ ଯେଉଁ ଯୁଦ୍ଧ ଆରମ୍ଭ ହୋଇଛି ସେଥିରେ ଦେଶର ସମସ୍ତ ଅଞ୍ଚଳର ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ ଆବଶ୍ୟକ ପଡୁଛି । କଟକଣା ଯୋଗୁଁ ପ୍ରାୟ ସଂଖ୍ୟାଧିକ ରାଜ୍ୟରେ ଏହି ଧରଣର ସାମଗ୍ରୀର ଉତ୍ପାଦନ ବ୍ୟାହତ ହୋଇଛି । ବିଭିନ୍ନ ରାଜ୍ୟରୁ ଆସୁଥିବା ବରାଦ ଅନୁଯାୟୀ ସାମଗ୍ରୀ ଯୋଗାଇବା ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି ।
ବୃଦ୍ଧି ପାଉଥିବା ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ଗୁଡିକୁ କିଭଳି ସୁରୁଖୁରୁରେ ସାମଗ୍ରୀ ଯୋଗାଣ କରାଯିବା ତାହା ଉପରେ ପଦକ୍ଷେପ ଗ୍ରହଣ କରାଯାଉଛି । ବିଭିନ୍ନ ଆନୁସଙ୍ଗିକ ସାମଗ୍ରୀ ବିଶେଷକରି ସ୍ପୁନବଣ୍ଡ ଓ ମେଲ୍ଟଡାଉନ ଫାବ୍ରିକ୍ସ ଆଦି ବିଭିନ୍ନ ରାଜ୍ୟରେ ପହଞ୍ଚିବାରେ ସମସ୍ୟା ଦେଖାଦେଉଛି । ଏହା ଗୁରୁତର ସମସ୍ୟା ସୃଷ୍ଟି କରୁଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ତେଣୁ ମେଡିକାଲ ସାମଗ୍ରୀ ଉତ୍ପାଦନରେ ବ୍ୟବହୃତ କଞ୍ଚାମାଲ ଯେଭଳି ସୁରୁଖୁରୁରେ ପରିବହନ ହୋଇପାରିବ ତାହା ଉପରେ ଦୃଷ୍ଟି ଦେବାପାଇଁ କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ ଅନୁରୋଧ କରିଛନ୍ତି ।
ଇତି ମଧ୍ୟରେ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟକୁ ଏନ୍-୯୫ ମାସ୍କ, ପୋଷାକ (ବଡି କୋଭେରାଲ୍ସ) ଏବଂ ମେଲ୍ଟଡାଉନ୍ ଫାବ୍ରିକ୍ସ ଭଳି ଡାକ୍ତରୀ ସାମଗ୍ରୀ ଯେଭଳି ସୁରୁଖୁରୁରେ ଉତ୍ପାଦନ ସହିତ ବିତରଣ ହୋଇପାରିବ ତାହାର ପରିଚାଳନା ପାଇଁ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଜରୁରୀ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି । ମନ୍ତ୍ରାଳୟର ଯୁଗ୍ମ ସଚିବ ନିହାର ରଞ୍ଜନ ଦାସ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ନିୟନ୍ତ୍ରଣ କକ୍ଷରେ ସମନ୍ୱୟ ରକ୍ଷା କରୁଛନ୍ତି ।