କରୋନା ମୁକାବିଲା ପାଇଁ ଆବଶ୍ୟକ ପଡୁଥିବା ଜରୁରୀ କାଳୀନ ମେଡିକାଲ ସାମଗ୍ରୀ ଯୋଗାଣ କରୁଥିବା କମ୍ପାନୀ ଗୁଡିକ ଲାଗି ସରକାର ଘୋଷଣା କରିଥିବା ପ୍ରୋତ୍ସାହନ ରାଶି ବ୍ୟବସ୍ଥା କାମ ଦେଇଛି । ଏଥିଯୋଗୁଁ ରାଜ୍ୟ ଔଷଧ ନିଗମକୁ ଆଗତୁରା ଭାବେ ୧୦୦୦ ଟି ବ୍ୟକ୍ତିଗତ ସୁରକ୍ଷା କିଟ୍ ମିଳିପାରିଛି । ନିଗମ କର୍ତ୍ତୃପକ୍ଷ ବି ଘୋଷଣା ମୁତାବକ ପ୍ରୋତ୍ସାହନ ରାଶି ବାବଦକୁ ୫ଲକ୍ଷ ୧୭ହଜାର ଟଙ୍କା ଦେଇଛନ୍ତି ।
ସୂଚନା ଅନୁଯାୟୀ ଏହି କିଟ୍ ଯୋଗାଣ ପାଇଁ ଅର୍ଡର ନେଇଥିବା ସଂସ୍ଥା ପ୍ରୋତ୍ସାହନରାଶି ବାବଦରେ ସୂଚନା ପାଇବାପରେ ଏହି ୭ଦିନ ମଧ୍ୟରେ ତାହାର ସାମଗ୍ରୀ ଯୋଗାଣ କରି ମୋଟ୍ ରାଶିର ୫୦ ପ୍ରତିଶତ ଅର୍ଥ ପ୍ରୋତ୍ସାହନ ରାଶି ବାବଦରେ ହାସଲ କରିଛି ।
ସରକାର ଏବେ କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଆବଶ୍ୟକ ପଡୁଥିବା ସାଜ ସରଞ୍ଜାମ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ତଦନୁଯାୟୀ ଏହାକୁ ଯୋଗାଣ କରୁଥିବା ସଂସ୍ଥା ଗୁଡିକ କିଭଳି ପ୍ରତିଯୋଗିତାମୂଳକ ଭିତ୍ତିରେ ସାମଗ୍ରୀ ଦେବେ ସେଥିପାଇଁ ସରକାର ନିଜଆଡୁ ପ୍ରୋତ୍ସାହନ ରାଶି ବ୍ୟବସ୍ଥା ଘୋଷଣା କରିଛନ୍ତି ।
ଏହି ଘୋଷଣା ଅନୁଯାୟୀ ସପ୍ତାହକ ମଧ୍ୟରେ ଯୋଗାଣ ପାଇଁ ୫୦ ପ୍ରତିଶତ, ୧୫ ଦିନ ମଧ୍ୟରେ ଯୋଗାଣ ପାଇଁ ୨୫ ପ୍ରତିଶତ ଓ ମାସକ ମଧ୍ୟରେ ଯୋଗାଣ ପାଇଁ ୧୦ ପ୍ରତିଶତ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଅନୁରୂପ ଭାବରେ ଉପକରଣ ପରିବହନ ବାବଦରେ ସମସ୍ତ ଖର୍ଚ୍ଚ ସମେତ ସମସ୍ତ ପ୍ରାପ୍ୟ ୨୪ ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ ବୋଲି ସୁନିଶ୍ଚିତ ହୋଇଛି ।