ଓଡିଶାରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ମୋଟ୍ କରୋନା ରୋଗୀଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ତୃତୀୟ ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ମିଳିଥିବା ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍ କରି ସୂଚନା ଦେଇଛି । ଏହି ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର ଓ ତାଙ୍କ ବୟସ ଯଦିଓ ୬୦ବର୍ଷ ବୋଲି କୁହାଯାଉଛି ତେବେ ଏ ସଂକ୍ରାନ୍ତୀୟ ନିର୍ଦ୍ଧିଷ୍ଟ ସୂଚନା ମିଳିପାରି ନାହିଁ ।
ଏହା ପୂର୍ବରୁ ଭୁବନେଶ୍ୱରର ଆଉ ଦୁଇ ଜଣଙ୍କ ଠାରେ କରୋନା ଭୂତାଣୁ ଠାବ ହୋଇଥିଲା । ଏମାନଙ୍କ ମଧ୍ୟରୁ ଜଣେ ଇଟାଲୀରୁ ଫେରିଥିବାବେଳେ ଆଉ ଜଣେ ଇଂଲଣ୍ଡରୁ ଆସିଥିଲେ । ଇଟାଲୀ ଫେରନ୍ତା ଯୁବକ ଜଣଙ୍କ ଦିଲ୍ଲୀରେ କ୍ୱାରେଣ୍ଟାଇନ୍ରେ ରହି ଓଡିଶା ଫେରିବାପରେ ତାଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେଇଥିଲା । ତାଙ୍କ ରକ୍ତ ନମୂନାରୁ ପଜିଟିଭ ମିଳିବାପରେ ସେ ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି ।
ଦ୍ୱିତୀୟ ଆକ୍ରାନ୍ତ ଜଣଙ୍କ ସିଧାସଳଖ ଇଂଲଣ୍ଡରୁ ଫେରିଥିଲେ । ତାଙ୍କ ରକ୍ତ ନମୂନାରୁ କରୋନା ପଜିଟିଭ ମିଳିବାପରେ ସେ ବର୍ତ୍ତମାନ ଏମ୍ସରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ଦୁଇ ରୋଗୀଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରଥମେ ମିଳିଥିବା ଦୁଇ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କୁ ଚିହ୍ନଟ କରାଯାଇଥିବାବେଳେ ଆଜି ଠାବ ହୋଇଥିବା ତୃତୀୟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ତାଙ୍କୁ ଖୋଜା ଚାଲିଛି ।