କରୋନା ରୋଗୀମାନଙ୍କ ଚିକିତ୍ସା ସକାଶେ ଅତ୍ୟାଧୁନିକ ସୁବିଧା ଥିବା ୧୦୦୦ ଶଯ୍ୟାବିଶିଷ୍ଟ ୨ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରିବା ନିମନ୍ତେ ଆଜି ଲୋକସେବା ଭବନରେ ରାଜ୍ୟ ସରକାର, ସମ୍ ମେଡିକାଲ୍ କଲେଜ୍ ଓ କିମସ୍ ମେଡିକାଲ୍ କଲେଜ୍ ମଧ୍ୟରେ ଦୁଇଟି ତି୍ରପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହୋଇଛି ।
ଆସନ୍ତା ୧୫ ଦିନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଏହି ହସ୍ପିଟାଲ୍ ନିମନ୍ତେ ଓଡ଼ିଶା ଖଣି ନିଗମ ଓ ମହାନଦୀ କୋଲ୍ ଫିଲ୍ଡସ୍ ସେମାନଙ୍କ ଔଦ୍ୟୋଗିକ ସାମାଜିକ ପ୍ରତିବଦ୍ଧତା (ସିଏସ୍ଆର୍) ପାଣ୍ଠିରୁ ଅର୍ଥ ଯୋଗାଇଦେବେ ବୋଲି ସୁବ୍ରତ ବାଗ୍ଚୀ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସେମାନଙ୍କ ରାଜ୍ୟରେ ଲକ୍ ଡାଉନ୍ ଯୋଗୁଁ ଅଟକି ଯାଇଥିବା ଓଡ଼ିଶାର ବିଭିନ୍ନ ବ୍ୟକ୍ତି କିମ୍ବା ବ୍ୟକ୍ତି ସମୁଦାୟଙ୍କୁ ଆବଶ୍ୟକୀୟ ସହଯୋଗ ଯଥା: ଖାଦ୍ୟପେୟ, ରହଣି ଓ ନିରାପତ୍ତା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି । ଏ ବାବଦରେ ହୋଇଥିବା ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ।
ସେହିପରି ଓଡ଼ିଶାରେ ରହିଯାଇଥିବା ଅନ୍ୟ ରାଜ୍ୟର ଲୋକମାନଙ୍କୁ ସମସ୍ତ ସହାୟତା ଯୋଗାଇଦେବା ନିମନ୍ତେ ପ୍ରତିଶ୍ରୁତି ଦେବା ସହିତ ଏ ବାବଦ ବ୍ୟୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରାଯିବ ବୋଲି ସେ କହିଛନ୍ତି । ଏ ସଂପର୍କରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍-୧୯ ଜନିତ ଲକ୍ ଡାଉନ୍ ସମୟରେ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଏବଂ ଅନ୍ୟ ରାସ୍ତାରେ ସମସ୍ତ ମାଲବାହୀ ଗାଡ଼ିଗୁଡ଼ିକର ଅବାଧ ଚଳପ୍ରଚଳ ପାଇଁ ରାଜ୍ୟ ପୋଲିସ୍ ତରଫରୁ ଏକ ୦୬୭୪-୨୬୨୦୨୦୦ ଟେଲିଫୋନ୍ ନମ୍ବର ଆରମ୍ଭ କରାଯାଇଛି । ଏହା ପ୍ରତ୍ୟେକ ଦିନ ସକାଳ ୮ ଘଟିକାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲାରହିବ । ଗାଡ଼ି ଚାଳକ କିମ୍ବା ମାଲ ପରିବହନ ସଂସ୍ଥାର ପରିଚାଳକମାନେ ଏହି ନମ୍ବରର ସାହାଯ୍ୟ ଓ ପରାମର୍ଶ ନେଇପାରିବେ ।
ଗତ ୪୮ ଘଣ୍ଟା ମଧ୍ୟରେ କୋଭିଡ୍-୧୯ ସଂପର୍କିତ ମାର୍ଗଦର୍ଶିକା ଓ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ମୋଟ ୪୦୪ ଟି ମାମଲା ରୁଜୁ କରାଯାଇଛି । ଏଥି ମଧ୍ୟରେ ‘ଲକ୍ ଡାଉନ୍’ ନିୟମ ଉଲ୍ଲଂଘନ ଅଭିଯୋଗରେ ୩୮୦ଟି, ‘ହୋମ୍ କ୍ୱାରାଣ୍ଟାଇନ୍’ (ସଙ୍ଗରୋଧ) ଉଲ୍ଲଂଘନ ଅଭିଯୋଗରେ ୧୦ଟି ଓ କୋଭିଡ୍-୧୯ ନିୟମାବଳୀ ଉଲ୍ଲଂଘନ ଅଭିଯୋଗରେ ୧୪ଟି ମାମଲା ଅନ୍ତର୍ଭୁକ୍ତ ।
ସମ୍ବାଦପତ୍ର ସଂସ୍ଥାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ଖବରକାଗଜ ବିତରଣକୁ ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ କରାଯାଇ ନିଉଜ୍ ପ୍ରିଣ୍ଟ, ଖବରକାଗଜ ଇତ୍ୟାଦିର ପରିବହନ ପାଇଁ ବ୍ୟବହୃତ ଯାନଗୁଡ଼ିକୁ କଟକଣାମୁକ୍ତ କରାଯାଇଛି । ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଖବରକାଗଜ ବିକ୍ରୟ କେନ୍ଦ୍ର ଖୋଲାରହିବ ଓ ଖବରକାଗଜ ବିତରଣ କରୁଥିବା ହକର୍ମାନେ ଭୋର ୪ଟାରୁ ୭ଟା ପର୍ଯ୍ୟନ୍ତ ଯାତାୟତ କରିପାରିବେ । ମାତ୍ର ଏ ବାବଦରେ ହାତ ଧୁଆ ଓ ସାମାଜିକ ଦୂରତା ପରି ନିୟମ ଅନୁସରଣ କରିବାକୁ ହେବ ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ପ୍ରାଣୀସଂପଦ ସଂପର୍କିତ କାର୍ଯ୍ୟାବଳୀକୁ ଅତ୍ୟାବଶ୍ୟକୀୟ ସେବାର ଅନ୍ତର୍ଭୁକ୍ତ କରାଯାଇଛି । କ୍ଷୀର, ମାଂସ, ଅଣ୍ଡା, ମାଛ, ଗୋଖାଦ୍ୟ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଗାଡ଼ି ନିମନ୍ତେ ଅନୁମତି ପତ୍ର ପ୍ରଦାନ ପାଇଁ ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ଏବଂ ସହରାଞ୍ଚଳ ପୌରସଂସ୍ଥା ଅଧିକାରୀମାନଙ୍କୁ କ୍ଷମତା ଦିଆଯାଇଛି ।