କରୋନାରୁ ମୁକ୍ତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁସବୁ କଟକଣା ଲଗାଇଛନ୍ତି ତାହାର ଉଲ୍ଲଙ୍ଘନ ସରକାରୀ କର୍ମଚାରୀମାନଙ୍କ ପାଇଁ ବିଶୃଙ୍ଖଳା ଆଚରଣ । ଏହି ଅଭିଯୋଗରେ ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ ସହ ତାଙ୍କ ବିରୁଦ୍ଧରେ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ଆଇନ୍ ବିଶାରଦମାନେ ମତ ଦେଉଛନ୍ତି । ତେବେ ଏଯାବତ୍ ବିଧିବଦ୍ଧ ଭାବେ ଏ ସଂକ୍ରାନ୍ତରେ କୌଣସି ସରକାରୀ ଘୋଷଣାନାମା ହୋଇନାହିଁ ।
ଏଠାରେ ଉଲ୍ଲେଖନୀୟ ଯେ କରୋନା ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବାବେଳେ ଏଥିରୁ ନିସ୍ତାର ପାଇଁ ଏକମାତ୍ର ବିକଳ୍ପ ଲୋକେ ସାମାଜିକ ଦୂରତା ବଜାୟ ରଖିବା । ଏହି ଗୁରୁତର ସମସ୍ୟାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଶିକ୍ଷାନୁଷ୍ଠାନ ସମେତ ଅନେକ ଦପ୍ତର ବନ୍ଦ କରିଦେଇଛନ୍ତି । ଓଡିଶା ସରକାର ପର୍ଯ୍ୟାୟକ୍ରମେ ସମଗ୍ର ରାଜ୍ୟରେ ଲକ୍ ଡାଉନ୍ ଜାରି କରିଥିବାବେଳେ କେନ୍ଦ୍ର ସରକାର ମଧ୍ୟ ପ୍ରଥମ ପର୍ଯ୍ୟାୟରେ ୨୧ଦିନ ପାଇଁ ସମଗ୍ର ଦେଶରେ ଲକ୍ ଡାଉନ୍ କରିଛନ୍ତି । ତେବେ ଦିଲ୍ଲୀ ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଅନେକ ସ୍ଥାନରେ କେତେକ ଲୋକ ଏହାର ଉଲ୍ଲଙ୍ଘନ କରି ହାଟ ବଜାରରେ ବୁଲୁଛନ୍ତି ।
ଏହି ସରକାରୀ କଟକଣାକୁ କେତେକ ସରକାରୀ କର୍ମଚାରୀ ହାଲୁକା ଭାବରେ ନେଇ ଛୁଟି ମନାଇବା ସହ ରାସ୍ତାଘାଟରେ ଭିଡ ଜମାଉଛନ୍ତି । ଏହି ସାଂଘାତିକ ପରିସ୍ଥିତିରେ ସବୁ ଅମାନିଆ ଲୋକଙ୍କୁ ଜଗିବାପାଇଁ ପୁଲିସ୍ ମୁତୟନ କରିବା ସମ୍ଭବପର ନୁହେଁ । ଏହି ବିଶୃଙ୍ଖଳିତ ଆଚରଣ ଯୋଗୁଁ କରୋନା ବ୍ୟାପିବାର ଯଥେଷ୍ଟ ଆଶଙ୍କା ଥିବା ପରିପ୍ରେକ୍ଷୀରେ ରାଜଧାନୀ ଦିଲ୍ଲୀ ସମେତ ପଞ୍ଜାବ, ରାଜସ୍ଥାନ ଭଳି କେତେକ ରାଜ୍ୟରେ କର୍ଫ୍ୟୁ ଜାରି କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଓଡିଶାରେ ପୁଲିସ୍ ମାନବିକତା ଦୃଷ୍ଟିକୋଣରୁ ସାମାନ୍ୟ କୋହଳ ମନୋଭାବ ପୋଷଣ କରିଥିବାବେଳେ ଏବେ କିନ୍ତୁ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ କଠୋର ହେବାକୁ ବାଧ୍ୟ ହେଉଛି ।
ଏମିତିକି ଲକ୍ ଡାଉନ୍ ସମୟରେ ରାସ୍ତା ଉପରକୁ ଆସି କେତେକ ଲୋକ ଅଯଥା ଝାମେଲା ସୃଷ୍ଟି କରୁଛନ୍ତି । ରାଜ୍ୟ ସରକାର କେବଳ ଅତି ଜରୁରୀ ବିଭାଗର ସୀମିତ ସଂଖ୍ୟକ କର୍ମଚାରୀଙ୍କୁ ଦପ୍ତର ଆସିବାପାଇଁ କହିଥିବାବେଳେ ଅନ୍ୟମାନେ ଘରେ ବସି କାମ କରିବା ଏବଂ ଯେଉଁମାନଙ୍କ ପାଇଁ କାମନାହିଁ ସେମାନେ ୨୪ଘଣ୍ଟା ଘରେ ରହି ଫୋନ୍ କଲ୍ ପାଇବାମାତ୍ରେ ଦାୟିତ୍ୱ ସମ୍ପାଦନ କରିବାକୁ କୁହାଯାଇଛି । ଏ ପରିପ୍ରେକ୍ଷୀରେ ଦାୟିତ୍ୱ ରହିତ କିଛି ସରକାରୀ କର୍ମଚାରୀ ଯାନ ବାହାନ ଧରି ପରିସ୍ଥିତିକୁ ଉପଭୋଗ କରିବାପାଇଁ ରାସ୍ତାଘାଟରେ ବୁଲୁଥିବା ଓ ଏବଂ ଖୋଲା ରହିଥିବା ହାଟ ବଜାରରେ ଅଯଥାରେ ଭିଡ ଜମାଉଛନ୍ତି । ଏମିତିକି କେତେକ ମିଛରେ ଡାକ୍ତରଖାନା ଯାଉଥିବା କହୁଛନ୍ତି ।
ପରିସ୍ଥିତିକୁ ନିୟନ୍ତ୍ରଣ କରିବାପାଇଁ ଏବେ ପୁଲିସ୍ ଏଭଳି ଲୋକଙ୍କୁ ଅଟକାଇବା ସହିତ ସେମାନଙ୍କ ଗାଡିମୋଟର ଆଦି ଜବତ କରିବାକୁ ବାଧ୍ୟ ହେଉଛି । ଏମିତିକି କେତେକ ସ୍ଥାନରେ ଜୋରିମାନା ଆଦାୟ କରିବା ସହିତ ମାମଲା ବି ରୁଜୁ ହେଉଛି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସମଗ୍ର ବିଶ୍ୱ, ଦେଶ ତଥା ରାଜ୍ୟ ଏକ ଭୟଙ୍କର ସମୟ ଦେଇ ଗତି କରୁଥିବାବେଳେ ଯେଉଁମାନେ ସରକାରୀ କଟକଣାର ଅବମାନନା କରିବେ ସେମାନଙ୍କ ବିରୁଦ୍ଧରେ ଆବଶ୍ୟକସ୍ଥଳେ ଦୃଢ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି କୌଣସି ସରକାରୀ କର୍ମଚାରୀ ଏଭଳି ଭାବେ ଧରାପଡନ୍ତି ତେବେ ତାଙ୍କ ବିରୁଦ୍ଧରେ ଉଭୟ ଫୌଜଦାରୀ ଓ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେଣୁ ଏଭଳି ସମୟରେ ସରକାରୀ କର୍ମଚାରୀମାନେ ନିଷ୍ଠାର ସହିତ ନିଜେ ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ସଂଗେ ସଂଗେ ପ୍ରଶାସନକୁ ଏ ଦିଗରେ ସହଯୋଗ କରିବା ଆବଶ୍ୟକ ।