କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମଗ୍ର ଦେଶରେ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ତଦନୁଯାୟୀ ମାର୍ଚ୍ଚ ୨୪ ମଧ୍ୟରାତ୍ରରୁ ଏପ୍ରିଲ ୧୪ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶ ଏକ ପ୍ରକାର ବନ୍ଦ ରହିବ । ପ୍ରଧାନମନ୍ତ୍ରୀ ଏହି ଲକ୍ ଡାଉନ୍କୁ ଏକ ପ୍ରକାର କର୍ଫ୍ୟୁ ବୋଲି ମଧ୍ୟ କହିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ଭଳି ଭୟଙ୍କର ଭୂତାଣୁକୁ ମୁକାବିଲା କରିବାକୁ ହେଲେ ଏହାଛଡା ଅନ୍ୟ କୌଣସି ଉପାୟ ନାହିଁ । କାରଣ ଇଟାଲୀ, ଆମେରିକା, ଫ୍ରାନ୍ସ ଭଳି ବିଶ୍ୱର ବିତ୍ତଶାଳୀ ଦେଶ ଯେଉଁମାନଙ୍କ ପାଖରେ ବି ଉନ୍ନତ ଚିକିତ୍ସା ସୁବିଧା ରହିଛି ସେମାନେ ସହଜରେ ଏହାକୁ ମୁକାବିଲା କରିପାରୁ ନାହାନ୍ତି ।
ଏହି ଭୂତାଣୁ କେବଳ ଲୋକଙ୍କ ମାଧ୍ୟମରେ ତାହାର କାୟା ବିସ୍ତାର କରୁଥିବାରୁ ଆମକୁ ଏହି ସଂକ୍ରମଣ ଚେନ୍ରେ ବ୍ରେକ୍ ଲଗାଇବାକୁ ପଡିବ ନାହିଁ । ଏଥିପାଇଁ ଦେଶବାସୀ ୨୧ଦିନ କାଳ ଘରୁ ନବାହାରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ ଦେଇଛନ୍ତି । ଏଥି ସହିତ ଏହି ମୁକାବିଲାରେ ସେ ଦେଶବାସୀଙ୍କ ସହଯୋଗ ଲୋଡିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲକ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ କୌଣସି ବାଧା ଆସିବ ନାହିଁ । ତେଣୁ ଲୋକେ ଭୟଭୀତ ହୋଇ ବଜାରରୁ ଅଧିକ ସାମଗ୍ରୀ ଖରିଦ କରିବାର କୌଣସି କାରଣ ନାହିଁ । ବନ୍ଦ ସମୟରେ ଔଷଧ, ଖାଦ୍ୟ ସାମଗ୍ରୀ, ଫଳ ଓ ଦୁଗ୍ଧ ଆଦି ସାମଗ୍ରୀ ବିକ୍ରି କରାଯିବ ।
କରୋନା ମୁକାବିଲା ଲାଗି କେନ୍ଦ୍ର ସରକାର ୧୫ହଜାର କେଟି ଟଙ୍କା ଦେଇଥିବବେଳେ ରାଜ୍ୟ ସରକାରମାନେ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ପୂର୍ବରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ଲାଗି କରୋନା ମୁକାବିଲା ସକାଶେ ବିଭିନ୍ନ ମାର୍ଗଦର୍ଶିକା ଜାରି ହୋଇଛି ।
ସମଗ୍ର ଭାରତକୁ ଲକ୍ ଡାଉନ୍ ଘୋଷଣା କରିବା ପୂର୍ବରୁ କେନ୍ଦ୍ର ସରକାର ରେଳ ଓ ବିମାନସେବା ଉପରେ କଟକଣା ଲଗାଇଛନ୍ତି । ଓଡିଶା ସରକାର ମଧ୍ୟ ଅନୁରୂପ ପଦକ୍ଷେପ ସ୍ୱରୂପ ରାଜ୍ୟରେ ବସ୍ ଚଳାଚଳ ଉପରେ କଟକଣା ଜାରି କରିଛନ୍ତି ।