କରୋନା ଆକ୍ରମଣ ଯୋଗୁ ଏ ବର୍ଷ ରାଜସ୍ୱ ଆଦାୟ ହ୍ରାସ ପାଇବ । ବିଶେଷ କରି ଆର୍ଥିକ ବର୍ଷ ଶେଷ ପୂର୍ବରୁ ମାର୍ଚ୍ଚ ମାସରେ ବିଭିନ୍ନ ସୂତ୍ରରୁ ବହୁ ପରିମାଣର ରାଜସ୍ୱ ସଂଗ୍ରହ ହୋଇଥାଏ । କିନ୍ତୁ ଗୋଟିଏ ପଟେ କରୋନା ଭୟ ଓ ଅନ୍ୟପଟେ ସାରା ରାଜ୍ୟରେ ଲକ୍ ଡାଉନ୍ ପରିସ୍ଥିତି ଘୋଷଣା କରାଯାଇଥିବାବେଳେ ଲୋକେ ଘରୁ ବାହାରି ଟିକସ ପୈଠ କରିବା ସମ୍ଭବ ହେଉନାହିଁ ।
ଅନ୍ୟପକ୍ଷରେ ଅନ୍ଲାଇନ୍ରେ ଘରେ ବସି ଟିକସ ପୈଠ କରିବା ଲାଗି ବିଭିନ୍ନ ବିଭାଗ ଓ ସଂସ୍ଥା ପକ୍ଷରୁ ପରାମର୍ଶ ଦିଆଯାଉଛି । ତେବେ ରାଜ୍ୟର ସଂଖ୍ୟାଧିକ ପରିବାରରେ ଇଣ୍ଟରନେଟ୍ ନ ଥିବା ଏବଂ ଅନେକ ଲୋକ ଇଣ୍ଟରନେଟ୍ ବ୍ୟବହାର ଜାଣିନଥିବା ପରିପ୍ରେକ୍ଷୀରେ ଅନ୍ଲାଇନ୍ରେ ଟିକସ ପୈଠ କରିବା ସେମାନଙ୍କ ପକ୍ଷେ ସମ୍ଭବପର ନୁହେଁ । ଗୋଟିଏ ପଟେ ଲୋକେ ଘରୁ ବାହାରି ପାରୁନଥିବା ବେଳେ ଅନ୍ୟପଟେ ଅନେକ ଦପ୍ତର ବନ୍ଦ ରହିଥିବା ପରିପ୍ରେକ୍ଷୀରେ ଟିକସ ଆଦାୟ ବ୍ୟାପକ ଭାବେ ପ୍ରଭାବିତ ହେଉଛି ।
ଜମିବାଡ଼ି ପାଇଁ ରାଜସ୍ୱ ବିଭାଗ ଆର୍ଆଇମାନଙ୍କ ମାଧ୍ୟମରେ ଖଜଣା ସଂଗ୍ରହ କରିଥାଏ । ସେହିଭଳି ପୌର ସଂସ୍ଥାମାନେ ହୋଲ୍ଡିଂ ଟିକସ ମଧ୍ୟ ଆଦାୟ କରିଥାନ୍ତି । ଏହାଛଡ଼ା ଖାଉଟି ଭାବେ ଲୋକେ ପାଇପ୍ ଜଳ ଓ ବିଦ୍ୟୁତ୍ ବାବଦ ଦେୟ ମଧ୍ୟ ଦେଇଥାନ୍ତି । ଏହାଛଡ଼ା ଆଉ ଅନେକ କିସମର ଟିକସ ରହିଛି । କିନ୍ତୁ ଗୋଟିଏ ପଟେ ଦପ୍ତର ବନ୍ଦ ଓ ଅନ୍ୟପଟେ ଲକ୍ ଡାଉନ୍ ବାତାବରଣ ଭିତରେ ଏ ସବୁ କ୍ଷେତ୍ରରେ ଟିକସ ଆଦାୟ କମିବାର ସମ୍ଭାବନା ରହିଛି ।
ରାଜ୍ୟର ପ୍ରମୁଖ ଟିକସ ଜିଏସ୍ଟିରୁ ମିଳିଥାଏ । ରାଜ୍ୟ ଜିଏସ୍ଟି ସିଧାସଳଖ ଭାବେ ବ୍ୟବସାୟୀକ ପ୍ରତିଷ୍ଠାଗୁଡ଼ିକ ଠାରୁ ଆସୁଥିବା ବେଳେ କେନ୍ଦ୍ର ଜିଏସ୍ଟିରୁ ରାଜ୍ୟ ମଧ୍ୟ ତାହାର ଅଂଶ ପାଇଥାଏ । କରୋନା ପାଇଁ ଲକ୍ ଡାଉନ୍ ଘୋଷଣା ପରେ ବଜାରରେ କିଣାବିକା ପ୍ରାୟତଃ ବନ୍ଦ ହୋଇଯାଇଛି । ପନିପରିବା, ଫଳମୂଳ, ଦୁଧ, ଔଷଧ, ପେଟ୍ରୋଲ, ଗ୍ୟାସ୍, ତେଜରାତି ଦୋକାନରୁ ରୋଷେଇ ସାମଗ୍ରୀ ଆଦି ସୀମିତ ଭାବେ ମିଳୁଛି । ଗାଡ଼ି ମୋଟରଠାରୁ ଆରମ୍ଭ କରି ସୌଖୀନ ସାମଗ୍ରୀ, ପୋଷାକପତ୍ର, ବୈଦ୍ୟୁତିକ ସରଞ୍ଜାମ ଓ ଅନ୍ୟାନ୍ୟ ଜିନିଷର ବିକ୍ରିବଟା ଏକପ୍ରକାର ବନ୍ଦ ରହିଛି । ଫଳରେ ଏ ବାବଦରେ ଉଭୟ କେନ୍ଦ୍ର ଓ ରାଜ୍ୟ ଜିଏସ୍ଟିରୁ ଯେତେ ଅର୍ଥ ମିଳିବା କଥା ତାହା ମିଳିବାର ସମ୍ଭାବନା ନାହିଁ ।
ଅନ୍ୟପଟେ ବ୍ୟାଙ୍କସେବା ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ସେନ୍ସେକ୍ସ ମଧ୍ୟ ଭୁଷୁଡ଼ୁଛି । ଖଣି ଖାଦାନରୁ କଳ କାରଖାନା ପର୍ଯ୍ୟନ୍ତ ସବୁ ବି କରୋନାର ଛାଟ ଖାଉଛନ୍ତି । ଇତିମଧ୍ୟରେ ଡଲାରର ମୂଲ୍ୟ ୭୫ ଟଙ୍କାକୁ ଟପିଲାଣି । ଏହା ଦେଶର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର ଅର୍ଥନୀତିକୁ କରୋନା ଶକ୍ତ ଧକ୍କା ଦେଇଛି । ଏ ପରିପ୍ରେକ୍ଷୀରେ ଓଡ଼ିଶା ଭଳି ରାଜ୍ୟରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ରାଜସ୍ୱ ସଂଗ୍ରହ ପରିମାଣ କମିବା ଘେନି ଯେଉଁ ଆଶଙ୍କା ପ୍ରକାଶ ପାଇଛି ସେଥିଘେନି ଅର୍ଥନୀତିଜ୍ଞମାନେ ବେଶ୍ ଚିନ୍ତିତ ।