କରୋନା ପାଇଁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ପ୍ରଭାବିତ ହେବା ଆଶଙ୍କା ଉପୁଜିଛି । ବିଶ୍ୱରେ ମହାମାରୀ ରୂପ ନେଇଥିବା କରୋନା ଭୂତାଣୁଠାରୁ ନିସ୍ତାର ଲାଗି ବିଧାନସଭା ବଜେଟ୍ ଅଧିବେଶନ ଗତ ୧୩ ତାରିଖଠାରୁ ଆଗାମୀ ୨୯ ତାରିଖ ପର୍ଯ୍ୟନ୍ତ ମୁଲତବୀ ରହିଛି ।
ଇତିମଧ୍ୟରେ କେନ୍ଦ୍ର ସରକାର ବଜେଟ୍ ଅଧିବେଶନକୁ କାଣ୍ଟ୍ଛାଣ୍ଟ୍ କରି ଅର୍ଥ ବିଲ୍ ଗୃହୀତ କରାଇ ନେବା ପରେ ପରେ ସଂସଦକୁ ମୁତଲବୀ ରଖିଛନ୍ତି । କିନ୍ତୁ ଓଡ଼ିଶା ବିଧାନସଭାରେ ୨୦୨୦-୨୧ ବର୍ଷ ଲାଗି ଦେଢ଼ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଥିଲେ ମଧ୍ୟ ଏହା ଏଯାବତ୍ ଗୃହୀତ ହୋଇନାହିଁ ।
ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ ୧୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ଅଧିବେଶନ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ସ୍ଥଗିତ ଥିଲା । ଏହି ସମୟରେ ବିଭିନ୍ନ ବିଭାଗ ପାଇଁ ଥିବା ରାଜ୍ୟ ବିଧାନସଭାର ସ୍ଥାୟୀ କମିଟିଗୁଡ଼ିକ ବସି ସେମାନଙ୍କ ରିପୋର୍ଟ ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚଳିତମାସ ୧୧ ତାରିଖରୁ ଆରମ୍ଭ ହୋଇ ଆସନ୍ତା ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବା ଲାଗି କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ ହୋଇଥିଲା । ତେବେ କରୋନା ପରିପ୍ରେକ୍ଷୀରେ ମଝିରୁ ଗତ ୧୩ ତାରିଖରେ ବିଧାନସଭାର ଅଧିବେଶନ ଆସନ୍ତା ୨୯ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ।
ଏବେ ସମଗ୍ର ରାଜ୍ୟରେ ୨୯ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ କରାଯାଇଛି । ଦେଶର ବିଭିନ୍ନ ରାଜ୍ୟ ଓ ସହର ସମେତ ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଆଦି ବିଶ୍ୱର ପ୍ରାୟ ୧୯୦ଟି ଦେଶରେ କରୋନାରୁ ବର୍ତ୍ତିବା ପାଇଁ ସଂଘର୍ଷ ଚାଲିଛି । ଅନେକ ଦେଶରେ ବି ଲକ୍ ଡାଉନ୍ ଜାରି ହୋଇଛି । ଆମ ଦେଶର ଦିଲ୍ଲୀ ସମେତ ପଞ୍ଜାବ, ରାଜସ୍ଥାନ ଆଦିରେ କର୍ଫ୍ୟୁ ଲଗା ଯାଇଛି । ଏହି ଭିତ୍ତିଭୂମିରେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଘରେ ରହି ଜନସାଧାରଣଙ୍କୁ କରୋନାରୁ ବର୍ତ୍ତିବା ପାଇଁ ମାର୍ଗଦର୍ଶନ ଦେଉଥିବା ନିର୍ବାଚିତ ଲୋକ ପ୍ରତିନିଧିମାନେ ୨୯ ତାରିଖରେ ବିଧାନସଭାର ବଜେଟ୍ ଅଧିବେଶନରେ ଯୋଗଦେବା ଉଚିତ୍ ହେବ କି ନାହିଁ ତାହା ସେତେବେଳର ପରିସ୍ଥିତି ଉପରେ ନିର୍ଭର କରେ ବୋଲି ମତ ପ୍ରକାଶ ପାଉଛି ।
କରୋନାର ସବୁଠାରୁ ବଡ଼ ପ୍ରତିଷେଧକ ହେଉଛି ସାମାଜିକ ଦୂରତ୍ୱ ରକ୍ଷା । ଏଥିପାଇଁ ସବୁ ସଭା ସମିତି ବାତିଲ କରାଯିବା ସଙ୍ଗେ ସଙ୍ଗେ ଯାନବାହନ ଚଳାଚଳ ଉପରେ ଅଙ୍କୁଶ ଲଗାଯାଇଛି । ତେଣୁ କରୋନା ବିରୁଦ୍ଧରେ ଯୁଦ୍ଧ ଚାଲିଥିବା ବେଳେ ବିଧାୟକମାନେ କିପରି ବିଧାନସଭା ଅଧିବେଶନରେ ଏକାଠି ହେବେ ଏବଂ ଏଥିଲାଗି ବିଭିନ୍ନ ଦପ୍ତର ଚାଲିବ ସେଥିଘେନି ଆଶଙ୍କା ପ୍ରକାଶ ପାଇଛି । ତେବେ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ବିଧାନସଭାର ବାଚସ୍ପତି ଠିକଣା ଭାବେ ଠିକଣା ସମୟରେ ନେବେ ବୋଲି କୁହାଯାଉଛି ।