ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ପାସ୍ ପ୍ରଦାନ ପାଇଁ କମିଶନରେଟ ପୁଲିସ୍ର ପାସ୍ ବଣ୍ଟନ ଶିବିରରେ ଏବେ ସଂକ୍ରମଣ ଭୟ । ଏଠାରେ ପାସ୍ ଖଣ୍ଡେ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ଆରମ୍ଭ କରି ବ୍ୟାଙ୍କ୍ କର୍ମଚାରୀ ଏପରିକି ରୋଗୀଙ୍କ ସମ୍ପର୍କୀୟମାନେ ଠେଲାପେଲା ହେଉଛନ୍ତି । ପୁଲିସ୍ କର୍ମଚାରୀମାନେ ବି ଏକ ପ୍ରକାର ନାଚାର ।
ଯେଉଁମାନେ ଜରୁରୀ ସେବାରେ ନିୟୋଜିତ ସେମାନେ ନିଜ ନିଜର ପରିଚୟପତ୍ର ଦେଖାଇ ଯାଇପାରିବେ ବୋଲି ପ୍ରଥମେ କୁହାଯାଇଥିଲା । ତେବେ ପରେ କମିଶନରେଟ ପୁଲିସ୍ ପକ୍ଷରୁ ଏମାନଙ୍କୁ ସ୍ୱତନ୍ତ୍ର ପାସ୍ ପ୍ରଦାନ କରାଯିବ ଓ ସେମାନେ କେଉଁ ଅଞ୍ଚଳରେ ଯାତାୟତ କରିବେ ତାହା ଉଲ୍ଲେଖ ରହିବ ବୋଲି କୁହାଗଲା ।
ଏଥିପାଇଁ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ସେମାନଙ୍କ ଦପ୍ତର ଅଞ୍ଚଳରେ ଆସୁଥିବା ଥାନା ଗୁଡିକରୁ ପାସ୍ ନେବାପାଇଁ କୁହାଯାଇଥିଲା । ତେବେ ପାସ୍ ପ୍ରଦାନ କଥା ପ୍ରଚାର ହେବାପରେ ଥାନା ଗୁଡିକରେ ସାଧାରଣ ଲୋକେ ଭିଡ ଜମାଇଥିଲେ । ଏହାକୁ ଦେଖି ତୁରନ୍ତ ପୁଲିସ୍ କମିଶନର ଏହି ପାସ୍ କେବଳ ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସ୍ପଷ୍ଟ କରିଥିଲେ ।
ତେବେ ଆଜି ଜରୁରୀ ସେବାରେ ନିୟୋଜିତ ଲୋକେ ନିଜ ନିଜ ଅଞ୍ଚଳର ଥାନା ଗୁଡିକୁ ପାସ୍ ପାଇଁ ଯାଇଁ ପହଞ୍ଚିବା ପରେ ସେଠାରେ କୁହାଯାଇଥିଲା ଯେ ଏହି ପାସ୍ ଡିସିପି ଅଫିସରୁ ମିଳିବ । ନିଷ୍ପତ୍ତି କାଲି ରାତିରେ ହୋଇଛି । ତେଣୁ ସମସ୍ତେ ଏକ ମୁହାଁ ହୋଇ ବାଣୀବିହାରରେ ଥିବା ଡିସିପି ଅଫିସକୁ ଦଉଡିଥିଲେ । କିଛି ଥାନା ଅଧିକାରୀ ଆସିଥିବା ଲୋକଙ୍କ ଆବେଦନପତ୍ର ଗ୍ରହଣ କରି ତାହାକୁ ଡିସିପି ଅଫିସ ପଠାଯିବ ବୋଲି କହିଥିଲେ ।
ଯେଉଁମାନେ ଥାନାରେ ନିଜ ନିଜର ଦରଖାସ୍ତ ଦେଇଥିଲେ ସେମାନଙ୍କୁ ମଧ୍ୟାହ୍ନ ସୁଦ୍ଧା ଡିସିପି ଅଫିସରୁ ପାସ୍ ନେଇଯିବାପାଇଁ ଫୋନ୍ ଆସିଥିଲା । ହେଲେ ସେଠାରେ ପହଞ୍ଚିବା ବେଳକୁ ସ୍ଥିତି ଏକ ପ୍ରକାର ଅସମ୍ଭାଳ । ପାସ୍ ପାଇଁ ଉଦ୍ଦିଷ୍ଟ ଫର୍ମ ନଥିବାବେଳେ ଡିସିପି ଅଫିସ ବାହାରେ ଲୋକେ ଗେଟ୍କୁ ଠେଲାପେଲା କରୁଥିବା ଦେଖିବାକୁ ମିଳିଥିଲା ।
ଥାନା ସ୍ତରରେ ପାସ୍ ଦେଇଥିଲେ ଏଭଳି ଗହଳି ହୋଇନଥାନ୍ତା । ତେବେ ନିଷ୍ପତ୍ତି ବଦଳାଇ ସମସ୍ତଙ୍କୁ ଡିସିପି ଅଫିସ ଡାକି ଯେଉଁ ଗହଳି ହୋଇଛି ସେଥିରେ ସରକାରଙ୍କ ୭ଜଣିଆ ସଂଗରୋଧ କଟକଣା ଏକ ପ୍ରକାର ଅଚଳ । ପୁଲିସ୍ କର୍ମଚାରୀଙ୍କ ସହିତ ଗଣମାଧ୍ୟମ ପ୍ରତିନିଧି, ସାଧାରଣ ଲୋକେ ସେଠି ଏକାକାର ହୋଇଛନ୍ତି ।
ଫର୍ମ ନଥିବାରୁ ଅନେକ ଲୋକ ଫେରିଥିବାବେଳେ ଏହାର ଉତ୍ତର କିନ୍ତୁ କାହା ପାଖରେ ନାହିଁ । ଯଦି ଫର୍ମ ନାହିଁ ତେବେ ଲୋକଙ୍କୁ କାହିଁକି ଲକ୍ ଡାଉନ୍ ସମୟରେ ଡାକି ଗହଳି କରୁଛ ବୋଲି ଅନେକ ପ୍ରଶ୍ନ କରୁଥିଲେ । କିଛି ବ୍ୟକ୍ତି ସଂକ୍ରମଣ ଭୟରେ ସେଠାରୁ ପଳାଇ ଯାଉଥିବା ଲକ୍ଷ୍ୟ କରାଯାଇଥିଲା ।