ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

୨୨ରୁ ୨୯ ସମ୍ପୂର୍ଣ୍ଣ ଲକ ଡାଉନ


କରୋନା ପ୍ରତିଷେଧ ପ୍ରସ୍ତୁତିକୁ ଅଧିକ ଜୋରଦାର କରି ଓଡ଼ିଶା ସରକାର ଚଳିତମାସ ୨୨ ତାରିଖ ସକାଳୁ ୭ଟାରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ନିହାତି ଜରୁରୀ ନ ଥିଲେ ଲୋକେ ଘରୁ ନ ବାହାରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି ମର୍ମରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସହଜଯୋଗ ଲାଗି ନିବେଦନ କରିଛନ୍ତି ।

ସମଗ୍ର ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଥିବା ବେଳେ ଏହା ଭାରତରେ ବ୍ୟାପିବାରେ ଲାଗିଛି । ଏଯାବତ ଏହି ରୋଗର ଚିକିତ୍ସା ପାଇଁ ସ୍ୱତନ୍ତ୍ର ଔଷଧ ବାହାରିନାହିଁ । ଚୀନର ୱହାନ ସହରରୁ କରୋନା ବ୍ୟାପିଥିଲା । କିନ୍ତୁ ସେଠି ଲୋକେ ସରକାରଙ୍କ ପରାମର୍ଶ ମାନି ଘରେ ନିଜକୁ ଆବଦ୍ଧ ରଖିବା ସହ ଅନ୍ୟାନ୍ୟ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରିବାରୁ ୱହାନରେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ କିଛିଦିନ ମଧ୍ୟରେ ବିଦେଶରୁ ୩ହଜାରରୁ ଅଧିକ ଲୋକ ଓଡ଼ିଶା ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାର । ତେଣୁ ପ୍ରଥମ ପର୍ଯ୍ୟାୟରେ ଏହି ୫ଟି ଜିଲ୍ଲାର ସବୁ ସହର ଓ ଗାଁ ସହିତ ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍‍ ଓ ଯାଜପୁର ସହରରେ ୨୨ ମାର୍ଚ୍ଚ ରବିବାର ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ସମ୍ପୂର୍ଣ୍ଣ ଲକ ଡାଉନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେଏହି ଲକ ଡାଉନ ସମୟରେ କେବଳ ବସ, ଟ୍ରେନ ଓ ବିମାନ ସେବା ସହିତ ସଉଦା ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ, ପେଟ୍ରୋଲ ପମ୍ପ ଓ ଔଷଧ ଦୋକାନ ଆଦି ଖୋଲା ରହିବ । ଏହାଛଡ଼ା ଅତ୍ୟାବଶ୍ୟକୀୟ ସାମଗ୍ରୀର ହୋଲସେଲ ମାର୍କେଟ ମଧ୍ୟ ଖୋଲା ରହିବ ।

ଏହାଛଡ଼ା ଏହିସବୁ ଅଞ୍ଚଳରେ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ, ପୌରସେବା, ପୋଲିସ, ଅଗ୍ନିଶମ, ଓଡ୍ରାଫ, ପାନୀୟ ଜଳ ଓ ବିଦ୍ୟୁତ ସେବା ଆଦି ଜାରି ରହିବ ଏବଂ ପ୍ରଶାସନିକ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ଖୋଲା ରହିବ । ସାଢ଼େ ୪କୋଟି ଓଡ଼ିଶାବାସୀ ତାଙ୍କର ପରିବାର ହୋଇଥିବାରୁ ପ୍ରତିଟି ଲୋକଙ୍କ ଜୀବନ ତାଙ୍କ ପାଇଁ ମୂଲ୍ୟବାନ ବୋଲି ଉଲ୍ଲେଖ କରି ସରକାରଙ୍କ ନିଷ୍ପତ୍ତିରେ ଲୋକେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏହି ସମୟରେ ନିଜର, ନିଜ ପରିବାରର ଓ ବନ୍ଧୁମାନଙ୍କ ମଙ୍ଗଳ ପାଇଁ ନିଜେ ଘରେ ରୁହନ୍ତୁ ।

ରାଜ୍ୟ ସରକାର ଜାରି କରିଥିବା ଏହି କଟକଣାକୁ ଯିଏ ଭାଙ୍ଗିବାକୁ ଚେଷ୍ଟା କରିବ ତାହା ବିରୋଧରେ କଠୋର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଘରେ ରହିଲେ କରୋନାରୁ ସୁରକ୍ଷିତ ରହିପାରିବେ ଏବଂ କରୋନ ବିରୋଧରେ ଚାଲିଥିବା ଅଭିଯାନ ସଫଳ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ଏହି କଟକଣା ସମୟରେ ସମ୍ପୃକ୍ତ ୫ଟି ଜିଲ୍ଲା ଓ ୭ଟି ସହରରେ ସାମାଜିକ ସୁରକ୍ଷା ପେନସନ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ସାମଗ୍ରୀକ ବିତରଣ କାର୍ଯ୍ୟ ସ୍ଥଗିତ ରଖାଯିବ । ସ୍ଥାନୀୟ ପରିସ୍ଥିତିକୁ ଆକଳନ କରି ଜିଲ୍ଲାପାଳମାନେ ଯେକୌଣସି ସେବା ଓ କ୍ଷେତ୍ରକୁ ବାଦ ଦେଇପାରିବେ କିମ୍ବା ଯୋଗ କରିପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଘରୋଇ କମ୍ପାନୀମାନେ ସେମାନଙ୍କ କର୍ମଚାରୀମାନଙ୍କ ପାଇଁ ଘରୁ କାମ କରିବାର ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ସରକାର ପରାମର୍ଶ ଦେଇଛନ୍ତି । ଯଦି ସେମାନେ ଏହା ନ କରନ୍ତି ତେବେ ଏଥିଲାଗି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କଠାରୁ ଅନୁମତି ପତ୍ର ଆଣିବାକୁ ପଡ଼ିବ ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023