ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ରୋଜଗାର ପ୍ରଭାବିତ

ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା କରୋନା ପ୍ରତିଷେଧ ପାଇଁ ଜାରି କରାଯାଇଥିବା କଟକଣା ଅନେକ ଲୋକଙ୍କ ରୋଜଗାର ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ତେବେ କରୋନାର ଭୟାବହତା ଦୃଷ୍ଟିରୁ ଲୋକେ ଏହି କଟକଣାକୁ ମାନିବା ପାଇଁ ବାଧ୍ୟ ହେଉଛନ୍ତି ।

ଶ୍ରୀମନ୍ଦିରଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ପ୍ରମୁଖ ମନ୍ଦିର, ମସ୍‍ଜିଦ, ଗୁରୁଦାର, ଗିର୍ଜା ଆଦିରେ ଭକ୍ତଙ୍କ ସମାଗମ ଉପରେ କଟକଣା ସହ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ମଧ୍ୟ ଏକପ୍ରକାର ପର୍ଯ୍ୟଟକଙ୍କ ପାଇଁ ନିଷିଦ୍ଧ କରାଯାଇଛି । ଇତିମଧ୍ୟରେ ହୋଟେଲ, ରେଷ୍ଟୁରାଣ୍ଟ ଆଦି ଉପରେ ବି କଟକଣା ଲାଗିଛି । ଏଥିଯୋଗୁ ଏହି ସଂସ୍ଥାଗୁଡ଼ିକରେ କାର୍ଯ୍ୟରତ ଲୋକେ ବିନା କାମରେ ଘରେ ବସି ରହିବାକୁ ବାଧ୍ୟ ହେଉଛନ୍ତି । ଯେଉଁ ସଂସ୍ଥାଗୁଡ଼ିକରେ ଏମାନେ କାମ କରୁଥିଲେ ସେଗୁଡ଼ିକର ବ୍ୟବସାୟ ବନ୍ଦ ହୋଇଯାଇଥିବାରୁ ମଜୁରୀ ମିଳିବା ସମ୍ଭବପର ନୁହେଁ ।

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଯେଉଁମାନେ ରାସ୍ତାକଡ଼ରେ ଛୋଟ ଛୋଟ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ ସେଥିରୁ ଅନେକ ଦୋକାନ ବି ବନ୍ଦ ହୋଇଗଲାଣି । କରୋନା ଛାନିଆରେ ଲୋକେ ବି ଫାଷ୍ଟଫୁଡ୍‍, ବରା, ପକୁଡ଼ି, ଗୁପ୍‍ଚୁପ୍‍ ଆଦି କିଣି ଖାଇବାକୁ ନିରାପଦ ମଣୁନାହାନ୍ତି । ଚିକେନ ଓ ଅଣ୍ଡା ସହିତ କରୋନାର କିଛି ସମ୍ପର୍କ ନାହିଁ ବୋଲି ସରକାରୀ ସ୍ତରରେ କୁହାଯାଉଥିଲେ ମଧ୍ୟ ଛାନିଆରେ ଅନେକ ଲୋକ ଚିକେନ କି ଅଣ୍ଡା ଖାଉନାହାନ୍ତି । ଫଳରେ କୁକୁଡ଼ା ଚାଷୀଙ୍କଠାରୁ ଆରମ୍ଭ କରି ଅଣ୍ଡା, କୁକୁଡ଼ା ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିବା ଲୋକେ ହାତ ବାନ୍ଧି ବସିଛନ୍ତି ।

ବିମାନ ଓ ରେଳଯାତ୍ରା ଉପରେ କଟକଣା ଏବଂ କେତେକ ବିମାନ ଓ ରେଳ ବାତିଲ ହେବା ସହିତ କରୋନା ଭୟରେ ବହୁ ଯାତ୍ରୀ ସେମାନଙ୍କ ଟିକେଟ୍‍ ଫେରସ୍ତ କରିଦେଉଥିବାରୁ ଯାତ୍ରୀମାନଙ୍କୁ ପରିବହନ ସେବା ଯୋଗାଉଥିବା ଟ୍ୟାକ୍ସି ଓ ଅଟୋଚାଳକମାନଙ୍କ ରୋଜଗାର କମି ଯାଇଛି । ଓଲା ଉବେର ଭଳି ସଂସ୍ଥାଗୁଡ଼ିକର ବେପାର ବି ହ୍ରାସ ପାଇଛି । କେବଳ ସେତିକି ନୁହେଁ ଅନେକ ଡାକ୍ତରଖାନାରେ ଅସ୍ତ୍ରୋପଚାର ଆଦି ମଧ୍ୟ କମିଛି ।

ହାଟ, ବଜାରଠାରୁ ଆରମ୍ଭ କରି ରାଜଧାନୀର ରାସ୍ତାଘାଟ ଏବେ ଖାଁ ଖାଁ ଲାଗୁଛି । ଶିକ୍ଷାନୁଷ୍ଠାନ ଛୁଟି ସହ କୋଚିଂ ସେଣ୍ଟରଗୁଡ଼ିକ ବି ବନ୍ଦ । ଏଥିରେ ଦୈନିକ ପାରିଶ୍ରମିକ ଭିତ୍ତିରେ ନିୟୋଜିତ ଲୋକଙ୍କ ରୋଜଗାର ନାହିଁ । କରୋନା ଯୋଗୁ ଉତ୍ପାଦନ, ରପ୍ତାନି, ଆମଦାନୀ ଓ ବାଣିଜ୍ୟ ବ୍ୟବସାୟ ମଧ୍ୟ ବହୁ ପରିମାଣରେ ବାଧାପ୍ରାପ୍ତ ହୋଇଛି । କେବଳ ଓଡ଼ିଶାରେ ନୁହେଁ ସମଗ୍ର ଦେଶରେ ଏପରିକି ଆମେରିକା, ଇଂଲଣ୍ଡ, ଚୀନ୍‍, ଜର୍ମାନୀ, ଇଟାଲୀ ଆଦିରେ କରୋନା ଏକପ୍ରକାର ଷ୍ଟକ୍‍ ମାର୍କେଟ୍‍କୁ ଚୁର୍‍ମାର୍‍ କରିଦେଇଛି । ଏହାର ପ୍ରଭାବ ସିଧାସଳଖ ବିଭିନ୍ନ ଦେଶର ଅର୍ଥନୀତି ଏବଂ ବିଶେଷ କରି ନିମ୍ନ ଓ ମଧ୍ୟବିତ୍ତ ବର୍ଗ ଏବଂ ଖଟିଖିଆଙ୍କ ଉପରେ ପଡ଼ୁଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023