ଚଳିତ ଆର୍ଥିକ ବର୍ଷ ସରିବାକୁ ଆଉ ମାତ୍ର ୧୦ଦିନ ଥିବାବେଳେ କରୋନା କଟକଣା ଯୋଗୁଁ ଅନେକ ପ୍ରକଳ୍ପ କାର୍ଯ୍ୟ ଧିମେଇ ଗଲାଣି । ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଧାର୍ଯ୍ୟ ପ୍ରକଳ୍ପ ଗୁଡିକ କିଭଳି ସରିବ ସେନେଇ ଠିକାଦାରମାନେ ମୁଣ୍ଡରେ ହାତ ଦେଇଦେଲେଣି ।
ଆର୍ଥିକ ବର୍ଷ ଶେଷସୁଦ୍ଧା ପ୍ରକଳ୍ପ ଗୁଡିକର କାର୍ଯ୍ୟ ସାରି ବିନିଯୋଗ ପ୍ରମାଣପତ୍ର (ୟୁସି) ଦେଲେ ଯାଇ ଅର୍ଥ ମିଳିବ । ଏଥିଯୋଗୁଁ ଅନେକ ସରକାରୀ ପ୍ରକଳ୍ପ ସମେତ ରାସ୍ତାଘାଟ କାର୍ଯ୍ୟକୁ ଠିକାଦାରମାନେ ଯୁଦ୍ଧକାଳୀନ ଭିତ୍ତିରେ ଚଳାଇଥିଲେ । ହେଲେ ଏବେ ସରକାର କରୋନା ପାଇଁ ପ୍ରତିଦିନ ନୂଆ ନୂଆ କଟକଣା ଜାରି କରୁଥିବାରୁ କାର୍ଯ୍ୟ ସରିବାନେଇ ଆଶଙ୍କା ପ୍ରକାଶ ପାଇଲାଣି ।
କରୋନା କଟକଣା ଯୋଗୁଁ ଏବେ ରାଜଧାନୀ ସମେତ ରାଜ୍ୟର ପ୍ରାୟ ସମସ୍ତ ଛୋଟ ବଡ ସହରରୁ ଶ୍ରମିକମାନେ ଗାଁକୁ ପଳାଇ ଯାଉଛନ୍ତି । ଯେଉଁମାନେ ରହୁଛନ୍ତି ସେମାନେ ଭୟରେ ଘରୁ ପଦାକୁ ବାହାରୁ ନାହାନ୍ତି । ଏଥିଯୋଗୁଁ ସହରରେ ଏବେ କାମ କରିବାପାଇଁ ଆବଶ୍ୟକ ମୂଲିଆ ମିଳୁନଥିବାବେଳେ ଆଜିଠାରୁ ସରକାର ୭ଜଣରୁ ଅଧିକ ଲୋକ ଗୋଟିଏ ସ୍ଥାନରେ ରହିବା ଉପରେ କଟକଣା ଲଗାଇଛନ୍ତି । ଏହାଦ୍ୱାରା ନିର୍ମାଣ କାର୍ଯ୍ୟ କିଭଳି ସରିବ ତାହାକୁ ନେଇ ଠିକାଦାରମାନେ ଚିନ୍ତାରେ ପଡିଛନ୍ତି । ସେହିଭଳି ଗାଡିମୋଟରରେ ଯାତ୍ରୀ ସଂଖ୍ୟା ହ୍ରାସ ପାଉଥିବାରୁ ଅନେକ ଦୂରଗାମୀ ବସ୍ ମଧ୍ୟ ସେମାନଙ୍କ ଚଳାଚଳକୁ କମାଇ ଦେଉଛନ୍ତି । ଏଥିଯୋଗୁଁ ଶ୍ରମିକମାନେ ମାର୍ଚ୍ଚ ୩୧ ତାରିଖକୁ ଅପେକ୍ଷା ନକରି ଏବେ ନିଜ ନିଜ ଗାଁକୁ ପଳାଉଛନ୍ତି ।
ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କାମ ନସରିଲେ ଠିକାଦାରମାନେ ସେମାନଙ୍କ ପ୍ରାପ୍ୟ ସହଜରେ ପାଇବେ ନାହିଁ । କାରଣ ଚଳିତ ଆର୍ଥିକବର୍ଷ ବଜେଟ୍ରେ ଯେଉଁସବୁ ପ୍ରକଳ୍ପ ପାଇଁ ଅର୍ଥ ବରାଦ ହୋଇଛି ତାହାର ୟୁସି ନମିଳିଲେ ଅର୍ଥ ପ୍ରଦାନ କରିବା ସମ୍ଭବପର ହେବନାହିଁ । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଏ ନେଇ କୌଣସି ମାର୍ଗଦର୍ଶିକା ଜାରି କରିନଥିବାରୁ ଅନେକ ପ୍ରକଳ୍ପ କାର୍ଯ୍ୟର ଅର୍ଥ ପାଇବା ନେଇ ଠିକାଦାରମାନେ ଆଶା ଓ ଆଶଙ୍କାରେ ଅଛନ୍ତି ।