ରାଜ୍ୟ ସରକାର କିଛି ଅଧିକା ସୁଧ ଆଶାରେ ଶ୍ରୀମନ୍ଦିର ଜମା ଅର୍ଥକୁ ୟେସ ବ୍ୟାଙ୍କ ଭଳି ଏକ ଘରୋଇ ବ୍ୟାଙ୍କରେ ରଖିଥିବାବେଳେ ଆକଳନ କରିଥିବା ୮ ପ୍ରତିଶତ ସୁଧ ବଦଳରେ ମାତ୍ର ୨.୧୧ ସୁଧ ପାଇଛନ୍ତି ।
ଅଧିକା ସୁଧ ଲୋଭରେ ଘରୋଇ ବ୍ୟାଙ୍କରେ ଜଗନ୍ନାଥଙ୍କ ଅର୍ଥକୁ ରଖିଥିବା ରାଜ୍ୟ ସରକାର କହୁଥିବାବେଳେ ବର୍ତମାନ ତାହା ୮ ପ୍ରତିଶତରୁ ୨.୧୧ ପ୍ରତିଶତ ହେଲା କିପରି ବୋଲି ବିରୋଧିଦଳ ନେତା ପ୍ରଦୀପ୍ତ ନାଏକ ପ୍ରଶ୍ନ କରିଛନ୍ତି ।
ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମିଳିଥିବା ସୁଧର ହାର ରାଷ୍ଟ୍ରାୟତ ବ୍ୟାଙ୍କ ଦେଉଥିବା ସୁଧ ହାରରୁ ବି କମ୍ ରହିଛି । କାହିଁକି ଏତେ କମ୍ ସୁଧ ମିଳିଲାଓ ବାକି ସୁଧ ଅର୍ଥ କୁଆଡେ ଗଲା?
ସାଢେ ୪ କୋଟି ଓଡିଆଙ୍କ ପ୍ରାଣକେନ୍ଦ୍ର ଜଗନ୍ନାଥଙ୍କ ଅର୍ଥକୁ ଯେଉଁ ସରକାରୀ ଅଧିକାରୀମାନେ ଅଧିକ ସୁଧ ଦେଖାଇ ଘରୋଇ ବ୍ୟାଙ୍କରେ ରଖିଥିଲେ ସେମାନଙ୍କ ଠାରୁ ବାକି ସୁଧ ଅର୍ଥ ଆଦାୟ କର।।ଉ ବୋଲି ଶ୍ରୀ ନାଏକ ଦାବି କରିଛନ୍ତି ।
ବିରୋଧୀ ଦଳ ନେତା କହିଛନ୍ତି ଯେ ପୂର୍ବରୁ ଶ୍ରୀମନ୍ଦିର ଟଙ୍କାକୁ ରାଷ୍ଟ୍ରାୟାତ୍ତ ବ୍ୟାଙ୍କରେ ରଖାଯାଉଥିଲା । ଜଗନ୍ନାଙ୍କ ଟଙ୍କା ଘରୋଇ ବ୍ୟାଙ୍କରେ କିପରି ରହିଲା ତାହାର ପୁଙ୍ଖାନୁୁଙ୍ଖ ତଦନ୍ତ ହେବା ଦରକାର ।
ଏହା ସହ ଯେଉଁ ସରକାରୀ ଅଧିକାରୀମାନେ ମନ୍ଦିର ଟଙ୍କାକୁ ଘରୋଇ ବ୍ୟାଙ୍କରେ ରଖିଥିଲେ ସେମାନଙ୍କ ବିରୁଦ୍ଧରେ ତୁରନ୍ତ ରାଜ୍ୟସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଏହି କ୍ଷତି କାହିଁକି ହେଲା ତାହାର ସମୀକ୍ଷା କରନ୍ତୁ ବୋଲି ଶ୍ରୀ ନାଏକ ଦାବି କରିଛନ୍ତି ।
ୟେସ ବ୍ୟାଙ୍କ ସ୍ଥିତି ଖରାପ ହେବା ଏବଂ ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିବା ସତ୍ୱେ ଜଗନ୍ନାଥଙ୍କ ଜମା ଅର୍ଥ ଫେରି ଆସିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୃଢ ପ୍ରତିଶୃତି ଦେଇଥିଲେ । ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେ ପରେ ଶ୍ରୀମନ୍ଦିର ଅର୍ଥ ୟେସ ବ୍ୟାଙ୍କରୁ ଫେରି ଆସିଛି ।