ସେଲୁନ, ପାର୍ଲର, ସ୍ପାଗୁଡ଼ିକୁ କରୋନା ପରିପ୍ରେକ୍ଷୀରେ ବନ୍ଦ କରିଦିଆଯାଇଥିବା ବେଳେ ହାଟ, ବଜାର, ମଲ୍, ବାର୍ ଆଦି ଉପରେ କଟକଣା ଲାଗିଛି । କିନ୍ତୁ ମଦ ଦୋକାନରେ ମଦୁଆଙ୍କ ଗହଳି ଲାଗି ରହିଥିବା ବେଳେ ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ଏହା କିନ୍ତୁ ବନ୍ଦ ହେଉନାହିଁ । ଫଳରେ କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଯେତେସବୁ ମାର୍ଗଦର୍ଶିକା ଜାରି କରୁଛନ୍ତି ତାହାକୁ ନିଶାଡ଼ିମାନେ ଖୋଲା ଉଲ୍ଲଙ୍ଘନ କରିବା ଏକ ସମସ୍ୟା ଭାବେ ଉଭା ହୋଇଛି ।
ଏବେ ମଦ ଦୋକାନୀ ଓ ମଦୁଆମାନଙ୍କ ପାଇଁ ଯେଉଁ ପରାମର୍ଶ ଦିଆଯାଇଛି ସେଥିରେ ମଦ ବିକ୍ରି ଓ ସେବନ ଉପରେ କଟକଣା ନ ଥିବା ବେଳେ ମଦୁଆମାନେ ମଦ ଦୋକାନ ଆଗରେ ଗହଳି ନ କରି ଧାଡ଼ିରେ ନିରାପଦ ବ୍ୟବଧାନରେ ରହିବାକୁ କୁହାଯାଇଛି । ଏହାଛଡ଼ା ମଦ ବୋତଲ ଓ ମଦ ଦୋକାନ କାଉଣ୍ଟରକୁ ସାନିଟାଇଜ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ମଦ ଦୋକାନ କାଉଣ୍ଟରରେ ମଦ ବିକି ପଇସା ରଖୁଥିବା କର୍ମଚାରୀମାନଙ୍କ ପାଇଁ ସଂକ୍ରମଣର ଅଧିକ ଆଶଙ୍କା ଉପୁଜିଛି । ମଦୁଆମାନେ ମଦ କିଣିବାକୁ ଯେଉଁ ଟଙ୍କା ଦେଉଛନ୍ତି ତାହା ବିପଦମୁକ୍ତ ନୁହେଁ ବୋଲି କେତେକ ମଦ ଦୋକାନ କର୍ମଚାରୀ ସ୍ୱୀକାର କରୁଛନ୍ତି । ଏ ପରିପ୍ରେକ୍ଷୀରେ ମହାରାଷ୍ଟ୍ରରେ ଯେଭଳି ଅନ୍ଲାଇନ୍ରେ ମଦ ଘରକୁ ପଠାଇ ଦିଆଯାଉଛି ସେଭଳି ବିକଳ୍ପ ବ୍ୟବସ୍ଥା କରିବା କିମ୍ବା କରୋନା ବିପଦ ଟଳିବା ପର୍ଯ୍ୟନ୍ତ ରାଜ୍ୟର ମଦ ଦୋକାନଗୁଡ଼ିକୁ ବନ୍ଦ ରଖିବା ପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି ।
ଓଡ଼ିଶା ମଦ ମୁକ୍ତି ଅଭିଯାନ ପକ୍ଷରୁ କୁହାଯାଇଛି ଯେ ଯେକୌଣସି ରୋଗ ବ୍ୟାପିବା କ୍ଷେତ୍ରରେ ପ୍ରତି ମଣିଷ ଭିତରେ ଥିବା ରୋଗ ପ୍ରତିରୋଧକ ଶକ୍ତିର ଦୁର୍ବଳତା ବିଶେଷ ଭୂମିକା ନିଭାଇଥାଏ । ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ଲେଭଲ୍ ଅଧିକ ସେମାନେ ସାଧାରଣତଃ ଅଧିକ ସମୟ ପାଇଁ ରୋଗ ପ୍ରତିରୋଧ କରିପାରନ୍ତି ବୋଲି ବୈଜ୍ଞାନିକ ଓ ଡାକ୍ତରମାନେ ମତ ଦେଇଆସିଛନ୍ତି । କିନ୍ତୁ ମଦ ଓ ଅନ୍ୟାନ୍ୟ ନିଶା ସେବନ ଯୋଗୁ ସାଧାରଣତଃ ଗ୍ରୀଷ୍ମ ପ୍ରଧାନ ଅଞ୍ଚଳରେ ଲୋକଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିବା ସହିତ ସଂକ୍ରମଣ ସମ୍ଭାବନା ଅଧିକ ଥାଏ ।
ବିଶେଷଜ୍ଞମାନେ ଏକଥା ମଧ୍ୟ କହି ଆସୁଛନ୍ତି ଯେ ନିଶା ଯୋଗୁ କର୍କଟ, ଯକୃତ, ବୃକକ୍, ହୃଦ୍ଘାତ, ସ୍ନାୟବିକ ସମେତ ବିଭିନ୍ନ କିସମର ରୋଗ ସୃଷ୍ଟି ହୋଇଥାଏ । ଏ ପରିପ୍ରେକ୍ଷୀରେ କରୋନା ପ୍ରତିଷେଧ ପାଇଁ ରାଜ୍ୟ ସରକାର ଅନେକ ପ୍ରଶଂସନୀୟ ପଦକ୍ଷେପ ନେଉଥିବା ବେଳେ ନିଶା କାରବାର ଉପରେ ନିୟନ୍ତ୍ରଣ ଲଗାଇବା ପାଇଁ ମଦମୁକ୍ତି ଅଭିଯାନ ପକ୍ଷରୁ ଦାବି ହେଉଛି ।
ଅନ୍ୟପକ୍ଷରେ ଶିକ୍ଷାନୁଷ୍ଠାନ, ବନ୍ଦ ରଖାଯିବା, ହଷ୍ଟେଲ ଖାଲି କରାଯିବା ସମେତ ଅନ୍ୟାନ୍ୟ କଟକଣା ଜାରି ପରିପ୍ରେକ୍ଷୀରେ ହୋଟେଲ, ବାର୍ ଓ ମଦ ଦୋକାନଗୁଡ଼ିକରେ ଗ୍ରାହକଙ୍କ ସଂଖ୍ୟା ଅପେକ୍ଷାକୃତ କମ୍ ଲକ୍ଷ୍ୟ କରାଯାଉଛି । ତେବେ କେତେକ ସ୍ଥାନରେ ମଦୁଆମାନଙ୍କ ଉତ୍ପାତ ମଧ୍ୟ ଦେଖାଯାଉଛି ।