ରାଜ୍ୟରେ ଆଜି ଦ୍ୱିତୀୟ କରୋନା ସଂକ୍ରମଣ ରୋଗୀ ଚିହ୍ନଟ ହୋଇଛି । ଆରଏମ୍ଆରସିରେ ହୋଇଥିବା ନମୂନା ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଥିବା ଘେନି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
କରୋନା ସନ୍ଦେହରେ ଆଜି ମୋଟ ୧୪ଟି ନମୂନା ଆରଏମ୍ଆରସିକୁ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସେଥିରୁ ଗୋଟିଏ ପଜିଟିଭ ରହିଛି । ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲେ ମଧ୍ୟ ରୋଗୀଙ୍କ ସଂକ୍ରାନ୍ତରେ କୌଣସି ତଥ୍ୟ ପ୍ରଦାନ କରିନାହିଁ । ତେବେ କରୋନା ପଜିଟିଭ ଥିବା ବ୍ୟକ୍ତି ଜଣଙ୍କ ସଂକ୍ରମିତ ଦେଶରୁ ଓଡିଶା ଫେରିଥିବା ନେଇ ଚର୍ଚ୍ଚା ହେଉଛି ।
ଉଲ୍ଲେଖନୀୟ ଯେ ପୂର୍ବରୁ ଇଟାଲୀରୁ ଫେରିଥିବା ରାଜଧାନୀର ଜଣେ ଯୁବକଙ୍କ ଶରୀରରେ କରୋନା ଭୂତାଣୁ ଥିବା ପରୀକ୍ଷାରୁ ସ୍ପଷ୍ଟ ହେବାପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି । ଯୁବକ ଜଣଙ୍କ ଇଟାଲୀରୁ ଫେରି ଦିଲ୍ଲୀରେ କ୍ୱାରେଣ୍ଟାଇନ୍ରେ ରହିବାପରେ ରାଜଧାନୀ ଟ୍ରେନ ଯୋଗେ ୧୨ ତାରିଖରେ ଓଡିଶା ଫେରିଥିଲେ ।
ତେବେ ନମୂନା ପରୀକ୍ଷାରୁ ପଜିଟିଭ ଆସିଥିବା ଦ୍ୱିତୀୟ ବ୍ୟକ୍ତି ଜଣଙ୍କ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସରକାରଙ୍କ ପକ୍ଷରୁ ଏ ନେଇ ଖୋଳତାଡ ଆରମ୍ଭ ହୋଇଥିବା ସୂଚନା ମିଳୁଛି ।