ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ରବିବାର ଜନତା କର୍ଫ୍ୟୁ

ଆସନ୍ତା ୨୨ ମାର୍ଚ୍ଚ ରବିବାର ଦିନ ଜନତା କର୍ଫ୍ୟୁ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ସେହିଦିନ ସକାଳ ୭ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ଜରୁରି ସେବାରେ ନିୟୋଜିତ ଥିବା ଲୋକମାନଙ୍କୁ ବାଦ ଦେଇ ଅନ୍ୟମାନଙ୍କୁ ଘରୁ ନବାହାରିବା ଲାଗି ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଏପରି ଜନ ଆନ୍ଦୋଳନ ଏବଂ ଏଥିରୁ ମିଳିଥିବା ଅଭିଜ୍ଞତାକୁ ଆଧାର କରି ଆମେ ଆଗାମୀ ଦିନର ଆହ୍ୱାନକୁ ମୁକାବିଲା କରିପାରିବା । ମାର୍ଚ୍ଚ ୨୨ରେ ଆମର ପ୍ରୟାସ ଆମର ଆତ୍ମସଂଯମ ଏବଂ ଦେଶର ହିତ ପାଇଁ କର୍ତବ୍ୟ ପାଳନ ଦିଗରେ ଆମ ପ୍ରତିବଦ୍ଧତାର ପରିଚାୟକ ହେବ । ରାଜ୍ୟ ସରକାରମାନଙ୍କୁ ନେତୃତ୍ୱ ନେବାକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ଏନସିସି, ଏନଏସଏସ, ନାଗରିକ ସମାଜ ଭଳି ସଂଗଠନକୁ ଜନତା କର୍ଫ୍ୟୁ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଅନୁରୋଧ କରିଥିଲେ । ସେ ସମସ୍ତଙ୍କ ଅତିକମରେ ୧୦ ଜଣ ଲେଖାଏଁ ଲୋକଙ୍କୁ ଫୋନରେ ଜନତା କର୍ଫ୍ୟୁ ପାଳନ କରିବା ଲାଗି ସୂଚନା ଦେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଏହି ମହାମାରୀର ମୁକାବିଲା ଲାଗି ସଂଯମ ଓ ସଂକଳ୍ପର ଆବଶ୍ୟକତା ରହିଛି । ସେ ସମସ୍ତ ନାଗରିକଙ୍କୁ ରୋଗ ସଂକ୍ରମଣ ରୋକିବା ଲାଗି କେତେକ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ । ଏହି ମହାମାରୀକୁ ହାଲୁକା ଭାବେ ନନେବାକୁ ସେ ଅନୁରୋଧ କରିବା ସହିତ ଏହାର ନିରାକରଣ ଲାଗି ସତର୍କ ରହିବା ପାଇଁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ “ଆମେ ସୁସ୍ଥ ରହିଲେ ବିଶ୍ୱ ସୁସ୍ଥ ରହିବ” ମନ୍ତ୍ର ପାଳନ ପାଇଁ ଆହ୍ୱାନ କରିଥିଲେ । ‘ସାମାଜିକ ଦୂରତା’ ବା ସୋସିଆଲ ଡିଷ୍ଟାନ୍ସିଂ ନିୟମ ପାଳନ କରିବା ଲାଗି ସେ ନାଗରିକମାନଙ୍କୁ ଅନୁରୋଧ କରିଥିଲେ । ଏହି ନିୟମକୁ ଧୈର୍ଯ୍ୟର ସହ ପାଳନ କରିବା ଲାଗି ସେ ନାଗରିକମାନଙ୍କୁ ଅନୁରୋଧ କରିବା ସହ ଅତି ଜରୁରି ହେଲେ ଘରୁ ବାହାରିବା ଏବଂ ଘରେ ଥାଇ କାମ କରିବା ତଥା ଅଯଥା ଯାତ୍ରା ନକରିବା ପାଇଁ ଆହ୍ୱାନ କରିଥିଲେ ।

ଆସନ୍ତା କିଛି ସପ୍ତାହ ପର୍ଯ୍ୟନ୍ତ ୬୦ ବର୍ଷରୁ ଊଦ୍ଧ୍ୱର୍ ବୟସର ଲୋକମାନେ ଘରୁ ନବାହାରିବା ଲାଗି ପ୍ରଧାନମନ୍ତ୍ରୀ ବରିଷ୍ଠ ନାଗରିକମାନଙ୍କୁ ଅନୁରୋଧ କରିଥିଲେ । ସେ ଡାକ୍ତରଖାନାଗୁଡ଼ିକ ଉପରେ ପଡ଼ୁଥିବା ଚାପ ବିଷୟରେ ଉଲ୍ଲେଖ କରି ନାଗରିକମାନଙ୍କୁ ଅନୁରୋଧ କରିଥିଲେ ଯେ ରୁଟିନ ସ୍ୱାସ୍ଥ୍ୟ ପରୀକ୍ଷା ଆବଶ୍ୟକ ନଥିଲେ ତାହାକୁ ଏଡ଼ାଇଯିବା ଦରକାର ।

କରୋନା ମୁକାବିଲା ଦିଗରେ ବହୁ ସାହସୀ ଲୋକ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ସ୍ୱାସ୍ଥ୍ୟ କର୍ମୀ, ପୋଲିସ, ସରକାରୀ କର୍ମଚାରୀ, ବିମାନ ବନ୍ଦର କର୍ମଚାରୀ, ଗଣମାଧ୍ୟମ କର୍ମୀ, ବସ, ଟ୍ରେନ, ଅଟୋ ସେବାରେ ଥିବା କର୍ମୀ ଏବଂ ହୋମ ଡେଲିଭରି କରୁଥିବା କର୍ମଚାରୀ । ଏଭଳି କଷ୍ଟକର ସମୟରେ ସେମାନେ ଦେଶ ପାଇଁ ବହୁତ ବଡ଼ ସେବା କରୁଛନ୍ତି ।

ସେମାନଙ୍କୁ ସମ୍ମାନ ଜଣାଇବା ଲାଗି ମାର୍ଚ୍ଚ ୨୨ ସନ୍ଧ୍ୟା ୫ଟାରେ ସମସ୍ତେ ସେମାନଙ୍କ ଘର ଦ୍ୱାର କିମ୍ବା ବାଲକୋନିରେ ଛିଡ଼ା ହୋଇ ୫ ମିନିଟ ପର୍ଯ୍ୟନ୍ତ ତାଳି ମାରି କିମ୍ବା ଘଂଟି ବଜାଇ ଧନ୍ୟବାଦ ପ୍ରକଟ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ସେହିପରି ଅପରାହ୍ଣ ୫ଟାରେ ସାଇରନ ବଜାଇ ସେମାନଙ୍କୁ ଧନ୍ୟବାଦ ଜଣାଇବା ଲାଗି ସେ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରିଥିଲେ ।

ଏହି ମହାମାରୀ ଦ୍ୱାରା ପଡ଼ିଥିବା ଆର୍ଥିକ ଆହ୍ୱାନର ମୁକାବିଲା ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ‘କୋଭିଡ-୧୯ ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ’ ଗଠନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଏହି ଟାସ୍କଫୋର୍ସ ବିଭିନ୍ନ ଅଂଶୀଦାରଙ୍କ ସହିତ ଆଲୋଚନା କରି ମତାମତ ସଂଗ୍ରହ କରିବ ଏବଂ ଏହାରି ଆଧାରରେ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ପଦକ୍ଷେପ ନେବ ।

ପ୍ରଧାନମନ୍ତ୍ରୀ ମଧ୍ୟ ବ୍ୟବସାୟୀ ଗୋଷ୍ଠୀ ଏବଂ ଉଚ୍ଚ ଆୟ ବର୍ଗର ଲୋକମାନଙ୍କୁ ଅନୁରୋଧ କରି କହିଥିଲେ ଯେ ସେବା ଯୋଗାଉଥିବା ନିମ୍ନ ଆୟ ବର୍ଗର ଲୋକମାନଙ୍କ ଦରମା ଏଭଳି ସଂକଟଜନକ ପରିସ୍ଥିତିରେ ସେମାନେ କାଟିବା ଅନୁଚିତ । କାର୍ଯ୍ୟସ୍ଥଳୀକୁ ଆସିନପାରି ସେବା ଯୋଗାଇବାକୁ ଅସମର୍ଥ ହେଉଥିବା ଲୋକଙ୍କ ପ୍ରତି ମାନବିକତାର ସହ ବିଚାର କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ ।

ଖାଦ୍ୟ, କ୍ଷୀର, ଔଷଧ ଆଦି ଜରୁରି ସାମଗ୍ରୀର ଅଭାବ ହେବ ନାହିଁ ଏବଂ ଏ ଦିଗରେ ଯଥେଷ୍ଟ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଥିଲେ । ତେଣୁ ଅଯଥା ଆତଙ୍କିତ ହୋଇ କିଣାକିଣି ନକରିବାକୁ ସେ ଅନୁରୋଧ କରିଥିଲେ । 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023