ଅଦ୍ୟାବଧି ଓଡ଼ିଶାରେ ୬୧ଟି ନମୁନା ପରୀକ୍ଷା କରାଯାଇଛି । ସେଥିରୁ ୬୦ଟି କରୋନା ନେଗେଟିଭ୍ ଥିବାବେଳେ ଗୋଟିଏ ପଜିଟିଭ୍ ଚିହ୍ନଟ ହୋଇଛି । ଗତକାଲି ୫ଟି ନମୁନା ପରୀକ୍ଷା କରାଯାଇଥିଲା ଏବଂ ସେସବୁ କରୋନା ନେଗେଟିଭ୍ ରିପୋର୍ଟ ଆସିଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍ଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଆଜି ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଓଡ଼ିଶାରେ କୋଭିଡ୍-୧୯ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୨୩ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ଡାକ୍ତରଖାନାରେ ଆଇସୋଲୋସନ୍ରେ ରଖାଯାଇଛି । ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ୍ କଲେଜ୍ ହସ୍ପିଟାଲ୍ଗୁଡ଼ିକରେ ଆଇସୋଲେସନ୍ ସୁବିଧା ଉପଲବ୍ଧ ଅଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ୩୧୮୩ଟି ଆଇସୋଲେସନ୍ ବେଡ୍ ପ୍ରସ୍ତୁତ ଅଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ ହେଲ୍ପ ଲାଇନ୍କୁ ୧୨,୨୬୮ କଲ୍ ଆସିଛି । ଆଜି ଅପରାହ୍ନ ୨ଟା ସୁଦ୍ଧା ବିଦେଶରୁ ଫେରିଥିବା ୨୬୦୦ ଜଣଙ୍କ ନାମ ପଞ୍ଜୀକରଣ କରାଯାଇଛି । ସହରାଞ୍ଚଳରେ ୪୫୦ଟି କୋଠା ଚିହ୍ନଟ କରାଯାଇଛି ଯେଉଁଥିରେ କି ୫୧ ହଜାର ୧୬୦ଜଣ ବ୍ୟକ୍ତି ଏହାର ସୁବିଧା ନେଇପାରିବେ ।
ଆଜି ରାଜ୍ୟର ୬୭୯୮ଟି ଗ୍ରାମପଞ୍ଚାୟତରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ କି ରାଜ୍ୟର ୨ ଲକ୍ଷ ୩୭ ହଜାର ପଞ୍ଚାୟତିରାଜ ପ୍ରତିନିଧି ଯୋଗ ଦେଇଥିଲେ । ଗ୍ରାମାଞ୍ଚଳରେ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟର ୬ ହଜାର ୭୯୮ଟି ଗ୍ରାମପଞ୍ଚାୟତର ୭ ହଜାର ୧୭୬ଟି ଅସ୍ଥାୟୀ ଚିକିତ୍ସା ଶିବିର ସ୍ଥାପନ କରାଯାଇଛି । ଫଳରେ ଶଯ୍ୟା ସଂଖ୍ୟା ୪ ଲକ୍ଷ ୨୨ ହଜାର ୪୨୬କୁ ବୃଦ୍ଧି ପାଇଛି ।
ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସରକାରୀ କର୍ମଚାରୀମାନଙ୍କ ପାଇଁ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯଦି ଦୈବାତ୍ କୌଣସି କର୍ମଚାରୀଙ୍କର କୋଭିଡ୍-୧୯ ଭୂତାଣୁ ଲକ୍ଷଣ ଦେଖାଦିଏ, ତେବେ ସେ ତୁରନ୍ତ ନିଜର ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହିତ କାର୍ଯ୍ୟକ୍ଷେତ୍ରକୁ ନଆସିି ୧୪ ଦିନ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନ୍ ଉଦ୍ଦେଶ୍ୟରେ ଛୁଟି ଆବେଦନ କରିବେ ।
ପୁନଶ୍ଚ ଯଦି କୌଣସି ସରକାରୀ କର୍ମଚାରୀ ୪ ମାର୍ଚ୍ଚ ପରେ ବିଦେଶରୁ ଫେରିଥିବା ପରିବାର ସଦସ୍ୟଙ୍କ ସହିତ ରହୁଥିବେ ତେବେ ସେ ୧୪ଦିନ ସଂଗରୋଧରେ ରହିବେ । ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ କାର୍ଯ୍ୟାଳୟ ମୁଖ୍ୟଙ୍କ ନିର୍ଦ୍ଦେଶ କ୍ରମେ ରୋଷ୍ଟର ଡୁ୍ୟଟିରେ କାର୍ଯ୍ୟାଳୟ ଆସିବେ । ଏ ସଂପର୍କିତ ଆବଶ୍ୟକୀୟ ନିର୍ଦ୍ଦେଶନାମା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି କରାଯାଇଛି ।
ଜିଲ୍ଲା ମୁଖ୍ୟାଳୟ କାରାଗାରମାନଙ୍କରେ ଇ-ମୁଲାକାତ ବ୍ୟବସ୍ଥା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଅନ୍ୟାଦେଶ ପର୍ଯ୍ୟନ୍ତ ହାଇ-ଏଣ୍ଡ୍ ସେଲୁନ୍, ବୁ୍ୟଟିପାର୍ଲର, ସ୍ପା ଆଦି ନିଶ୍ଚିତ ଭାବେ ବନ୍ଦ ରହିବ । ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯିବ । ସଂଗ୍ରହାଳୟ, ଗ୍ରନ୍ଥାଗାର, ଥିଏଟରଗୁଡ଼ିକ ବନ୍ଦ ରହିବ ।
ଗାଧୁଆ, ପରିଷ୍କାର ପରିଚ୍ଛନ୍ନତା ଓ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ସର୍ବସାଧାରଣଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ପୋଖରୀ ଭଳି ଜଳାଶୟଗୁଡ଼ିକରୁ ଯଥାସମ୍ଭବ ଦୂରେଇ ରହିବା ଆବଶ୍ୟକ । ଏହା ପରିବର୍ତ୍ତେ ନଳକୂପ ଏବଂ ପାଇପ୍ ଜଳଯୋଗାଣ ବ୍ୟବସ୍ଥାର ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଜରୁରୀକାଳୀନ ସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଆବାସିକ କଲ୍ୟାଣ ସଂଘ (ରେସିଡେଣ୍ଟ େୱଲ୍ଫେୟାର ଆସୋସିଏସନ୍)ଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛିି ।
୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଜଙ୍ଗଲ ଓ ପରିବେଶ ବିଭାଗ ପରିଚାଳନାଧୀନ ଭିତରକନିକା ପ୍ରକୃତି ଶିବିର, ରାଜ୍ୟର ସମସ୍ତ ଚିଡ଼ିଆଖାନା, ପରିବେଶ-ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ବନ୍ଦ କରାଯାଇଛି । ଆଞ୍ଚଳକ ଉଦ୍ଭିଦ ଗବେଷଣା କେନ୍ଦ୍ର, ଭୁବନେଶ୍ୱରର ଉଦ୍ଭିଦ ଉଦ୍ୟାନକୁ ପ୍ରତିଦିନ ଅପରାହ@ ୨ଟାରୁ ବନ୍ଦ ରଖାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଦ୍ରବ୍ୟ ଓ ସାମଗ୍ରୀ ନେଇ ଚଳାଚଳ କରୁଥିବା ବସ୍, ଟ୍ରେନ୍ ଏବଂ ଗାଡ଼ିଗୁଡ଼ିକ ରାଜ୍ୟ ଭିତରେ କିମ୍ବା ଆନ୍ତରାଜ୍ୟ ସୀମାରେ ବନ୍ଦ ହେବ ନାହିଁ । କୁକଡ଼ା, କୁକଡ଼ା ଅଣ୍ଡା ସହ ଅନ୍ୟ ପୋଲଟି୍ର ଉତ୍ପାଦ ନିରାପଦ ଅଟେ । ଏସବୁ ପରିହବନ ଓ ବ୍ୟବହାର ସମୟରେ ଆବଶ୍ୟକୀୟ ପରିଚ୍ଛନ୍ନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।
ବିପିୟୁଟି ଏବଂ ଭିସୁଟ୍ର ଶେଷ ସେମିଷ୍ଟାର ଏବଂ ବ୍ୟାକ୍ ପେପର୍ର ସମସ୍ତ ପରୀକ୍ଷାଗୁଡ଼ିକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସୋମବାର ଅର୍ଥାତ୍ ୨୩ ମାର୍ଚ୍ଚ ୨୦୨୦ ଠାରୁ ଉଚ୍ଚ ମାଧ୍ୟମିକ ପରୀକ୍ଷା-୨୦୨୦କୁ ସ୍ଥଗିତ ରଖାଯାଇଛି ।