
ମାର୍ଚ୍ଚ ୨୦ ତାରିଖରୁ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ଦର୍ଶନ ପାଇଁ ଯାଇପାରିବେ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି କଟକଣା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲଗାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର । ଡକ୍ଟର କୁମାର କହିଛନ୍ତି ଯେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦର୍ଶନାର୍ଥୀଙ୍କ ପାଇଁ ଏଭଳି କଟକଣା ଜାରି ହୋଇଥିବାବେଳେ ଶ୍ରୀଜୀଉମାନଙ୍କ ନୀତିକାନ୍ତି ପାଇଁ କିନ୍ତୁ ସେବାୟତମାନେ ପୂର୍ବ ଭଳି ଶ୍ରୀମନ୍ଦିରକୁ ଯାଇପାରିବେ ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବାପରେ ପୁରୀ ସମେତ ସମଗ୍ର ରାଜ୍ୟରେ ସରକାର କଟକଣା ଜାରିଛନ୍ତି । ପୁରୀକୁ ଦେଶ ବିଦେଶରୁ ସର୍ବାଧିକ ପର୍ଯ୍ୟଟକ ଆସୁଥିବା ଯୋଗୁଁ ଶ୍ରୀକ୍ଷେତ୍ରରେ କଟକଣାକୁ କଡାକଡି କରାଯାଇଛି ।
ପ୍ରଥମେ ଶ୍ରୀମନ୍ଦିର ଭିତରେ ଲୋକେ ଯେଭଳି ଅଧିକ ଭିଡ ନକରିବେ ସେଥିପାଇଁ ପରାମର୍ଶ ଦିଆଯାଇଥିବାବେଳେ ପରେ ମନ୍ଦିରକୁ ଯାଉଥିବା ଭକ୍ତମାନଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରାଯାଇଥିଲା । ସେବାୟତମାନେ ମଧ୍ୟ ମାସ୍କ ପିନ୍ଧିବେ ବୋଲି ଶ୍ରୀମନ୍ଦିର ପରାମର୍ଶ କହିଥିଲେ ।
ସେହିଭଳି ପୁରୀକୁ ଯେଭଳି ବାହାର ପର୍ଯ୍ୟଟକ ନଆସିବେ ଓ ପୁରୀରେ ଥିବା ପର୍ଯ୍ୟଟକମାନେ ତୁରନ୍ତ ସହର ଛାଡିବେ ସେ ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରୁଛି । ପୁରୀକୁ ଯାଇଥିବା ସମସ୍ତ ସଡକ ଗୁଡିକ ପୁଲିସ୍ ପକ୍ଷରୁ ସିଲ୍ କରାଯିବା ସହିତ ପର୍ଯ୍ୟଟକଙ୍କ ଗାଡି ଛଡା ଯାଉନାହିଁ । ଅତି ଆବଶ୍ୟକ ନଥିଲେ ପୁରୀବାସୀ ମଧ୍ୟ ସହର ବାହାରକୁ ନଯିବାପାଇଁ ପ୍ରଶାସନ ପରାମର୍ଶ ଦେଇଛି ।