କରୋନା ଯୋଗୁଁ ରାଜ୍ୟରେ ବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକାରୀତା ଧିମେଇ ଯାଇଛି । ତେଣୁ କେନ୍ଦ୍ର ସରକାରଙ୍କ ଅନ୍ୟତମ ଫ୍ଲାଗସିପ୍ ଯୋଜନା ଦୀନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା (ଡିଡିୟୁଜିଜେୱାଇ) ଲାଗି ଅଧିକ ସମୟ ଦେବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି ।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ନେଇ କେନ୍ଦ୍ର ଶକ୍ତି ସଚିବ ସଞ୍ଜୀବ ନନ୍ଦନ ସହାଇଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପୂର୍ବରୁ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଏହି ଯୋଜନାରେ ହିତାଧିକାରୀଙ୍କ ଘରକୁ ବିଦ୍ୟୁତ ସଂଯୋଗ ଲାଗି ଅତିରିକ୍ତ ଭିତ୍ତିଭୂମି ଆବଶ୍ୟକ ପଡୁଥିବାରୁ ପ୍ରକଳ୍ପ ଅବଧିକୁ ୨୦୨୦ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ମୁଖ୍ୟ ଶାସନ ସଚିବ ଦର୍ଶାଇଛନ୍ତି ଯେ ଓଡିଶାରେ ଏହି ପ୍ରକଳ୍ପ କାର୍ଯ୍ୟକୁ ଦୁଇ କେନ୍ଦ୍ରୀୟ ରାଷ୍ଟ୍ରାୟତ ସଂସ୍ଥା ସହିତ ଓପିଟିସିଏଲ୍ କାର୍ଯ୍ୟକାରୀ କରୁଥିବାବେଳେ ଧାର୍ଯ୍ୟ ସମୟରେ କାର୍ଯ୍ୟ ସାରିବା ନେଇ ସମୀକ୍ଷା କରାଯାଉଛି ।
ରାଜ୍ୟରେ ଦେଖା ଦେଇଥିବା ତିତଲି ଓ ଫନି ବାତ୍ୟାରେ ବିଦ୍ୟୁତ୍ ଭିତ୍ତିଭୂମି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିପାଇଁ ନିକଟରେ ଅଧିକ ମାନବ ସମ୍ବଳ ପଠାଯିବା ସହିତ ଅଧିକ ସାମଗ୍ରୀ ବିଭିନ୍ନ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି । ତିତଲି ଓ ଫନିରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ବିଦ୍ୟୁତ୍ ଭିତ୍ତିଭୂମିର ସର୍ବାଧିକ କ୍ଷତି ହୋଇଥିଲା । ତେଣୁ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସାରିବାପାଇଁ ଦାୟିତ୍ୱ ନେଇଥିବା ବିଭିନ୍ନ ସଂସ୍ଥାଙ୍କୁ ରାଜ୍ୟ ସରକାର ତାଗିଦା କରିଥିଲେ ।
ଯୁଦ୍ଧକାଳୀନ ଭିତ୍ତିରେ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ଏହା ଉପରେ ଏବେ କରୋନା ପ୍ରଭାବ ପଡିଛି । ବିଶେଷକରି ମାର୍ଚ୍ଚ ମାସରେ କରୋନା ଯୋଗୁଁ ଠିକାଦାର ମାନେ କାମ କରିବାପାଇଁ ଆବଶ୍ୟକ ଲୋକ କିମ୍ବା ସାମଗ୍ରୀ ପାଉନାହାନ୍ତି । ତେଣୁ ଏଭଳି ସ୍ଥିତିରେ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ବିଭିନ୍ନ ଦିଗକୁ ବିଚାର କରି ଦୀନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାର ଧାର୍ଯ୍ୟ ସମୟକୁ ୨୦୨୦ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।