ମୋବାଇଲ୍ ମେସେଜ ମାଧ୍ୟମରେ ଲୋକଙ୍କୁ କରୋନା ସଂକ୍ରାନ୍ତରେ ସଚେତନ କରାଯିବ । ଏଥିପାଇଁ ଅଢେଇ କୋଟି ମୋବାଇଲକୁ ମେସେଜ ପଠାଇବାପାଇଁ ନିଷ୍ପତ୍ତି ହୋଇଛି ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଏ ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ । ଏହି ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ଶାସନ ସଚିବ, ମେଡିକାଲ ନିଗମର ପରିଚାଳନା ନିର୍ଦ୍ଦେଶକ, ଓସ୍ଡମାର ବରିଷ୍ଠ ଅଧିକାରୀଙ୍କ ସମେତ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍ଏନ୍ଏଲ୍), ଏୟାରଟେଲ, ରିଲାୟନ୍ସ ଜିଓ ସମେତ ଭୋଡାଫୋନ-ଆଇଡିଆ ଆଦି ଟେଲିଫୋନ ସେବା ଯୋଗାଣକାରୀ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ ।
ଆର୍ନ୍ତଜାତୀୟ ସ୍ତରରେ କରୋନା ମହାମାରୀର ରୂପ ନେଇଥିବାବେଳେ କେନ୍ଦ୍ର ସରକାର ଏହାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ସେହିଭଳି ରାଜ୍ୟ ସରକାର ମଧ୍ୟ ଏହାକୁ ବିପର୍ଯ୍ୟୟ ପରିଚାଳନା ଆଇନ୍ର ଧାରା ୧୫ ଅନୁଯାୟୀ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । କରୋନା ରାଜ୍ୟରେ ଯେଭଳି ନବ୍ୟାପିବ ସରକାର ସେ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେଣୁ ଲୋକଙ୍କୁ ଏସ୍ଏମ୍ଏସ୍ ଓ ଭଏସ୍ ମେସେଜ ମାଧ୍ୟମରେ କରୋନା ମୁକାବିଲା ସଂକ୍ରାନ୍ତରେ ସଚେତନ କରିବାଲାଗି ଟେଲିଫୋନ୍ ସେବା ଯୋଗାଣକାରୀ ସଂସ୍ଥା ଗୁଡିକ ଆଗେଇ ଆସିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା ଆହ୍ୱାନ ଦେଇଛନ୍ତି ।
ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଭୟ ଓଡିଆ ଓ ଇଂରାଜୀ ଭାଷାରେ କରୋନା ସଚେତନତା ବାର୍ତ୍ତା ପ୍ରସାର କରାଯିବ । ଏଥିପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦପ୍ତରର ଜଣେ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି । ବିଏସ୍ଏନ୍ଏଲ୍କୁ ସମ୍ପୃକ୍ତ ନୋଡାଲ ଅଫିସର ଆବଶ୍ୟକ ପ୍ରଚାର ସାମଗ୍ରୀ ଯୋଗାଇଦେବେ । ଏହି ବାର୍ତ୍ତାକୁ ସମ୍ପୂର୍ଣ୍ଣ ମାଗଣାରେ ଲୋକଙ୍କ ନିକଟରେ ପହଞ୍ଚାଯିବ ।
ଉଲ୍ଲେଖନୀୟ ଯେ ଗତବର୍ଷ ଆସିଥିବା ଫନି ବାତ୍ୟା ସମୟରେ ଏସ୍ଆରସିଙ୍କ ପକ୍ଷରୁ ଲୋକଙ୍କୁ ସତର୍କ କରାଇବାପାଇଁ ମୋବାଇଲ୍ ମେସେଜର ସହାୟତା ନିଆଯାଇଥିଲା ଯାହାକି ଲୋକଙ୍କ ଧନ ଜୀବନ ରକ୍ଷା କ୍ଷେତ୍ରରେ ବେଶ୍ ଉପଯୋଗୀ ହୋଇଥିଲା । ବର୍ତ୍ତମାନ କରୋନା ମୁକାବିଲା ଲାଗି ଅନୁରୂପ ଭାବେ ମେସେଜ ପଠାଇ ସଚେତନ କରିବାକୁ ସ୍ଥିର ହୋଇଛି ।