ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

କରୋନା ପାଇଁ ମାମଲା ବାଧାପ୍ରାପ୍ତ

କରୋନାରୁ ବର୍ତ୍ତିବାପାଇଁ ଓଡିଶା ହାଇକୋର୍ଟ ସମେତ ରାଜ୍ୟର ଅନେକ ଅଞ୍ଚଳରେ ଓକିଲମାନେ ସର୍ବସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଅଦାଲତକୁ ଆସୁନଥିବା ଯୋଗୁଁ ମାମଲା ବିଚାର ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । କେବଳ ସେତିକି ନୁହେଁ ଆଇନ୍‍ଜୀବୀଙ୍କ ଅନୁପସ୍ଥିତ ଯୋଗୁଁ ଜାମିନ ଆବେଦନ ଅନେକ ସ୍ଥଳରେ ଶୁଣାଣି ହୋଇନପାରିବା ଫଳରେ ଜେଲ୍‍ ଗୁଡିକରେ ବନ୍ଦୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି ।

କରୋନାକୁ ଆର୍ନ୍ତଜାତିକ, ଜାତୀୟ ଓ ରାଜ୍ୟ ସ୍ତରରେ ବିପର୍ଯ୍ୟୟ ଭାବେ ଘୋଷଣା କରାଯିବା ପରେ ସୁପ୍ରିମ୍‍କୋର୍ଟ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରି କୋର୍ଟ ମଧ୍ୟକୁ ସୀମିତ ସଂଖ୍ୟକ ଓକିଲ ଓ ପକ୍ଷ ଆସିବା ଏବଂ ଜରୁରୀ ମାମଲାର ଶୁଣାଣି ଉପରେ ଗୁରୁତ୍ୱଆରୋପ କରିବାକୁ କହିଛନ୍ତି । ଏହି ସମସ୍ୟାକୁ ଆଖିଆଗରେ ରଖି ବମ୍ବେ ହାଇକୋର୍ଟ କାର୍ଯ୍ୟ ସମୟ ହ୍ରାସ କରିଥିବାବେଳେ ଓଡିଶା ସମେତ ଦେଶର ବିଭିନ୍ନ ହାଇକୋର୍ଟ ମଧ୍ୟ କୋର୍ଟ ପ୍ରକୋଷ୍ଠରେ ଯେପରି ଅଧିକ ଲୋକ ନରହିବେ ସେଥିଘେନି ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରି କେବଳ ନିହାତି ଜରୁରୀ ମାମଲା ଶୁଣାଣି ଉପରେ ଗୁରୁତ୍ୱଆରୋପ କରିଛନ୍ତି ।

କରୋନା ଲାଗି କଟକଣା ଜାରି ଥିବା ସମୟରେ ଯଦି କୌଣସି ପକ୍ଷର ଓକିଲ ଅଦାଲତରେ ଉପସ୍ଥିତ ହୋଇ ନପାରନ୍ତି ତେବେ ସେହି ମାମଲା ଖାରଜ ହେବନାହିଁ ବୋଲି ମଧ୍ୟ ହାଇକୋର୍ଟ ରେଜିଷ୍ଟ୍ରି ସ୍ପଷ୍ଟ କରିସାରିଛନ୍ତି । ଇତି ମଧ୍ୟରେ ଓଡିଶା ରାଜ୍ୟ ବାର କାଉନସିଲ୍‍ ଏକ ପ୍ରସ୍ତାବ ଗ୍ରହଣ କରି କରୋନା ପାଇଁ କୋର୍ଟ କଚେରୀ ବନ୍ଦ ରଖିବାକୁ କହିଛନ୍ତି । ଓଡିଶା ହାଇକୋର୍ଟ ଓକିଲ ସଂଘ ଏକ ଜରୁରୀ ବୈଠକରେ ଅନ୍ତତଃ ପକ୍ଷେ ଚଳିତମାସ ଶେଷ ପର୍ଯ୍ୟନ୍ତ ଜନସାଧାରଣଙ୍କ ବୃହତ୍ତର ସ୍ୱାଥଁ ଦୃଷ୍ଟିରୁ ଓକିଲ ଓ ପକ୍ଷମାନେ ଚଳିତମାସ ଶେଷ ପର୍ଯ୍ୟନ୍ତ କୋର୍ଟରେ ଉପସ୍ଥିତ ରହିବେନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

କଟକ ସମେତ ରାଜ୍ୟର ଆଉ କେତେକ ଓକିଲ ସଂଘ ମଧ୍ୟ ଅନୁରୂପ ପ୍ରସ୍ତାବ ଗ୍ରହଣ କରିଛନ୍ତି । ସେମାନଙ୍କ ଯୁକ୍ତି ହେଉଛି ଯେ କୋର୍ଟକୁ ସୀମିତ ସଂଖ୍ୟକ ବ୍ୟକ୍ତିଙ୍କୁ ଛଡାଯିବାପରେ କୋର୍ଟ ବାହାରେ ବହୁ ସଂଖ୍ୟକ ଓକିଲ ଓ ମହକିଲ ଜମାହୋଇ ରହୁଛନ୍ତି । ଏହାଛଡା ମାମଲା ଦୃଷ୍ଟିରୁ ଦୂର ଦୂରାନ୍ତରୁ ମଧ୍ୟ ପକ୍ଷମାନେ ବସ୍‍, ରେଳ ଆଦିରେ ଆସୁଛନ୍ତି । ଏହାଦ୍ୱାରା କରୋନା ସଂକ୍ରମିତ ହେବାର ଅଧିକ ସମ୍ଭାବନା ଥିବାରୁ ଆପାତତଃ କୋର୍ଟ କାର୍ଯ୍ୟରୁ ଓକିଲମାନେ ବିଭିନ୍ନ ଅଦାଲତରେ ଦୂରେଇ ରହୁଛନ୍ତି ।

ଏବେ ରାଜ୍ୟରେ ୧୨ଲକ୍ଷରୁ ଅଧିକ ମାମଲା ପଡି ରହିଛି । ଜେଲ୍‍ ଗୁଡିକରେ ପ୍ରାୟ ୧୯ହଜାର ବନ୍ଦୀ ଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଚାରାଧିନ କଏଦୀ । ଏହି କଏଦୀମାନଙ୍କ ଭିତରୁ ଅନେକଙ୍କ ଜାମିନ ଆବେଦନ ମଧ୍ୟ ବିଭିନ୍ନ ଅଦାଲତରେ ପଡି ରହିଛି । କରୋନା ଆତଙ୍କ ପରିପ୍ରେକ୍ଷୀରେ ଏଥିରୁ ବର୍ତ୍ତିବା ଲାଗି ସରକାର ବିଭିନ୍ନ କଟକଣା ଜାରି କରିବା ସହ ବ୍ୟାପକ ଜନସଚେତନତା ସୃଷ୍ଟି କରୁଛନ୍ତି । ଏହି ଆଧାରରେ ଓକିଲମାନେ ସାମୂହିକ ସ୍ୱାର୍ଥ ଦୃଷ୍ଟିରୁ କୋର୍ଟ କାର୍ଯ୍ୟରେ ସାମିଲ ନହେବା ଫଳରେ ବିଚାର ପ୍ରକ୍ରିୟା ହାଇକୋର୍ଟ ଓ ଅନେକ ଅଦାଲତରେ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023