ମହାନଦୀ ଶଯ୍ୟାରେ ଚାଲିଥିବା ବିଭିନ୍ନ ନିର୍ମାଣକାର୍ଯ୍ୟ ଓ ଜବରଦଖଲ ପ୍ରସଙ୍ଗ ଉଠିଛି ନୂଆଦିଲ୍ଲୀର ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲରେ । ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ ଟ୍ରିବ୍ୟୁନାଲ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିବା ସଂଗେ ସଂଗେ ଅଭିଯୋଗର ତଦନ୍ତକରି ରିପୋର୍ଟ ଦେବାଲାଗି ଏକ ତିନିଜଣିଆ କମିଟି ଗଠନ କରିଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ କିଶନନଗର ତହସିଲ ଅର୍ନ୍ତଗତ ରଟିଲୋ ମୌଜାରେ ମହାନଦୀ ଶଯ୍ୟାକୁ ଜବରଦଖଲ କରାଯିବା ଓ ନଦୀ ଶଯ୍ୟାରେ ବିଭିନ୍ନ ନିର୍ମାଣକାର୍ଯ୍ୟ ଚାଲିଥିବା ପ୍ରସଙ୍ଗରେ ଦିଲ୍ଲୀପ କୁମାର ସାମନ୍ତରାୟ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲର ଦିଲ୍ଲୀସ୍ଥିତ ପ୍ରମୁଖ ବେଞ୍ଚରେ ଏକ ମାମଲା ରୁଜୁ କରିଛନ୍ତି । ଏଠାରେ ପଞ୍ଚମୁଖୀ ହନୁମାନ ମନ୍ଦିର, ମାର୍କେଟ କମ୍ପେ୍ଲକ୍ସ, ଶଶ୍ମାନଘାଟ, କଲ୍ୟାଣମଣ୍ଡପ, ଶୌଚାଗାର ଆଦି ନିର୍ମାଣ ଚାଲୁଛି । ସବୁ ଜାଣିଶୁଣି ପ୍ରଶାସନ ବେଆଇନ୍ ନିର୍ମାଣକୁ ପ୍ରୋତ୍ସାହନ ଦେଉଛି । ଏଥିଯୋଗୁଁ ମହାନଦୀ ପ୍ରଦୂଷିତ ହେବା ସଂଗେ ସଂଗେ ଏହାର ଶଯ୍ୟା ମଧ୍ୟ ପ୍ରଭାବିତ ହେଉଛି ।
ମାମଲାଟିକୁ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲର ବିଚାର ବିଭାଗୀୟ ସଦସ୍ୟ ଜଷ୍ଟିସ ଏସ୍.ପି.ୱାଙ୍ଗ୍ଡି ଓ ବିଶେଷଜ୍ଞ ସଦସ୍ୟ ସିଦ୍ଧାନ୍ତ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଚାର ପାଇଁ ଗ୍ରହଣ କରିବା ସହିତ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରି ଜବାବ ରଖିବାକୁ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୧୬ ତାରିଖରେ ହେବ ।
ଗ୍ରିନ୍ ଟ୍ରିବ୍ୟୁନାଲ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ ଜଳସମ୍ପଦ ବିଭାଗର ସଚିବ, କଟକ ଜିଲ୍ଲାପାଳ ଏବଂ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ପ୍ରତିନିଧିଙ୍କୁ ନେଇ ଅଭିଯୋଗର ତଦନ୍ତ ଲାଗି ଏକ କମିଟି ଗଢାଯିବ । କଟକ ଜିଲ୍ଲାପାଳ ଏହି କମିଟିର ନୋଡାଲ ଏଜେନ୍ସି ଭାବେ କାମ କରିବେ । ଜିଲ୍ଲାପାଳ ସମନ୍ୱୟ ରକ୍ଷାକରି କମିଟିକୁ ତଦନ୍ତ ଲାଗି ସମସ୍ତ ପ୍ରକାର ସହଯୋଗ ଦେବେ ।
ପରବର୍ତ୍ତୀ ଶୁଣାଣି ତାରିଖ ପୂର୍ବରୁ ଅର୍ଥାତ୍ ଏପ୍ରିଲ ୧୬ ସୁଦ୍ଧା କମିଟି ତାଙ୍କ ରିପୋର୍ଟ ଓ ଏହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହାର ବିଶଦ ବିବରଣୀ ଟ୍ରିବ୍ୟୁନାଲଙ୍କୁ ଜଣାଇବେ ।