କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକକାଳୀନ ଚାରିମାସର ଭତ୍ତା ପ୍ରଦାନ କରିବେ । ଆସନ୍ତା ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ଭତ୍ତାକୁ ଏକା ଥରେ ଦିଆଯିବ ବୋଲି ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ କରୋନା ଦୃଷ୍ଟିରେ ଲୋକେ ଯେଭଳି ଏକତ୍ରିତ ନହେବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । ତେଣୁ ବାର୍ଦ୍ଧକ୍ୟଭତ୍ତା, ଭିନ୍ନକ୍ଷମ ଭତ୍ତା ଓ ବିଧବାଭତ୍ତା ଆଦି ପାଇଁ ଲୋକେ ବାରମ୍ବାର ଯେଭଳି ନଆସନ୍ତି ତାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
ରାଜ୍ୟରେ ଥିବା ୨୮ଲକ୍ଷ ମଧୁବାବୁ ପେନ୍ସନଧାରୀଙ୍କ ସହିତ ଅନ୍ୟାନ୍ୟ ସାମାଜିକ ନିରାପତ୍ତା ଯୋଜନାରେ ସାମିଲ ଥିବା ମୋଟ୍ ୪୪ଲକ୍ଷ ଲୋକଙ୍କୁ ଆସନ୍ତା ୪ମାସର ଭତ୍ତା ଏକକାଳୀନ ପ୍ରଦାନ କରାଯିବ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ସାମାଜିକ ନିରାପତ୍ତା ଯୋଜନାରେ ୭୦ବର୍ଷର କମ୍ ବୟସର ଲୋକଙ୍କୁ ମାସିକ ୫୦୦ ଟଙ୍କା କରି ଭତ୍ତା ମିଳୁଥିବାବେଳେ ୭୦ବର୍ଷ କିମ୍ବା ତଦୁଦ୍ଧ୍ୱର୍ ବ୍ୟକ୍ତିଙ୍କୁ ମାସିକ ୭୦୦ ଟଙ୍କା କରି ମିଳୁଛି ।
ସେହିଭଳି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏକ ଥରକେ ୩ମାସର କଣ୍ଟ୍ରୋଲ ସାମଗ୍ରୀ ଯୋଗାଣ ଲାଗି ପ୍ରସ୍ତାବ ଥିବା ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।