ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ପାଣିରେ ବୁଡ଼ି ସର୍ବାଧିକ ମୃତ୍ୟୁ


କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଥିବା ବେଳେ ରାଜ୍ୟରେ କିନ୍ତୁ ସର୍ବାଧିକ ବ୍ୟକ୍ତି ପାଣିରେ ବୁଡ଼ି ମରୁଛନ୍ତି । ୨୦୧୯-୨୦ ବର୍ଷରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବିଭିନ୍ନ କାରଣରୁ ମୃତ୍ୟୁବରଣ କରୁଥିବା ୧୯୨୭ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୭୪୦ ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ରାଜ୍ୟରେ ୨୦୧୯-୨୦ ବର୍ଷରେ ୭୪୦ ଜଣ ପାଣିରେ ବୁଡ଼ି ମରିଥିବା ବେଳେ ସାପ କାମୁଡ଼ାରେ ୭୧୦ ଜଣ ପ୍ରାଣ ହରାଇଛନ୍ତି । ଏହାପଛକୁ ବଜ୍ରାଘାତରେ ୨୯୧ ଜଣ ମରିଥିବା ବେଳେ ଅଗ୍ନିକାଣ୍ଡରେ ୬୭ ଜଣ ଓ ବାତ୍ୟାରେ ୬୪ ଜଣ ମୃତ୍ୟୁବରଣ କରିଛନ୍ତି । ସେହିଭଳି ୨୧ ଜଣ ଅଂଶୁଘାତରେ ପ୍ରାଣ ହରାଇଥିବା ବେଳେ ବନ୍ୟାରେ ୧୩ ଜଣ ମରିଛନ୍ତି ।

ପାଣିରେ ବୁଡ଼ି ମୃତ୍ୟୁ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ସବୁଠାରୁ ଆଗରେ ଥିବା ବେଳେ ଏହା ପଛକୁ ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ରହିଛି । ଗଞ୍ଜାମ ଜିଲ୍ଲାରେ ଏହି ସମୟ ମଧ୍ୟରେ ୫୭ ଜଣ ପାଣିରେ ବୁଡ଼ି ମରିଥିବା ବେଳେ ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ାରେ ୫୪ଜଣ କରି ଓ ଯାଜପୁରରେ ୫୧ ଜଣ ମରିଛନ୍ତି । ବୌଦ୍ଧରେ ଜଣେ ହେଲେ କେହି ପାଣିରେ ବୁଡ଼ି ମରିନଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ମୃତ୍ୟୁସଂଖ୍ୟା ସର୍ବନିମ୍ନ ୨ ରହିଛି ।

ସର୍ପାଘାତ ମୃତ୍ୟୁ କ୍ଷେତ୍ରରେ ମୟୂରଭଞ୍ଜ ଜିଲ୍ଲା ସବୁଠାରୁ ଆଗରେ ରହିଛି । ରାଜ୍ୟରେ ଘଟିଥିବା ମୋଟ୍‍ ୭୧୦ ସର୍ପାଘାତ ମୃତ୍ୟୁ ମଧ୍ୟରୁ ମୟୂରଭଞ୍ଜରେ ୬୭, କେନ୍ଦୁଝରରେ ୬୨, ଗଞ୍ଜାମରେ ୫୦, ସୁନ୍ଦରଗଡ଼ରେ ୪୨ ଓ ମାଲକାନଗିରିରେ ୩୪ ରହିଛି । ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାରେ ସର୍ପାଘାତଜନିତ ମୃତ୍ୟୁ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ଏହା ସର୍ବନିମ୍ନ ୩ ଥିବା ବେଳେ ବୌଦ୍ଧ ଜିଲ୍ଲାରେ ୪ ରହିଛି ।

ବଜ୍ରପାତଜନିତ ମୃତ୍ୟୁ କ୍ଷେତ୍ରରେ ମୟୂରଭଞ୍ଜ ଜିଲ୍ଲା ସବୁଠାରୁ ଆଗରେ ରହିଛି । ଏହି ଜିଲ୍ଲାରେ ୨୦୧୯-୨୦ ବର୍ଷର ବର୍ତ୍ତମାନ ସୁଦ୍ଧା ୨୬ ଜଣ ମୃତ୍ୟୁବରଣ କରିଥିବା ବେଳେ ଗଞ୍ଜାମରେ ୨୩, ନବରଙ୍ଗପୁରରେ ୨୦, କୋରାପୁଟରେ ୧୭, କେନ୍ଦୁଝର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳରେ ୧୫କରି ରହିଛି । କଟକ ଓ ଅନୁଗୁଳ ଜିଲ୍ଲାରେ ୧୪ ଜଣ କରି ବଜ୍ରପାତରେ ମୃତ୍ୟୁବରଣ କରିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଏହି ସଂଖ୍ୟା ୧୩ ରହିଛି । ତେବେ ଜଗତସିଂହପୁର, ଗଜପତି, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରେ ମାତ୍ର ଜଣେକରି ବ୍ୟକ୍ତି ବଜ୍ରପାତର ଶିକାର ହୋଇଛନ୍ତି ।

ବାତ୍ୟାରେ ଏହି ସମୟ ମଧ୍ୟରେ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରୁ ପୁରୀ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୪୩ ରହିଛି । ଗତବର୍ଷ ରାଜ୍ୟରେ ଦେଖା ଦେଇଥିବା ଫନି ବାତ୍ୟାରେ ଏହି ମୃତ୍ୟୁ ଘଟିଛି । ତେବେ ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରେ ୪ ଜଣ କରି ବାତ୍ୟାରେ ପ୍ରାଣ ହରାଇଥିବା ବେଳେ କଟକ ଜିଲ୍ଲାରେ ୬ ଜଣ ମୃତ୍ୟୁବରଣ କରିଥିଲେ । ତେବେ ଏହି ସମୟ ମଧ୍ୟରେ ବନ୍ୟାରେ ୧୩ ଜଣ ମୃତ୍ୟୁବରଣ କରିଛନ୍ତି ।

ରାଜ୍ୟରେ ଅନ୍ୟତମ ବିପର୍ଯ୍ୟୟ ଭାବେ ଉଭା ହୋଇଥିବା ଅଂଶୁଘାତ ମୃତ୍ୟୁ କ୍ଷେତ୍ରରେ ଅନୁଗୁଳ ଜିଲ୍ଲା ସବୁଠାରୁ ଆଗରେ ରହିଛି । ଏହି ଜିଲ୍ଲାରେ ୬ ଜଣ ଅଂଶୁଘାତର ସମ୍ମୁଖୀନ ହୋଇଥିବା ବେଳେ ସମ୍ବଲପୁରରେ ୫ ଜଣ ମରିଛନ୍ତି ।  



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023