ବିଦେଶରୁ ଓଡ଼ିଶାକୁ ଫେରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରୀପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ବର୍ତ୍ତମାନଠାରୁ ଓଡ଼ିଶାକୁ ବିଦେଶରୁ ଫେରିଥିବା ଛାତ୍ର, ବୃତ୍ତିଜୀବୀ କିମ୍ବା ସାଧାରଣ ଲୋକ ସମସ୍ତଙ୍କର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବାଧ୍ୟତାମୂଳକ ପଞ୍ଜୀକରଣ କରାଯିବ । ସେଥିପାଇଁ ଟୋଲ ଫ୍ରି ନଂ-୧୦୪ ସହିତ ଏକ ଅନ୍ଲାଇନ୍ ପୋର୍ଟାଲ୍ covid19.odisha.gov.in ବ୍ୟବସ୍ଥା କରାଯାଇଛି । ଏଥିରେ ସେମାନେ ୨୪ ଘଣ୍ଟା ମଧ୍ୟରେ ସେମାନଙ୍କର ଆସିବା ସମ୍ପର୍କିତ ତଥ୍ୟ ପ୍ରଦାନ କରିବେ । ସେମାନଙ୍କର ନାମ, ଠିକଣା, ଇମେଲ ଆଦି ଏହି ପୋର୍ଟାଲରେ ଉପଲବ୍ଧ ହେବ । ସେମାନଙ୍କର ଆଗୁଆ ତଥ୍ୟ ମିଳିଲେ ସେମାନଙ୍କୁ ୧୪ଦିନ ହୋମ କ୍ୱାରାଣ୍ଟାଇନ୍ରେ ରଖାଯିବ ।
ଏହି ଏସ୍.ଓ.ପି. ପାଳନ ନିମନ୍ତେ ଆବଶ୍ୟକୀୟ ପ୍ରୋଟୋକଲ ଦିଆଯିବ । ସଂପୃକ୍ତ ବ୍ୟକ୍ତି ସ୍ୱତ୍ତଃପ୍ରବୃତ୍ତ ଭାବରେ ନିଜ ସଂପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିବେ । ଏ ସମସ୍ତ ଗାଇଡ଼ଲାଇନ୍ ଅନୁପାଳନ କଲେ ରାଜ୍ୟ ସରକାରଙ୍କ ତରଫରୁ ୧୫ ହଜାର ଟଙ୍କାର ଅର୍ଥ ରାଶି ପ୍ରୋତ୍ସାହନ ଆକାରରେ ପ୍ରଦାନ କରାଯିବ । ଏହି ନିର୍ଦ୍ଦେଶନାମା ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ଯେଉଁମାନେ ଓଡ଼ିଶାକୁ ବିଦେଶରୁ ବର୍ତ୍ତମାନ ସୁଦ୍ଧା ପହଁଞ୍ଚି ସାରିଛନ୍ତି, ସେମାନଙ୍କ ନିମନ୍ତେ ମାର୍ଚ୍ଚ ୧୭ ତାରିଖ ସକାଳ ୬ ଘଟିକାଠାରୁ ମାର୍ଚ୍ଚ ୧୯ ସକାଳ ୬ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ସମୟ ପଞ୍ଜୀକରଣ ପାଇଁ ଧାର୍ଯ୍ୟ କରାଯାଇଛି । ଏହି ନିର୍ଦ୍ଦେଶନାମାକୁ ଉଲଙ୍ଘନ କଲେ ଆଇନ୍ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ବର୍ତ୍ତମାନ ସ୍ଥିତିରେ ଏଭଳି ପଦକ୍ଷେପ ନେବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ ।
ଏହି ସାମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗ୍ଚୀ ସୂଚନା ଦେଇ ଶାନ୍ତ ରହିବା, ସଚେତନ ହେବା ଓ ଦୃଢ଼ ପଦକ୍ଷେପ ସହ କାର୍ଯ୍ୟ କରିବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି । କରୋନା ସଂକ୍ରମଣର ବିଶ୍ୱ ସ୍ଥିତି ସମ୍ପର୍କରେ ଅବତାରଣା କରି ଶ୍ରୀ ବାଗ୍ଚୀ କହିଲେ ଯେ, ଆଜି ଦିନ ୨ଟା ସୁଦ୍ଧା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁସାରେ ୧୫୭ଟି ଦେଶରେ COVID-19 ଭୂତାଣୁ ବ୍ୟାପି ୧ଲକ୍ଷ ୭୦ହଜାର ୧୮୭ ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୮୫ହଜାର ୮୮୦ଜଣ କରୋନା ଭୂତାଣୁରେ ବର୍ତ୍ତମାନ ସୁଦ୍ଧା ସକି୍ରୟ ଅଛନ୍ତି ଏବଂ ୮୪ହଜାର ୩୦୭ଜଣ ସଂକ୍ରମଣ ମୁକ୍ତ ହୋଇଛନ୍ତି ।
ଆଜି ସୁଦ୍ଧା ଭାରତରେ ୧୧୫ଜଣ ସଂକ୍ରମିତ ହୋଇଥିବା ବେଳେ ଓଡ଼ିଶାରେ ଗୋଟିଏ କେସ୍ ଚିହ୍ନଟ ହୋଇଛି । ଇଟାଲୀ ଫେରନ୍ତା ଏହି ଯୁବକ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ୫୩ ଜଣଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଛି । ସମ୍ପୃକ୍ତ ଯୁବକ ପ୍ରଥମେ ଯେଉଁ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ ତାହାକୁ ବର୍ତ୍ତମାନ ବନ୍ଦ କରାଯାଇଛି ଏବଂ ସମ୍ପୃକ୍ତ ଡାକ୍ତର ଓ ସହଯୋଗୀଙ୍କୁ ମଧ୍ୟ ହୋମ୍ କ୍ୱାରେଣ୍ଟାଇନ୍ରେ ରଖାଯାଇଛି ।
ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ତରଫରୁ ଆଜି ସୁଦ୍ଧା ବହୁବିଧ ପଦକ୍ଷେପ ନିଆଯାଇଛି । ଆସନ୍ତା ୨୪ ତାରିଖରେ ହେବାକୁ ଥିବା ଗ୍ରାମପଞ୍ଚାୟତ ଉପନିର୍ବାଚନକୁ ବନ୍ଦ କରାଯାଇଛି । କୋଚିଂ ସଂସ୍ଥା, ଟୁ୍ୟଟରିଆଲ୍ସ, ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯିବା ସହିତ ୧ମ ଶ୍ରେଣୀରୁ ୯ମ ଶ୍ରେଣୀ ଏବଂ ଏକାଦଶ ଶ୍ରେଣୀର ସମସ୍ତ ପରୀକ୍ଷାଗୁଡ଼ିକ ସାମୟିକ ଭାବେ ସ୍ଥଗିତ ରଖାଯିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅସ୍ଥାୟୀ କ୍ୱାରାଣ୍ଟାଇନ ସେବା ପାଇଁ ସମସ୍ତ ଭିତ୍ତିଭୂମି ସୁବିଧା ଥିବା କଲ୍ୟାଣ ମଣ୍ଡପ, କମୁ୍ନିଟି ସେଣ୍ଟର, ବାତ୍ୟା ଆଶ୍ରୟସ୍ଥଳ, ସହରାଞ୍ଚଳ ଆଶ୍ରୟସ୍ଥଳୀ ଓ ସୁବିଧା ଥିବା ଅନ୍ୟ କୋଠାଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ପ୍ରତିନିଧି ଓ କ୍ଷେତ୍ର କାର୍ଯ୍ୟକର୍ତ୍ତାମାନଙ୍କୁ ସାମିଲ କରାଯିବାକୁ ପଦକ୍ଷେପ ନିଆଯାଇଛି । ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ଏବଂ ସେ୍ୱଚ୍ଛାସେବୀ ଅନୁଷ୍ଠାନମାନଙ୍କ ମାଧ୍ୟମରେ ଯଥେଷ୍ଟ ପରିମାଣର ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇ.ଇ.ସି) ପ୍ରଚାର ପତ୍ର ପୁସ୍ତିକା ଉପଲବ୍ଧ କରାଯାଇ ଜନସାଧାରଣଙ୍କୁ ସଚେତନ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ୩୧ ମାର୍ଚ୍ଚ, ୨୦୨୦ ପର୍ଯ୍ୟନ୍ତ ଆଧାର ପଞ୍ଜୀକରଣ କାର୍ଯ୍ୟକ୍ରମକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ତଥା ଆଇ.ଇ.ସି. କମିଟିର ମୁଖ୍ୟ ଅନୁ ଗର୍ଗ, ଶିଳ୍ପ ଓ ଏମ୍.ଏସ୍.ଏମ.ଇ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଶାଲିନୀ ପଣ୍ଡିତ୍, ସୂଚନା ଓ ଲୋକସମ୍ପର୍କ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶାସନ ସଚିବ ସଞ୍ଜୟ କୁମାର ସିଂହ ଏବଂ ଡ଼ି.ଏମ୍.ଇ.ଟି. ପ୍ରଫେସର ଡାକ୍ତର ସି.ବି.କେ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।