ହୋମ୍ଗାର୍ଡ ଓ ସିଭିଲ୍ ଡିଫେନ୍ସ ପାଇଁ କେନ୍ଦ୍ର ସରକାର ଅନୁଦାନ ହାର ବଢ଼ାଇବା ଲାଗି ଓଡ଼ିଶା ଦାବି କରିଛି । ଏହି ଦୁଇ ସଂସ୍ଥା ଲାଗି ଏବେ କେନ୍ଦ୍ର ସରକାର ୨୫ ପ୍ରତିଶତ ଓ ରାଜ୍ୟ ସରକାର ୭୫ ପ୍ରତିଶତ ଅର୍ଥ ବହନ କରୁଛନ୍ତି । ହୋମଗାର୍ଡ ଓ ସିଭିଲ୍ ଡିଫେନ୍ସ ପାଇଁ କେନ୍ଦ୍ର ସରକାର ତାଙ୍କ ଅଂଶକୁ ୫୦ ପ୍ରତିଶତକୁ ବଢ଼ାଇବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି ।
ଓଡ଼ିଶାରେ ଏବେ ହୋମ୍ଗାର୍ଡଙ୍କ ସଂଖ୍ୟା ୧୬,୮୬୫ । ହୋମ୍ଗାର୍ଡମାନେ ରାଜ୍ୟ ପୋଲିସକୁ ଆଇନ୍ ଶୃଙ୍ଖଳା ରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ, ଆଭ୍ୟନ୍ତରୀଣ ନିରାପତ୍ତା ସମେତ ବିଭିନ୍ନ ଜରୁରୀକାଳୀନ ସେବା ଯୋଗାଇବାରେ ସହାୟତା କରୁଛନ୍ତି । ବନ୍ୟା, ବାତ୍ୟା ଭଳି ଦୁର୍ବିପାକ ବେଳେ ହୋମ୍ଗାର୍ଡମାନେ ବିପନ୍ନଙ୍କୁ ଉଦ୍ଧାର କରିବା କାମରେ ବି ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଥିବା ବରିଷ୍ଠ ଅଧିକାରୀମନେ ସ୍ୱୀକାର କରୁଛନ୍ତି ।
ହୋମ୍ଗାର୍ଡ ସଙ୍ଗଠନ ପାଇଁ ବଜେଟ୍ରେ ଯେଉଁ ଅର୍ଥ ବ୍ୟବସ୍ଥା ହୁଏ ସେଥିରେ କେନ୍ଦ୍ରୀୟ ଅଂଶ ମାତ୍ର ୨୫ ପ୍ରତିଶତ ରହୁଥିବା ବେଳେ ରାଜ୍ୟ ଅଂଶ ୭୫ ପ୍ରତିଶତ ରହୁଛି । ଏହା ରାଜ୍ୟ ରାଜକୋଷ ଉପରେ ଚାପ ପକାଉଥିବାରୁ ରାଜ୍ୟର ଅଂଶକୁ ୫୦ ପ୍ରତିଶତକୁ ହ୍ରାସ କରିବା ସହିତ କେନ୍ଦ୍ର ତାହାର ଅଂଶକୁ ୨୫ରୁ ୫୦ ପ୍ରତିଶତକୁ ବଢ଼ାଇବା ପାଇଁ ଓଡ଼ିଶା ସରକାର ଅନୁରୋଧ ଜଣାଇଛନ୍ତି । କେବଳ ସେତିକି ନୁହେଁ ହୋମ୍ଗାର୍ଡମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍ୱତନ୍ତ୍ର ତାଲିମ୍ର ଆବଶ୍ୟକତା ଥିବାରୁ ଏଥିପାଇଁ କେନ୍ଦ୍ର ସରକାର ଏକ ତାଲିମ୍ ପ୍ରତିଷ୍ଠାନ ଓଡ଼ିଶାରେ ପ୍ରତିଷ୍ଠା କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।
ରାଜ୍ୟ ସରକାରଙ୍କ ଅନ୍ୟ ଏକ ସଂସ୍ଥା ସିଭିଲ୍ ଡିଫେନ୍ସ । ଏହି ସଂସ୍ଥା ପାଇଁ ମଧ୍ୟ କେନ୍ଦ୍ର ୨୫ ପ୍ରତିଶତ ଓ ରାଜ୍ୟ ୭୫ ପ୍ରତିଶତ ଅର୍ଥ ବହନ କରୁଛନ୍ତି । ଏ କ୍ଷେତ୍ରରେ ବି କେନ୍ଦ୍ରୀୟ ସହଯୋଗର ଅନୁପାତ ୫୦କୁ ବୃଦ୍ଧି କରିବାକୁ ଓଡ଼ିଶା ସରକାର ପ୍ରସ୍ତାବ ଦେଇଛନ୍ତି ।
ସିଭିଲ୍ ଡିଫେନ୍ସ ସ୍ୱେଚ୍ଛାସେବକମାନେ ଖୋର୍ଦ୍ଧା, ଅନୁଗୁଳ, ସୁନ୍ଦରଗଡ଼, କୋରାପୁଟ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ପୁରୀ ଓ ଢେଙ୍କାନାଳ ଜିଲ୍ଲାରେ କାମ କରୁଛନ୍ତି । ବିଶେଷକରି ପ୍ରାକୃତିକ ଦୁର୍ବିପାକ ସମୟରେ ଏହି ସ୍ୱେଚ୍ଛାସେବକମାନେ ନିଜ ଜୀବନକୁ ବାଜି ଲଗାଇଦେଇ ବିପନ୍ନ ଲୋକଙ୍କୁ ଉଦ୍ଧାର କରିଥାନ୍ତି । ଏମାନଙ୍କର ପ୍ରଶଂସନୀୟ କାର୍ଯ୍ୟ ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସିଭିଲ୍ ଡିଫେନ୍ସକୁ ସମ୍ମାନିତ କରିଆସୁଛନ୍ତି ।
ଗତ ସାମୁଦ୍ରିକ ଝଡ଼ ଫନି ସମୟରେ ଏହି ସଂସ୍ଥାର ସ୍ୱେଚ୍ଛାସେବୀମାନେ ଚମକ୍ରାର କାର୍ଯ୍ୟ କରିଛନ୍ତି । ପୂର୍ବରୁ ସିଭିଲ୍ ଡିଫେନ୍ସ ପାଇଁ କେନ୍ଦ୍ର ୫୦ ପ୍ରତିଶତ ଅର୍ଥ ଦେଉଥିଲା । ଏବେ ତାହା ୨୫ ପ୍ରତିଶତକୁ କମି ଆସିଛି । ଏହି ସଂସ୍ଥାର ଗୁରୁତ୍ୱ ଏବଂ ଏହାର ସ୍ୱେଚ୍ଛାସେବୀମାନଙ୍କ ପ୍ରଶଂସନୀୟ କାର୍ଯ୍ୟକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ପୂର୍ବପରି ସିଭିଲ୍ ଡିଫେନ୍ସ ପାଇଁ ତାଙ୍କ ଅନୁଦାନର ଅନୁପାତ ୫୦କୁ ବଢ଼ାଇବା ଲାଗି ରାଜ୍ୟ ସରକାର ଯୁକ୍ତିଯୁକ୍ତ ଦାବି ଉଠାଇଛନ୍ତି ।