ସମସ୍ତ ପାଠକ ପାଠିକା ମାନଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ  

ଗୁଜବ ଠାରୁ ଦୂରେଇ ରୁହ

କରୋନା ଭୂତାଣୁ ସଂପର୍କରେ ହେଉଥିବା ଗୁଜବ ଠାରୁ ଦୂରେଇ ରହିବାକୁ ମୁଖ୍ୟ ପ୍ରବକ୍ତା ସୁବ୍ରତ ବାଗ୍‍ଚି ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ସ୍ଥାନୀୟ ଗୀତଗୋବିନ୍ଦ ସଦନ ସମ୍ମିଳନୀ କକ୍ଷରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଆୟୋଜିତ ଏହି ସମ୍ମିଳନୀରେ ପ୍ରାରମ୍ଭରେ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅନ୍ତତଃ ୧ମିଟର ବ୍ୟବଧାନରେ ବସିବା ପାଇଁ ବ୍ୟବସ୍ଥା କରାଯାଇଥିଲା ଏବଂ ସମ୍ଭାବ୍ୟ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପରିସ୍କାର ହାତ ଧୁଆ ବ୍ୟବସ୍ଥା ରହିଥିଲା । ପ୍ରାରମ୍ଭରେ ବିଭାଗୀୟ କମିଶନର ସଂଜୟ କୁମାର ସିଂ କରୋନା ଭୂତାଣୁ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଜରିଆରେ ଜନସାଧାରଣଙ୍କ ନିକଟରେ ନିୟମିତ ଭାବେ ସୂଚନା ପହଁଚାଇବାର ଗୁରୁତ୍ୱ ରହିଛି ବୋଲି କହିଥିଲେ ।

ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା କରୋନା ଭୂତାଣୁ ସଂକ୍ରମଣ ସଚେତନତା ମୁଖ୍ୟ ପ୍ରବକ୍ତା ସୁବ୍ରତ ବାଗ୍‍ଚି ଯୋଗଦେଇ କହିଲେ ଯେ, ସମ୍ଭାବ୍ୟ କରୋନା ଭୂତାଣୁର ମୁକାବିଲା ପାଇଁ ବ୍ୟତିବ୍ୟସ୍ତ ନହୋଇ ସର୍ବଦା ଶାନ୍ତ ଓ ସଚେତନ ରହିବା ଆବଶ୍ୟକ । ନେତୃତ୍ୱର ସହ ଦୃଢ ପଦକ୍ଷେପ ନେଇ ସମ୍ଭାବ୍ୟ ସଂକ୍ରମଣରୁ ମୁକାବିଲା କରିବାକୁ ସେ ଆହ୍ୱାନ ଦେଇଛନ୍ତି । ପ୍ରଥମେ ପରିବାରରେ ପିତାମାତାଙ୍କ ଠାରୁ ସ୍ୱଚ୍ଛତା ଆରମ୍ଭ ହେବା ଜରୁରୀ, ଯାହା ଫଳରେ କି ପିଲାମାନେ ସେମାନଙ୍କଠାରୁ ଶିକ୍ଷା ଲାଭ କରି ହାତ ପରିସ୍କାର କରିବା ଏବଂ ସତର୍କତା ଅବଲମ୍ବନ ଶିକ୍ଷା ଲାଭ କରିପାରିବେ ।

ହାତ, ମୁହଁ , ନାକ ଓ ଆଖିକୁ ସ୍ପର୍ଶ ନକରି ସଂକ୍ରମଣରୁ ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । କାଶ, ଛିଙ୍କ ବା ଶ୍ୱାସ ନେବାରେ କଷ୍ଟ ଅନୁଭବ ଜନିତ ଦେହ ଅସୁସ୍ଥ ଥିଲେ, ସଙ୍ଗରୋଧ ବା ୧୪ ଦିନ ପର୍ଯ୍ୟନ୍ତ ନିଜକୁ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିବାକୁ ନଦେବାକୁ ପରାମର୍ଶ ଦିଆଯାଇଛି । ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଶ୍ରୀ ବାଗ୍ଚୀ କହିଲେ ଯେ, ତଥ୍ୟ ଅନୁସାରେ ଏହି ଭୂତାଣୁ ପବନରେ ୩ ଘଣ୍ଟା ବଂଚି ରହିପାରେ । ତମ୍ବା ପୃଷ୍ଠରେ ୩ ଘଣ୍ଟା ୩୦ ମି., କାର୍ଡବୋର୍ଡରେ ୯ ଘଣ୍ଟା, ଲୁହାରେ ୧୩ ଘଣ୍ଟା, ପ୍ଲାଷ୍ଟିକ୍ରେ ୧୬ ଘଣ୍ଟା ପର୍ଯ୍ୟନ୍ତ ରହିପାରେ । କିନ୍ତୁ ଆମ୍ଭେମାନେ କୌଣସି ପ୍ରକାରେ ଛାନିଆ ନହୋଇ ପରିସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖି ମୁକାବିଲା କରିବା ଆବଶ୍ୟକ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ସ୍ଥିତିରେ ପ୍ରଥମେ ଅନ୍ତତଃ ୬ ମାସର ପ୍ରସ୍ତୁତି ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି । ଆମକୁ ନିଜକୁ, ସମାଜକୁ, ଜନସାଧାରଣଙ୍କୁ ନେଇ ଆଗକୁ ଯିବାକୁ ହେବ । ସମ୍ଭାବ୍ୟ କରୋନା ସଂକ୍ରମଣରେ କେହି ରୋଗ ସଂପର୍କରେ ଲୁଚାଇବେ ନାହିଁ । ଫଳରେ ରୋଗୀର ଚିକିତ୍ସା ହୋଇପାରିବା ସହିତ , ସେମାନେ ଅନ୍ୟମାନଙ୍କୁ ସଂକ୍ରମଣରୁ ରୋକିପାରିବେ । ଅନ୍ୟ ପକ୍ଷରେ ଚାଂଚଲ୍ୟକର, ରହସ୍ୟ ଓ ଗୁଜବ ଖବରଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

ଶ୍ରୀ ବାଗ୍‍ଚି ଆହୁରି ମଧ୍ୟ କହିଲେ ଯେ, ଆମ ରାଜ୍ୟର ଲୋକମାନେ ଧାର୍ମିକ । ସମସ୍ତଙ୍କ ମନରେ ଓ ହୃଦୟରେ ଠାକୁର ଅଛନ୍ତି । ସଂମ୍ଭାବ୍ୟ ସଂକ୍ରମଣକୁ ଏଡାଇବା ପାଇଁ ଓ ଜନଗହଳି କମାଇବା ନିମନ୍ତେ ବର୍ତମାନ ସ୍ଥିତିରେ ଯଥା ସମ୍ଭବ କମ୍ ସଂଖ୍ୟାରେ ଧାର୍ମିକ ସ୍ଥଳକୁ ଯିବାକୁ ପରାମର୍ଶ ଦିଆଯାଇଛି । ପ୍ରତିଦିନ କରୋନା ସଂକ୍ରମଣ ସଂପର୍କରେ ବିଶ୍ୱ, ଦେଶ ଓ ରାଜ୍ୟର ସ୍ଥିତି ସଂପର୍କରେ ଶ୍ରୀ ବାଗ୍‍ଚି ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅବଗତ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ସେହିପରି ଏ ସଂପର୍କରେ ସରକାରଙ୍କ ସମୀକ୍ଷା, ସରକାରଙ୍କ ପଦକ୍ଷେପ, ସରକାର ସମାଜ, ବ୍ୟକ୍ତି ବିଶେଷଙ୍କ ଠାରୁ ଏ ଦିଗରେ କି ପ୍ରକାର ସହଯୋଗ ଚାହୁଁଛନ୍ତି, ସେ ସଂପର୍କରେ ସବିଶେଷ ସୂଚନା ପ୍ରଦାନ କରିବେ ।

ସଂପ୍ରତି ପ୍ରାପ୍ତ ସୂଚନା ଅନୁସାରେ ଆଜି ଅପରାହ୍ଣ ସୁଦ୍ଧା କରୋନା ଭୂତାଣୁ ୧୫୩ଟି ଦେଶକୁ ବ୍ୟାପି ଥିବା ବେଳେ ବିଶ୍ୱରେ ମୋଟ ୧ ଲକ୍ଷ ୫୭ ହଜାର ୧୧୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ଓ ୫ ହଜାର ୮୩୯ ଜଣ ରୋଗୀ ଏହି ରୋଗରେ ମୃତ୍ୟୁ ବରଣ କରିଛନ୍ତି । ବିଶ୍ୱରେ ଚୀନ, ଇଟାଲୀ, ଦକ୍ଷିଣ କୋରିଆ, ଇରାନ୍ , ସ୍ପେନ୍ ଆଦି ୫ ଟି ଦେଶ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି । ଭାରତରେ ବର୍ତମାନ ସୁଦ୍ଧା ୧୦୭ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଓଡିଶାରେ ଅଦ୍ୟାବଧି କୌଣସି କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇନାହାଁନ୍ତି ।

 



Mayfair Lagoon
SOA


AMRI Hospital Bhubaneswar
M/s S N MOHANTY -->

ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2023