
ଠିକା କର୍ମଚାରୀ ନିଯୁକ୍ତି କିମ୍ବା କୌଣସି ଠିକା କାର୍ଯ୍ୟ ପାଇଁ ରାଜ୍ୟ ସରକାର ନ୍ୟାସନାଲ ସ୍କିଲ୍ କ୍ୱାଲିଫିକେସନ ଫ୍ରେମ୍ୱାର୍କ (ଏନ୍ଏସ୍କ୍ୟୁଏଫ୍) ପ୍ରମାଣପତ୍ର ବାଧ୍ୟତାମୂଳକ କରିବାକୁ ଯାଉଛି । କେନ୍ଦ୍ର ସରକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବା ପାଇଁ ଗୁଣାତ୍ମକ ଦକ୍ଷତା ତାଲିମ ଉପରେ ଗୁରୁତ୍ୱ ଦେଉଥିବାରୁ ନିଯୁକ୍ତି ସମୟରେ ଏଭଳି ସାର୍ଟିଫିକେଟ୍ ବାଧ୍ୟତାମୂଳକ ଜରୁରୀ ହୋଇପଡ଼ିଛି ।
କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ସଚିବ ପ୍ରବୀଣ କୁମାର ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଏହା ଅଣିବା ସହିତ ଆବଶ୍ୟକ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି । ଏନ୍ଏସ୍କ୍ୟୁଏଫ୍ ଏକ ପ୍ରତିଯୋଗିତା ଭିତ୍ତିକ ଯୋଜନା ହୋଇଥିବା ବେଳେ କେନ୍ଦ୍ର ସରକାର ଏଥିପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ଜାତୀୟ ଦକ୍ଷତା ବିକାଶ ସଂସ୍ଥା (ଏନ୍ଏସ୍ଡିଏ) ଏନ୍ଏସ୍କ୍ୟୁଏଫ୍କୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ହେଉଛି ନୋଡାଲ ଏଜେନ୍ସି । ୨୦୨୦ କେନ୍ଦ୍ର ବଜେଟ୍ରେ ଅର୍ଥମନ୍ତ୍ରୀ ଭିତ୍ତିଭୂମି ସହିତ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ।
ସେ କହିଛନ୍ତି ଯେ ଦେଶ ବାହାରେ ଶିକ୍ଷକ, ନର୍ସ, ପାରାମେଡ଼ିକାଲ ଷ୍ଟାଫ୍ ଏବଂ ସେବା ପ୍ରଦାନକାରୀମାନଙ୍କର ବହୁତ ଚାହିଦା ରହୁଛି । କିନ୍ତୁ ଦକ୍ଷତା ଅଭାବରୁ ଅଧିକାଂଶ ସମୟରେ ଯୁବକ ଯୁବତୀମାନେ ନିଯୁକ୍ତିଦାତାଙ୍କ ଆବଶ୍ୟକତା ପୂରଣ କରିପାରୁନଥିବାରୁ ଏନ୍ଏସ୍କ୍ୟୁଏଫ୍ ଜରିଆରେ ସେମାନଙ୍କର ତାଲିମ ଆବଶ୍ୟକ ହେଉଛି । ଦକ୍ଷତା ବିକାଶ ଲାଗି ୩ ହଜାର କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସ୍ତରରେ ଦକ୍ଷତା ତାଲିମ ଦୃଷ୍ଟିରୁ ଅଧିକ ଅର୍ଥ ଯୋଗାଯାଇପାରେ ।
ଏନ୍ଏସ୍କ୍ୟୁଏଫ୍ ବିଜ୍ଞପ୍ତି କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ରାଷ୍ଟ୍ରାୟାତ୍ତ ଉଦ୍ୟୋଗଗୁଡ଼ିକୁ ବିଭିନ୍ନ ବର୍ଗରେ ନିଯୁକ୍ତି ଲାଗି ସେମାନଙ୍କ ନିୟମରେ ପରିବର୍ତ୍ତନ ଆଣିବେ । ତଦନୁଯାୟୀ ରାଜ୍ୟ ସରକାର ମଧ୍ୟ ସରକାରୀ ଓ ସରକାରୀ ଉଦ୍ୟୋଗଗୁଡ଼ିକରେ ଏନ୍ଏସ୍କ୍ୟୁଏଫ୍କୁ ଦୃଷ୍ଟିରେ ରଖି ସେମାନଙ୍କ ନିଯୁକ୍ତି ଆଇନରେ ପରିବର୍ତ୍ତନ କରିପାରିବେ ।
ବର୍ତ୍ତମାନ ନିଯୁକ୍ତି କ୍ଷେତ୍ରରେ ୪ ହଜାର ପ୍ରକାରର ତାଲିମ ବ୍ୟବସ୍ଥା ଥିବା ବେଳେ ଯୁବକ ଯୁବତୀମାନଙ୍କୁ ଏଥିରେ ତାଲିମ ଦିଆଯାଇପାରିବ । ପ୍ରମୁଖ କେନ୍ଦ୍ରୀୟ ମନ୍ତ୍ରାଳୟ ଯଥା ଗ୍ରାମ୍ୟ ଉନ୍ନୟନ, ସଂଖ୍ୟାଲଘୁ ବ୍ୟାପାର, ସହରାଞ୍ଚଳ ବିକାଶ ଏବଂ ସାମାଜିକ ନ୍ୟାୟ ଆଦି ଦକ୍ଷତା ବିକାଶ ଓ ତାଲିମ କ୍ଷେତ୍ରରେ ଏନ୍ଏସ୍କ୍ୟୁଏଫ୍ ପ୍ରମାଣପତ୍ର ଲାଗୁ କରିଛନ୍ତି ।
କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରମାନେ ଠିକା କର୍ମଚାରୀ ଆଣିବା ଓ ଠିକା କାର୍ଯ୍ୟ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏନ୍ଏସ୍କ୍ୟୁଏଫ୍ ପ୍ରମାଣପତ୍ର ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି । ସର୍ବାଧିକ ୫ ବର୍ଷ ମଧ୍ୟରେ ଶ୍ରମିକମାନଙ୍କୁ ଏନ୍ଏସ୍କ୍ୟୁଏଫ୍ ଆଧାରରେ ଦକ୍ଷ କରିବା ଆବଶ୍ୟକ ହୋଇପଡ଼ିଛି । ରାଜ୍ୟ ସରକାରମାନେ ଏନ୍ଏସ୍କ୍ୟୁଏଫ୍ ତାଲିମ ପାଇଥିବା ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବାକୁ ଆବଶ୍ୟକ ନିୟମାବଳୀ ଜାରି କରିବା ଆବଶ୍ୟକ ବୋଲି କେନ୍ଦ୍ରୀୟ ସଚିବ କହିଛନ୍ତି ।