
ୟେସ୍ ବ୍ୟାଙ୍କ୍ରେ ଜମା ଥିବା ଶ୍ରୀଜଗନ୍ନାଥ ମନ୍ଦିର ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏ ନେଇ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ଆମେ ଭାରତୀୟ ରିଜର୍ଭ ବ୍ୟାଙ୍କ୍କୁ ବିଶ୍ୱାସ କରି ଏହି ଘଟଣାରେ ରାଜନୀତି କରିବା ଉଚିତ୍ ନୁହେଁ ବୋଲି ବିଜେଡି କହିଛି ।
ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାଶବର୍ମା, ମିଶନ ଶକ୍ତିର ପରାମର୍ଶଦାତା ଲୋପାମୁଦ୍ରା ବକ୍ସିପାତ୍ର ଓ ବିଜେଡି ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ।
ଶ୍ରୀ ଦାଶବର୍ମା କହିଛନ୍ତି ଯେ ବିଧାନସଭାରେ ଆସିଥିବା ମୁଲତବି ପ୍ରସ୍ତାବରେ ୟେସ୍ ବ୍ୟାଙ୍କ୍ ଘଟଣା ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ତଦନୁଯାୟୀ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣରଙ୍କୁ ଦାବିପତ୍ର ପ୍ରଦାନ ଲାଗି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜନୈତିକ ଦଳର ୧୨ଜଣ ସଦସ୍ୟଙ୍କୁ ନେଇ ଗୃହ କମିଟି ଗଠନ ହୋଇଛି । ଗୃହ କମିଟି ଏ ଦିଗରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ । ତେବେ ଯେ କୌଣସି ଆଲୋଚନା ପାଇଁ ବିଜେଡି ପ୍ରସ୍ତୁତ ବୋଲି ସେ କହିଛନ୍ତି ।
ବିରୋଧିଦଳ ନେତାଙ୍କ ସହିତ ବିଜେପି ଓ ଅନ୍ୟ ସମସ୍ତ ରାଜନୈତିକଦଳକୁ ବିଶ୍ୱାସକୁ ନେବାପରେ ବିଧାନସଭାକୁ ମୁଲତବି ରଖାଯାଇଛି । ତେଣୁ ବିଜେପି ସଦସ୍ୟମାନେ ଏ ନେଇ ଲୋକଙ୍କୁ ବିଭ୍ରାନ୍ତ କରିବା ଉଚିତ୍ ନୁହେଁ । ଗୃହ ମୁଲତବି ପରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସମସ୍ତ ବିଧାୟକମାନଙ୍କ ଲାଗି କରୋନା ମୁକାବିଲା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
କରୋନା ଏକ ଆର୍ନ୍ତଜାତିକ ବିପର୍ଯ୍ୟୟ ଭାବେ ଉଭା ହୋଇଛି । ଅଧିକାଂଶ ରାଜ୍ୟ ଏହାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହିତ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱର ସହ ନେଇ ମୁକାବିଲା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଓଡିଶା ସରକାର ମଧ୍ୟ ଏ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ କରୋନା ମୁକାବିଲା ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ଏଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ଅର୍ଥର ସମସ୍ୟା ହେବନାହିଁ । କେନ୍ଦ୍ର ସରକାର କରୋନାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ଗତକାଲି ରାଜ୍ୟ ସରକାର ମଧ୍ୟ ଏହା ଘୋଷଣା କରିଛନ୍ତି । ତେଣୁ ଓଡିଶା ବିଜେପି ଏହାର ଗୁରୁତ୍ୱକୁ ବୁଝିବା ଆବଶ୍ୟକ । ରାଜ୍ୟ ବିଜେପି ଓଡିଶା ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ଦେଶର ଅନ୍ୟ ବିଜେପି ଶାସିତ ରାଜ୍ୟ ଯଥା ହରିଆନା, ଉତ୍ତରପ୍ରଦେଶ ଆଦି କିଭଳି ଓଡିଶା ଅନୁରୂପ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଅନୁଧ୍ୟାନ କରିବା ଆବଶ୍ୟକ । ବର୍ତ୍ତମାନ କରୋନା ଆର୍ନ୍ତଜାତୀୟ ବିପର୍ଯ୍ୟୟ ହୋଇଥିବାରୁ ରାଜନୀତିରୁ ଉଦ୍ଧ୍ୱର୍କୁ ଆସି ଆମେ ସମସ୍ତେ ଏହାର ମୁକାବିଲା ଲାଗି ଆଗେଇ ଆସିବା ଉଚିତ୍ ।