
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪ରେ ପହଞ୍ଚି ଥିବାବେଳେ ୧୦ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି । କରୋନା ସଂକ୍ରମଣ ମୁକାବିଲା ଓ ନିରାକରଣ ଲାଗି ଭାରତ ସରକାର ସଂଖ୍ୟାଧିକ ତତ୍ପର ଓ ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାତ୍ରା କଟକଣା, ବିମାନ ଓ ସାମୁଦ୍ରିକ ବନ୍ଦରରେ ଯାତ୍ରୀଙ୍କ ସାମୂହିକ ଯାଂଚ, ଭିସା ରଦ୍ଦ ଏବଂ କ୍ୱାରେଂଟିନ (ପୃଥକୀକରଣ) ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।
ଆଜି କ୍ୟାବିନେଟ ସଚିବ ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହିତ କୋଭିଡ-୧୯ ମୁକାବିଲା ଲାଗି ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତି ସମୀକ୍ଷା କରିଥିଲେ । ନିରାକରଣ ଓ ନିୟନ୍ତ୍ରଣ ପଦକ୍ଷେପକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ଡାକ୍ତରଖାନାରେ ଯଥେଷ୍ଟ ସଂଖ୍ୟାରେ ସ୍ୱତନ୍ତ୍ର ୱାର୍ଡ ଖୋଲିବା, କ୍ୱାରେଂଟିନ ସୁବିଧା କରିବା ସହିତ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁଯାୟୀ କରୋନା ପ୍ରବଣ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ପୃଥକ ରଖିବା ସହିତ ସଚେତନତା ସୃଷ୍ଟି ଦିଗରେ ନିଆଯାଇଥିବା ପଦକ୍ଷେପ ସମୀକ୍ଷା କରାଯାଇଥିଲା ।
ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନୁଯାୟୀ ଜୁନ ୩୦ ପର୍ଯ୍ୟନ୍ତ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା କରାଯାଇଛି । ଏହାର ଅଭାବୀ ବିକ୍ରି ଏବଂ କଳାବଜାରୀକୁ ଦୃଢ଼ ହସ୍ତରେ ଦମନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନ୍ତର୍ଗତ ଯଥେଷ୍ଟ ପରିମାଣରେ ଏସବୁ ସାମଗ୍ରୀ ମହଜୁଦ କରିବା ଲାଗି ରାଜ୍ୟଗୁଡ଼ିକ ଉତ୍ପାଦକାରୀ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇପାରିବେ ।
ସଂକ୍ରାମକ ରୋଗ ନିବାରଣ ଆଇନ, ୧୮୯୭ ଅନ୍ତର୍ଗତ ସଂକ୍ରାମକ ରୋଗ ମୁକାବିଲା ପାଇଁ ରହିଥିବା ବ୍ୟବସ୍ଥାକୁ କେତେକ ରାଜ୍ୟ ଉପଯୋଗ କରିଛନ୍ତି । ଏହି ଆଇନ ଅଧୀନରେ ଜନସାଧାରଣଙ୍କ କାର୍ଯ୍ୟ ଉପରେ ଅସ୍ଥାୟୀ କଟକଣା ଜାରି କରିବା ଲାଗି ରାଜ୍ୟଗୁଡ଼ିକ ପଦକ୍ଷେପ ନେଇପାରିବେ କିମ୍ବା କୌଣସି ବ୍ୟକ୍ତିକୁ କ୍ଷମତା ପ୍ରଦାନ କରିପାରିବେ ।
ବିପର୍ଯ୍ୟୟ ପରିଚାଳନା ଆଇନ ଅନ୍ତର୍ଗତ ରାଜ୍ୟଗୁଡ଼ିକ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଅର୍ଥରାଶି ସଂଗ୍ରହ କରିପାରିବେ । ଏହାବ୍ୟତୀତ ରାଜ୍ୟ ସରକାର ଓ ଏନଏଚଏମରୁ ମଧ୍ୟ ଅତିରିକ୍ତ ପାଣ୍ଠି ଯୋଗାଡ଼ କରିପାରିବେ । ଏ ଦିଗରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଦିଶାନିର୍ଦ୍ଦେଶ ଦିଆଯାଇସାରିଛି ।
ବର୍ତମାନ ସୁଦ୍ଧା ୩୦ଟି ବିମାନ ବନ୍ଦରରେ ପହଁଚିଥିବା ୧୧,୪୦୬ଟି ବିମାନରେ ଆସିଥିବା ୧୨,୨୯,୩୬୩ ଯାତ୍ରୀଙ୍କର ସ୍କ୍ରିନିଂ କରାଯାଇଛି । ଏହାଛଡ଼ା ଭାରତ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ନିୟମ ଅନୁଯାୟୀ ନିର୍ଦ୍ଧାରିତ ନିୟମ ମୁତାବକ ପୃଥକ କରି ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।
ଭାରତୀୟ ନାଗରିକମାନଙ୍କୁ ଅନାବଶ୍ୟକ ବିଦେଶ ଯାତ୍ରା ଏଡ଼ାଇବା ଏବଂ ଅଧିକ କରୋନା ଭୂତାଣୁ ସଂକ୍ରମଣ ଓ ମୃତ୍ୟୁ ମାମଲା ଥିବା ଦେଶକୁ ନଯିବା ଲାଗି ପୁଣିଥରେ ବାରଣ କରାଯାଇଛି । ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀ ନିଜ ସ୍ୱାସ୍ଥ୍ୟବସ୍ଥା ପ୍ରତି ଯତ୍ନବାନ ହେବା ଲାଗି ପରାମର୍ଶ ଦିଆଯାଇଛି । ଏଥିସହିତ କ’ଣ କରିବା ଉଚିତ ଏବଂ ଅନୁଚିତ ସେ ଦିଗରେ ସରକାରଙ୍କ ପରାମର୍ଶକୁ ମାନିବା ଲାଗି କୁହାଯାଇଛି ।