
ଓଡ଼ିଶାରୁ ୟେସ ବ୍ୟାଙ୍କ ପ୍ରାୟ ୩ହଜାର କୋଟି ଟଙ୍କାର ଜମା ସଂଗ୍ରହ କରିଥିବା ବେଳେ ଜମାକାରୀମାନେ ଟଙ୍କା ଫେରି ପାଇବା ନେଇ ଆତଙ୍କିତ ଅବସ୍ଥାରେ ଥିଲେ । କିନ୍ତୁ ଚଳିତମାସ ୧୩ ତାରିଖରେ କେନ୍ଦ୍ର ସରକାରଙ୍କ ଅର୍ଥ ବିଭାଗ ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସେଥିରୁ ୧୬ ତାରିଖ ପରେ ଜମାକାରୀମାନେ ଅର୍ଥ ଫେରସ୍ତ ପାଇବା ସମ୍ଭାବନା ଉଜ୍ଜ୍ୱଳ ହୋଇଛି ।
ୟେସ ବ୍ୟାଙ୍କରେ ଗୋଳମାଳିଆ ଅବସ୍ଥା ସୃଷ୍ଟି ହେବା ପରେ ଏହାର ମୁଖ୍ୟ ରାଣା କପୁରଙ୍କୁ ଗିରଫ କରାଯାଇଛି । ଗତ ୫ ତାରିଖରେ ଅର୍ଥ ମନ୍ତ୍ରାଳୟ ଏକ ବିଜ୍ଞପ୍ତି ଜାରିକରି ଏହି ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ କଟକଣା ଜାରି କରିଥିଲେ । ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ୟେସ୍ ବ୍ୟାଙ୍କ ଉପରେ କଡ଼ା ନଜର ରଖିଥିଲେ । କଟକଣା ଅନୁଯାୟୀ ଜମାକାରୀ ମାସକୁ ଅତିବେଶୀରେ ଏହି ବ୍ୟାଙ୍କରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇବା ବ୍ୟବସ୍ଥା ଥିଲା ।
ତେବେ ଗତ ୧୩ ତାରିଖର ବିଜ୍ଞପ୍ତିରେ ୟେସ ବ୍ୟାଙ୍କ ଲିମିଟେଡ ରିକନଷ୍ଟ୍ରକ୍ସନ ସ୍କିମ, ୨୦୨୦ ଘୋଷଣା କରାଯାଇଛି । ଏହି ସ୍କିମର ଏକାଦଶ ଅନୁଚ୍ଛେଦରେ ସ୍ପଷ୍ଟ କରିଦିଆଯାଇଛି ଯେ ଭାରତ ସରକାର ପୂର୍ବରୁ ଯେଉଁ କଟକଣା ଜାରି କରିଥିଲେ ତାହା ୧୩ ତାରିଖର ବିଜ୍ଞପ୍ତି ପ୍ରକାଶ ପାଇବାର ତୃତୀୟ ଦିବସର ସନ୍ଧ୍ୟା ୬ଟା ପରଠାରୁ ଉଠିଯିବ । ଏ ପରିପ୍ରେକ୍ଷୀରେ ଚଳିତ ମାସ ୧୭ ତାରିଖରୁ ଜମାକାରୀମାନେ ୟେସ ବ୍ୟାଙ୍କରୁ ଟଙ୍କା ଉଠାଇପାରିବେ ବୋଲି ଆଶା ବାନ୍ଧି ବସିଛନ୍ତି ।
୧୫୫ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ରିପୋର୍ଟର ତଥ୍ୟ ଅନୁଯାୟୀ ଏହି ବ୍ୟାଙ୍କ ଓଡ଼ିଶାରୁ ୨୪୦୩.୬୭ କୋଟି ଟଙ୍କା ଜମା ସଂଗ୍ରହ କରିଥିବା ବେଳେ ୧୯୦୫.୦୪ କୋଟି ଟଙ୍କା ଋଣ ଦେଇଛି । ଅର୍ଥାତ ସଂଗୃହୀତ ଜମାର ପାଖାପାଖି ୮୦ ପ୍ରତିଶତ ୟେସ ବ୍ୟାଙ୍କ ଓଡ଼ିଶାରେ ଋଣ ଆକାରରେ ଖଟାଇଛି ।
ୟେସ ବ୍ୟାଙ୍କ ବିଭ୍ରାଟ, ଜମା ଟଙ୍କା ଉଠାଣ ଉପରେ କଟକଣା ଏବଂ ଏହାର ସର୍ବେସର୍ବାଙ୍କୁ ଗିରଫ କରାଯିବା ଘଟଣା ପରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାୟ ୫୪୫ କୋଟି ଟଙ୍କା ଏହି ବ୍ୟାଙ୍କରେ ଜମା ଥିବା ଜଣାପଡ଼ିଥିଲା । ଏଥିଘେନି ବିଧାନସଭା ଭିତରେ ଓ ବାହାରେ ହୁଲ୍ସ୍ତୁଲ୍ ହୋଇଥିବା ବେଳେ ଟଙ୍କା ଫେରି ପାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟର ସାଂସଦମାନେ ବି ଏ ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ଓ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଜମାକାରୀମାନେ ଆତଙ୍କିତ ନ ହେବା ପାଇଁ ବାରମ୍ବାର କହିଆସୁଛନ୍ତି ।
ନୂଆ ଯୋଜନା ଅନୁଯାୟୀ ୟେସ ବ୍ୟାଙ୍କର ଅଥରାଇଜଡ କ୍ୟାପିଟାଲକୁ ୬୨୦୦ କୋଟି ଟଙ୍କାକୁ ବଢ଼ାଇବା ପାଇଁ ଯୋଜନା ରହିଛି । ଅର୍ଥ ମନ୍ତ୍ରାଳୟ ରିଜର୍ଭ ବ୍ୟାଙ୍କ ସହ ଆଲୋଚନା କରି ଏହାର ନୂଆ ବୋର୍ଡ ଅଫ ଡିରେକ୍ଟର୍ସ ନିଯୁକ୍ତ କରିଛି । ପୁନର୍ଗଠନ ଯୋଜନାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୟେସ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ ନେବ । ଏହାଛଡ଼ା ପୁନର୍ଗଠନ ଯୋଜନାରେ ବି ଆଉ କେତେକ ପ୍ରସ୍ତାବ ଅଛି ।
ପୂର୍ବରୁ ଚିଟଫଣ୍ଡରେ ଓ କେତେକ ଦେବାଳିଆ ସମବାୟ ସଂସ୍ଥାରେ ଟଙ୍କା ଜମାରଖି ଲୋକେ ହତାଶ ହୋଇଛନ୍ତି । ଏ ପରିପ୍ରେକ୍ଷୀରେ ୟେସ ବ୍ୟାଙ୍କର ଜମାକାରୀମନେ ଚିନ୍ତିତ ହୋଇ ପଡ଼ିଥିବା ବେଳେ ଶ୍ରୀ ଜଗନ୍ନାଥ ମନ୍ଦିରର ଜମା ଅର୍ଥ ଫେରି ପାଇବା ଲାଗି ଦଳମତ ନିର୍ବିଶେଷରେ ଉଦବେଗ ପ୍ରକାଶ ପାଇଥିଲା । ତେବେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଗତ ୧୩ ତାରିଖର ବିଜ୍ଞପ୍ତି ଜମାକାରୀ ଓ ଜଗନ୍ନାଥ ପ୍ରେମୀମାନଙ୍କୁ ଆଶ୍ୱସ୍ତି ଦେଇଛି ।